ଭୁବନେଶ୍ୱର : ଆଜି ବିଶ୍ବ କର୍କଟ ଦିବସ। ଚଳିତବର୍ଷର ଥିମ୍ ରହିଛି ୟୁନାଇଟେଡ୍ ବାଏ ୟୁନିକ୍। ରାଜ୍ୟରେ ପ୍ରତି ୧୦୦ ଜଣରେ ପ୍ରାୟ ୫ ଜଣ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ମୁଖ ଗହ୍ବର, ସ୍ତନ ଓ ପାକସ୍ଥଳୀ କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଗ୍ରେ ରହିଛି। ଯୁବପିଢ଼ି ଅଧିକ ସଂଖ୍ୟାରେ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ଗ୍ରାମାଞ୍ଚଳରେ କର୍କଟରୋଗୀଙ୍କ ସଂଖ୍ୟା ସହରାଞ୍ଚଳ ଅପେକ୍ଷା ଅଧିକ ରହୁଛି। ରାଜ୍ୟରେ ବର୍ଷକୁ ପ୍ରାୟ ୪୦ ହଜାର ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଏଥିରୁ ପ୍ରାୟ ୩୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ(ଷ୍ଟେଜ୍-୧) ବର୍ତ୍ତମାନ ୮୫ ପ୍ରତିଶତ କର୍କଟ ରୋଗମୁକ୍ତ ହେଉଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ (ଷ୍ଟେଜ-୨)୭୫ ପ୍ରତିଶତ ଓ ତୃତୀୟ ପର୍ଯ୍ୟାୟରେ (ଷ୍ଟେଜ୍ -୩)୬୦ ପ୍ରତିଶତ ରୋଗମୁକ୍ତ ହୋଇପାରୁଛନ୍ତି। ଶେଷ ପର୍ଯ୍ୟାୟ ଅର୍ଥାତ ଚତୁର୍ଥ ଷ୍ଟେଜ୍ରେ ୪୦ ପ୍ରତିଶତ ରୋଗୀ ଅଧିକ କିଛି ଦିନ ବଞ୍ଚିଯାଉଥିବା ବିବରଣୀରୁ ଜଣାପଡ଼ିଛି। ଏଥିରେ ରୋକ ଲଗାଇବା ପାଇଁ ସଚେତନତା ଲୋଡ଼ା ବୋଲି ବିଶେଷଜ୍ଞ କହିଛନ୍ତି। ରାଜ୍ୟରେ ଯଦିଓ ଚିକିତ୍ସା ପ୍ରାଣାଳୀରେ ସୁଧାର ଆସିଛି ତଥାପି କର୍କଟ ଚିକିତ୍ସା କେନ୍ଦ୍ର, ଭିତ୍ତିଭୂମି ଏବଂ ଡାକ୍ତରଙ୍କ ଅଭାବ ରହିଛି। ରାଜ୍ୟରେ ୧୧ଟି କର୍କଟ କେନ୍ଦ୍ରକୁ ସମ୍ପ୍ରସାରଣ କରିବା ପାଇଁ ସରକାର ଯୋଜନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୭ଟି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ୪ଟି କେନ୍ଦ୍ରକୁ ସମ୍ପ୍ରସାରଣ କରି ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଯୋଗାଇ ଦେବାକୁ ସ୍ଥିର ହୋଇଥିଲା। ବରଗଡ଼କୁ ବାଦ ଦେଲେ ଏପର୍ଯ୍ୟନ୍ତ ଆଉ କୌଣସି କେନ୍ଦ୍ର ସ୍ବୟଂସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଏହାରି ଭିତରେ ଦୁଇଦୁଇଟି ଘରୋଇ ହସ୍ପିଟାଲ ହୋଇସାରିଛି। ସେମାନେ ନିଜସ୍ବ କେନ୍ଦ୍ର କରିବା ପାଇଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏମ୍ସ, ଆଚାର୍ଯ୍ୟ ହରିହର, ବୁର୍ଲା, ବ୍ରହ୍ମପୁର, କ୍ୟାପିଟାଲ ହସ୍ପିଟାଲ ବ୍ୟତୀତ ଅନେକ ଘରୋଇ ଚିକିତ୍ସାଳୟରେ କର୍କଟ ଚିକିତ୍ସା କରାଯାଉଛି। କିନ୍ତୁ ଆଚାର୍ଯ୍ୟ ହରିହର ଏବଂ ଏମ୍ସ ବ୍ୟତୀତ ଅନ୍ୟ ତିନିଟି ସ୍ଥାନରେ ଭିତ୍ତିଭୂମି ଏବଂ ଡାକ୍ତରଙ୍କ ଅଭାବ ରହିଛି। ଆଧୁନିକ ଯନ୍ତ୍ରପାତି ମଧ୍ୟ ନଥିବା ଜଣାପଡ଼ିଛି। ବରିଷ୍ଠ କର୍କଟ ରୋଗ ଚିକିତ୍ସକ ଡା. କୃପାସିନ୍ଧୁ ପଣ୍ଡା କହିଛନ୍ତି ଏବେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ୁଛି। କର୍କଟ କିଛି ନୂଆ ନୁହେଁ। ଏଥିପାଇଁ ସଚେତନତା ଆବଶ୍ୟକ। ମୁଖ ଗହ୍ବର କର୍କଟର ମୁଖ୍ୟ କାରଣ ହେଉଛି ତମାଖୁ ସେବନ। ଯାହା ଆମ ଦେଶରେ ସର୍ବାଧିକ। ବର୍ତ୍ତମାନ ଆଧୁନିକ ଚିକିତ୍ସା କେବଳ କଟକ ଏବଂ ଭୁବନେଶ୍ବରରେ ଉପଲବ୍ଧ ହେଉଛି। ଏହାକୁ ବ୍ୟାପକ କରି ଜିଲାସ୍ତରରେ କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି। କର୍କଟ ବିଶେଷଜ୍ଞ ଡା. ସୌରଭ ମିଶ୍ର କହିଛନ୍ତି କର୍କଟ ଚିହ୍ନଟ, ଚିକିତ୍ସା ଓ ସଚେତନତାକୁ ଗୁରୁତ୍ବ ଦେବାକୁ ପଡ଼ିବ। ପ୍ରାଥମିକସ୍ତରରେ ଯଦି ଆମେ ଉଚିତ୍ ଚିକିତ୍ସା କରିବା ତେବେ କର୍କଟକୁ ଜିତି ପାରିବ। ଏନେଇ ଆମକୁ ଆମର ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି।
Popular Categories



