ଧାମରା : ଧାମରା ନିକଟସ୍ଥ ଜାଗୁଳା ପଞ୍ଚାୟତର ଶତାଧିକ ମହିଳା ମଦ ଦୋକାନ ସ୍ଥାନନ୍ତରଣ ଦାବୀ କରି ଏକ ବିଶାଳ ଶୋଭାଯାତ୍ରାରେ ଆସି ବାସୁଦେବପୁର-ଧାମରା-ଚନ୍ଦନୀପାଳ ପ୍ରତିରକ୍ଷା ରାସ୍ତା ବନ୍ଦ କରିବା ସହ ମଦ ଦୋକାନ ଆଗରେ ଧାରଣାରେ ବସିଥିଲେ। ସକାଳ ୯ଟା ସମୟରେ ଜାଗୁଳା ପଞ୍ଚାୟତର ସାଗରବାଳା ମହିଳା ମହାସଂଘ ଅଧିନରେ ଥିବା ୧୦୧ ମହିଳା ସଂଘର ସଦସ୍ୟା ମାନେ ଏକ ବିଶାଳ ଶୋଭାଯାତ୍ରାରେ ଜାଗୁଳା ପଞ୍ଚାୟତ ନିକଟସ୍ଥ ନିଜ ଅଫିସରୁ ବାହାରି ଧାମରା ବଜାର ପରିକ୍ରମା କରିଥିଲେ। ପରେ ଶତାଧିକ ମହିଳା ଏହି ରାସ୍ତାକୁ ଅବରୋଧ କରିବା ସହ ମଦ ଦୋକାନ ଆଗରେ ଧାରଣାରେ ବସିଥିଲେ। ମହାସଂଘର ଦାବି ଅନୁଯାୟୀ ଜାଗୁଳା ପଞ୍ଚାୟତର ଜନବସତି ଠାରୁ ଏହି ଅବକାରୀ ଦୋକାନକୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ଦାବି କରିଥିଲେ। ଏହି ବିଷୟରେ ସେମାନେ ଅବକାରୀ ବିଭାଗ,ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବରେ ଜଣାଇଥିବା ବେଳେ ତୁରନ୍ତ ଏହାକୁ ସ୍ଥାନାନ୍ତରଣ ନକରିବା ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ରହିବ ବୋଲି ସେମାନେ ଅଡି ବସିଥିଲେ। ଶାନ୍ତିଶୃଙ୍ଖଳା ବ୍ୟାହତ ନହେବା ପାଇଁ ପୁଲିସର ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଧାମରା ଅଞ୍ଚଳରେ ଥିବା ସମସ୍ତ ନିଶା ଦୋକାନକୁ ଜନବସତି ଠାରୁ ଦୂରକୁ ଉଠାଇ ଦେବାକୁ ଏହି ମହିଳା ମହାସଂଘ ଦାବି କରିବା ସହ ସେମାନଙ୍କୁ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଲେ ସେମାନେ ଏହି ଆନ୍ଦୋଳନରୁ ହଟିବେ ବୋଲି ମତ ରଖିଥିଲେ। ଆଜିର ଏହି ଆନ୍ଦୋଳନରେ ମହିଳା ମହାସଂଘର ସଭାନେତ୍ରୀ ସଞୁକ୍ତା ଦାସ, ମିନତୀ ଭୋଇ, ଇତିଶ୍ରୀ ପ୍ରଧାନ,କୋଇଲି ଖିଲାର, ପୁଷ୍ପା ଲେଙ୍କା, ମାତାଜୀ ସେଠୀ, ମଧୁମିତା ଗିରି,ସୁକାନ୍ତି ଦାସ ଙ୍କ ସମେତ ୧୦୧ଟି ମହିଳା ସଂଘର ଶତାଧିକ ସଦସ୍ୟା ଯୋଗ ଦେଇଥିଲେ।
Popular Categories



