bjd gruha runa

ଭାରତ-ପାକିସ୍ତାନ ମୁକାବିଲା ଆଜି

BJD Bijuli 480×75 Mob

ଅହମ୍ମଦାବାଦ୍‌: ଏକ ମାସ ପୂର୍ବେ ଏସିଆ କପ୍‌ରେ ପରାଜୟ ଭୋଗିଥିବା ପାକିସ୍ତାନ ଶନିବାର ପୁଣି ଭାରତର ସାମ୍ନା କରିବାକୁ ଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଦିନିକିଆ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣରେ ଭାରତ ଓ ପାକିସ୍ତାନ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଉକ୍ତ ମ୍ୟାଚ ଉପରେ ସାରା ବିଶ୍ବର ନଜର ରହିଛି। ବିଶ୍ବକପ ଇତିହାସରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମ୍ୟାଚକୁ ଦୁଇ ଦେଶବାସୀ ଭରପୁର ଉପଭୋଗ କରନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୈତିକ, କୁଟନୈତିକ ତିକ୍ତତା ଏହି ମ୍ୟାଚର ଗୁରୁତ୍ବକୁ ଆହୁରି ବଢାଇ ଦେଇଛି। ଏହା ଏକ ସ୍ବତନ୍ତ୍ର ମ୍ୟାଚ ବୋଲି ଦୁଇ ଦେଶର ଖେଳାଳି ଓ ପ୍ରଶଂସକମାନେ ହୃଦୟଙ୍ଗମ କରିଛନ୍ତି। ସେ ଦୃଷ୍ଟିରୁ ପରବର୍ତ୍ତୀ ହାଇଭୋଲଟେଜ୍‌ ମ୍ୟାଚକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତ ପୁଣି ଥରେ ବାଜି ମାରିବା ଲକ୍ଷ୍ୟରେ ରହିଛି। ବାବର ଆଜାମଙ୍କ ପାକିସ୍ତାନ ପୂର୍ବ ବିଫଳତାର ପ୍ରତିଶୋଧ ପାଇଁ ଅପେକ୍ଷା କରିଥିବାବେଳେ ବର୍ଷା ଏଥିରେ ବାଧକ ହେବାର ଆଶଙ୍କା ରହିିଛି। ତେବେ ଭାରତ ଆକ୍ରମଣାତ୍ମକ ଆଭିମୁଖ୍ୟରେ ଖେଳିବ ବୋଲି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି। ଏକ ସ୍ବତନ୍ତ୍ର ମନୋଭାବ ନେଇ ପଡିଆକୁ ଓହ୍ଲାଇବେ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା।

ଭାରତ-ପାକିସ୍ତାନ ମ୍ୟାଚ ସହିତ ଭାବ ପ୍ରବଣତା ଜଡିତ ରହିଥାଏ। ଫଳରେ ଏହି ମ୍ୟାଚ କେତେଜଣ ହିରୋ ଓ ଖଳନାୟକ ମଧ୍ୟ ସୃଷ୍ଟି କରିଥାଏ। ୧୯୯୬ ବିଶ୍ବକପ କ୍ବାର୍ଟର ଫାଇନାଲରେ ସେତବେଳର ତାରକା ଦ୍ରୁତ ବୋଲର ୱାର୍କର ୟୁନୁସ୍‌ଙ୍କୁ ନିର୍ଦ୍ଧୁମ ପ୍ରହାର କରି ଅଜୟ ଜାଡେଜା ସବୁଦିନ ପାଇଁ ହିରୋ ବନି ଯାଇଥିଲେ। ଲୋକେ ଏହି ମ୍ୟାଚକୁ ଏପର୍ଯ୍ୟନ୍ତ ମନେ ରଖିଛନ୍ତି। ସେହିପରି ବିଶ୍ବକପରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ ମଧ୍ୟ ଚେତନ ଶର୍ମା ୧୯୮୬ ସାରଜା କପ୍‌ ଫାଇନାଲରେ ​‌େ​‌ଶଷ ବଲରେ ଫୁଲଟସ୍‌ ପକାଇ ଜାଭେଦ ମିଅଁାଦାଦ୍‌ଙ୍କୁ ଛକା ଦେଇ ସବୁଦିନ ପାଇଁ ଖଳନାୟକ ବନି ଯାଇଥିଲେ। ୧୯୯୮ରେ ଢାକାରେ ଖେଳାଯାଇଥିବା ଇଣ୍ଡିପେଣ୍ଡାଣ୍ଟ୍‌ସ କପ୍‌ ଫାଇନାଲ ମ୍ୟାଚରେ ଭାରତର ହୃଷିକେଶ କାନିତକର ଶେଷ ବଲରେ ପାକିସ୍ତ​‌ାନର ସାକଲିନ୍‌ ମୁସ୍ତାକ୍‌ଙ୍କୁ ଚୌକା ମାରି ମ୍ୟାଚ ଜିତାଇଥିଲେ। ଲୋକେ ଏପର୍ଯ୍ୟନ୍ତ ଏଥିପାଇଁ କାନିତକରଙ୍କୁ ମନେ ରଖିଛନ୍ତି। ତେବେ ଅହମ୍ମଦାବାଦରେ ଉକ୍ତ ମ୍ୟାଚରେ କେତେଜଣ ନାୟକ ଓ ଖଳ ନାୟକ ସୃଷ୍ଟି କରିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ। ଏହି ହାଇଭୋଲଟେଜ୍‌ ମ୍ୟାଚ ଦେଖିବା ପାଇଁ ପ୍ରଶଂସକମାନେ ବ୍ଲାକରେ ବେଶ ଚଢା ଦରରେ ଟିକଟ କିଣିଛନ୍ତି। ଏପରିକି ବର୍ଷା ପାଇଁ ମ୍ୟାଚ ବାତିଲ ହେବା କିମ୍ବା ବାଧାପ୍ରାପ୍ତ ହେବାକୁ ଜାଣି ମଧ୍ୟ କ୍ରିକେଟପ୍ରେମୀ ଟିକଟ କିଣିବାକୁ ପଛାଇ ନାହାନ୍ତି। ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ଦିନିକିଆ ବିଶ୍ବକପରେ ୭ଥର ପରସ୍ପରକୁ ଭେଟିଛନ୍ତି।ତେବେ ସବୁଥର ଭାରତ ଏକପାଖିଆ ଭାବେ ବିଜୟ ହାସଲ କରିଛି। ୧୯୯୬ରେ ବେଙ୍ଗାଲୁରୁରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ଓ ୨୦୧୧ରେ ମୋହାଲିରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଦୁଇ ଦେଶ ମଧ୍ୟରେ କୌଣିସ ଦ୍ବିପାକ୍ଷିକ ସିରିଜ ଖେଳାଯାଉନଥିବାରୁ ବିଭିନ୍ନ ଆଇସିସି ପ୍ରତିଯୋଗିତ​‌ାରେ ଭାରତ ଓ ପାକିସ୍ତାନ ମୁକାବିଲାକୁ ସାରା ବିଶ୍ବରେ ଯଥେଷ୍ଟ ଗୁରୁତ୍ବ ଦିଆଯାଇଥାଏ।

ଚଳିତ ବିଶ୍ବକପର ପ୍ରଥମ ଦୁଇ ମ୍ୟାଚରେ ଦୁଇ ଦଳ ବିଜୟୀ ହୋଇଛନ୍ତି। ଭାରତ ପ୍ରଥମ ମ୍ୟାଚରେ ସର୍ବାଧିକ ୫ଥର ବିଜେତା ଅଷ୍ଟ୍ରେଲିଆକୁ ୬ ୱିକେଟରେ ଓ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି। ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ ବ୍ୟାଟିଂରେ, ବୋଲିଂରେ ଯଶପ୍ରୀତ ବୁମ୍‌ରା ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପ୍ରଥମ ମ୍ୟାଚରେ ୮୧ରନରେ ନେଦରଲାଣ୍ଡ୍‌ସକୁ ଓ ୬ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଶ୍ରୀଲଙ୍କା ବିପକ୍ଷରେ ୩୪୫ରନ ବିଶ୍ବକପରେ ସର୍ବାଧିକ ରନ୍‌ କରି ବିଜୟୀ ହୋଇଥିଲା। ମହମ୍ମଦ ରିଜ୍‌ୱାନ ଚମତ୍କାର ଫର୍ମରେ ରହିଛନ୍ତି। ଏହି ମ୍ୟାଚକୁ ନେଇ ଦୁଇ ଦଳ ନିଶ୍ଚିତ ଚାପରେ ରହିବେ। ଦୁଇ ଦଳ ଚଳିତ ବିଶ୍ବକପର ପ୍ରଥମ ଦୁଇ ମ୍ୟାଚ ଜିତିଥିବାରୁ ଉକ୍ତ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇପଡିଛି। ଭାରତର ରୋହିତ ଶର୍ମା ଓ ବିରାଟ କୋହଲି ନିଶ୍ଚିତ ଭାବେ ପରୀକ୍ଷାର ସମ୍ମୁଖୀନ ହେବେ। ପାକିସ୍ତାନ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି। ୨୦୧୫ ବିଶ୍ବକପରେ ଆଡିଲେଡ୍‌ରେ କୋହଲି ଶତକ ଅର୍ଜନ କରିଥିଲେ। ଏହି ସଫଳତା ଦୋହରାଇବା ନେଇ ଆଶା କରାଯାଉଛି। ତେଣୁ ପାକିସ୍ତାନ ଦ୍ରୁତ ବୋଲର ସାହିନ୍‌ ସାହା ଆଫ୍ରିଦି, ବାବର ଆଜାମ ମଧ୍ୟ କଡା ପରୀକ୍ଷାର ସମ୍ମୁଖୀନ ହେବେ।

Comments are closed.