ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ: ସିନ୍ଧୁ ଓ ସାଇ ପ୍ରଣିତ ସେମିରେ
ବାସେଲ୍ (ସ୍ବିଜରଲାଣ୍ଡ) : ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପି.ଭି. ସିନ୍ଧୁ ତାଙ୍କ ଜୀବନର ଅନ୍ୟତମ ଶ୍ରେଷ୍ଠ ବିଜୟ ହାସଲ କରିଛନ୍ତି। ବିଶ୍ବର ୨ନଂ ମହିଳା ଖେଳାଳି ଚାଇନିଜ୍ ତାଇପେର ତାଏ ଜୁ ୟିଙ୍ଗ୍ଙ୍କୁ କ୍ବାର୍ଟରଫାଇନାଲରେ ପରାସ୍ତକରି ୫ମ ସିଡ୍ ସିନ୍ଧୁ ଏଠାରେ ଚାଲିଥିବା ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ୍ର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ସିନ୍ଧୁ ବିଶ୍ବ ଚମ୍ପିଆନ୍ସିପ୍ରେ ୫ମ ପଦକ ଜିତିବା ନିଶ୍ଚିତ କରିଛନ୍ତି। ତାଙ୍କ ସହ ପୁରୁଷ ସିଙ୍ଗଲ୍ସରେ ଭାରତର ବି. ସାଇ ପ୍ରଣିତ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ଜିତିବା ନିଶ୍ଚିତ କରିଛନ୍ତି। ଫଳରେ ଶୁକ୍ରବାର ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପରେ ଭାରତ ପାଇଁ ଶୁଭଦିନ ପ୍ରମାଣିତ ହୋଇଛି।
ମହିଳା ସିଙ୍ଗଲ୍ସ କ୍ବାର୍ଟରଫାଇନାଲରେ ୨ୟ ସିଡ୍ ତାଏ ଜୁ ୟିଙ୍ଗ୍ଙ୍କୁ ୧୨-୨୧, ୨୩-୨୧, ୨୧-୧୯ ଗେମ୍ରେ ସିନ୍ଧୁ ପରାସ୍ତ କରିଛନ୍ତି। ୫ମ ସିଡ୍ ସିନ୍ଧୁଙ୍କ ବିପକ୍ଷରେ ୨ୟ ସିଡ୍ ତାଏ ଜୁ ୟିଙ୍ଗ୍ ନିଶ୍ଚିତ ଭାବେ ଫେଭରିଟ୍ ଥିଲେ। ପୂର୍ବରୁ ଉଭୟ ଖେଳାଳିଙ୍କ ମଧ୍ୟରେ ୧୩ ଥର ମୁକାବିଲା ହୋଇଥିବା ବେଳେ ତାଏ ଜୁ ୟିଙ୍ଗ୍ ୧୦ ଥର ଜିତିଥିଲେ। ତାଏ ଜୁ ୟିଙ୍ଗ୍ ହେଉଛନ୍ତି ପୂର୍ବତନ ବିଶ୍ବର ୧ନଂ ଖେଳାଳି ଏବଂ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣପଦକ ବିଜୟିନୀ। ଶୁକ୍ରବାରର କ୍ବାର୍ଟରଫାଇନାଲ ମ୍ୟାଚ୍ରେ ମଧ୍ୟ ସ୍ବାଭାବିକ ଭାବେ ତାଏ ଜୁ ୟିଙ୍ଗ୍ ଫେଭରିଟ୍ ଥିଲେ। ପ୍ରଥମ ଗେମ୍ରେ ତାଏ ଜୁ ୟିଙ୍ଗ୍ ଚମତ୍କାର ପ୍ରଦର୍ଶନ କରି ଏହାକୁ ୨୧-୧୨ରେ ଜିତି ନେଇଥିଲେ। ୨ୟ ଗେମ୍ରେ ସିନ୍ଧୁ ଲଢ଼ୁଆ ପ୍ରଦର୍ଶନ କରି ମ୍ୟାଚ୍କୁ ଜୀବନ୍ତ ରଖି ପାରିିଥିଲେ। ଏକଦା ସିନ୍ଧୁ ୧୮-୧୬ ପଏଣ୍ଟରେ ଆଗୁଆ ରହିଥିବା ବେଳେ ତାଏ ଜୁ ୟିଙ୍ଗ୍ ଏହାକୁ ୨୦-୨୦ କରି ଦେଇଥିଲେ। ତେବେ ସିନ୍ଧୁ ଏହାକୁ ୨୩-୨୧ ପଏଣ୍ଟରେ ଜିତିବାକୁ ସମର୍ଥ ହୋଇଥିଲେ। ୩ୟ ଗେମ୍ରେ ତାଏ ଜୁ ୟିଙ୍ଗ୍ ୮-୪ ଗେମ୍ରେ ଆଗୁଆ ରହିଥିବା ବେଳେ ସିନ୍ଧୁ ଲଢ଼େଇକରି ସ୍କୋର୍କୁ ୧୪-୧୪ କରି ପାରିଥିଲେ। ସିନ୍ଧୁ ୧୮-୧୭ରେ ଆଗୁଆ ରହିଥିବା ବେଳେ ତାଏ ଜୁ ୟିଙ୍ଗ୍ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ସିନ୍ଧୁ ଏହି ଗେମ୍କୁ ୨୧-୧୯ରେ ଜିତି ନେଇଥିଲେ।
ମହିଳା ସିଙ୍ଗଲ୍ସରେ ସିନ୍ଧୁଙ୍କ ପରି ପୁରୁଷ ସିଙ୍ଗଲ୍ସରେ ଭାରତର ବି. ସାଇ ପ୍ରଣିତ ମଧ୍ୟ ତାଙ୍କଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ତଥା ଏସୀୟ କ୍ରୀଡ଼ା ସ୍ବର୍ଣ୍ଣପଦକ ବିଜେତାଙ୍କୁ ପରାସ୍ତକରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୬ନଂ ସିଡ୍ ସାଇ ପ୍ରଣିତ ଶୁକ୍ରବାର କ୍ବାର୍ଟରଫାଇନାଲରେ ୪ର୍ଥ ସିଡ୍ ଇଣ୍ଡୋନେସିଆର ଜୋନାଥନ୍ କ୍ରିଷ୍ଟିଙ୍କୁ ୨୪-୨୨, ୨୧-୧୪ ଗେମ୍ରେ ପରାସ୍ତ କରିଛନ୍ତି। ଫଳରେ ଦୀର୍ଘ ୩୬ ବର୍ଷ ପରେ ଭାରତୀୟ ଖେଳାଳି ବିଶ୍ବ ବ୍ୟାଡ୍ମିଣ୍ଟନ୍ ଚମ୍ପିଆନ୍ସିପ୍ରେ ପଦକ ଜିତିବା ନିଶ୍ଚିତ ହୋଇଯାଇଛି। ସୂଚନାଯୋଗ୍ୟ; ଭାରତୀୟ ବ୍ୟାଡ୍ମିଣ୍ଟନ୍ କିମ୍ବଦନ୍ତୀ ପ୍ରକାଶ ପାଦ୍ୟୁକୋନ୍ ୧୯୮୩ରେ ପ୍ରଥମ ଏବଂ ଶେଷଥର ପାଇଁ ପୁରୁଷ ସିଙ୍ଗଲ୍ସରେ ପଦକ (ବ୍ରୋଞ୍ଜ୍) ଜିତି ପାରିଥିଲେ। ବିଶ୍ବ ମାନ୍ୟତାରେ ୧୯ନଂ ସ୍ଥାନରେ ଥିବା ବି. ସାଇ ପ୍ରଣିତ ୨୪-୨୨, ୨୧-୧୪ ଗେମ୍ରେ ଜୋନାଥନ୍ କ୍ରିଷ୍ଟିଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ଗେମ୍ରେ ୪ର୍ଥ ସିଡ୍ ଜୋନାଥନ୍ କ୍ରିଷ୍ଟି କଡ଼ା ମୁକାବିଲା କରିଥିଲେ ହେଁ ସାଇ ପ୍ରଣିତ ଏହାକୁ କଷ୍ଟରେ ଜିତି ପାଇଥିଲେ। ତେବେ ୨ୟ ଗେମ୍ରେ ସାଇ ପ୍ରଣିତ ସହଜରେ ବିଜୟୀ ହୋଇଥିଲେ। ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ସାଇ ପ୍ରଣିତ ତାଙ୍କ ଜୀବନର ଅନ୍ୟତମ ଶ୍ରେଷ୍ଠ ସଫଳତା ହାସଲ କରିଛନ୍ତି। ସାଇ ପ୍ରଣିତ ୨୦୧୭ରେ ସିଙ୍ଗାପୁର ଓପନ୍ ଜିତିଥିବା ବେଳେ ଚଳିତବର୍ଷ ସ୍ବିସ୍ ଓପନ୍ରେ ରୌପ୍ୟପଦକ ଜିତି ପାରିଥିଲେ। ବିଶ୍ବର ୧ନଂ ଖେଳାଳି ତଥା ଟପ୍ ସିଡ୍ ଜାପାନର କେଣ୍ଟୋ ମୋମୋଟାଙ୍କ ବିପକ୍ଷରେ ସାଇ ପ୍ରଣିତ ସେମିଫାଇନାଲ ମ୍ୟାଚ୍ ଖେଳିବେ।
Comments are closed.