ନୂଆଦିଲ୍ଲୀ : ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଗୁରୁବାର(ଆସନ୍ତାକାଲି) ହେଉଛି ପ୍ରୀର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ।
ଏହି ପର୍ଯ୍ୟାୟରେ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ୯୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଲୋକସଭା ଆସନ ଏବଂ ତେଲଙ୍ଗାନାର ୧୭ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ କରାଯିବ। ସେହିପରି ଉତ୍ତରପ୍ରଦେଶର ୮ଟି, ମହାରାଷ୍ଟ୍ରର ୭ଟି, ଉତ୍ତରାଖଣ୍ଡ ଓ ଆସାମର ୫ଟି ଲେଖାଏଁ, ବିହାର ଏବଂ ଓଡ଼ିଶାର ୪ଟି ଲେଖାଏଁ ଆସନ, ଜାମ୍ମୁ ଓ କାଶ୍ମୀର-ଅରୁଣାଚଳପ୍ରଦେଶ-ମେଘାଳୟ ଏବଂ ପଶ୍ଚିମବଙ୍ଗର ଦୁଇଟି ଲେଖାଏଁ ଆସନ ଏବଂ ଛତିଶଗଡ଼, ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ସିକିମ୍, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଏବଂ ଲାକ୍ଷାଦୀପର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଏପ୍ରିଲ ୧୧ ତାରିଖରେ ମତଦାନ କରାଯିବ।
ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ, ଓଡ଼ିଶାର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୨୮ଟି ଏବଂ ସିକିମ୍ର ସମସ୍ତ ୩୨ଟି ବିଧାନସଭା ଆସନ ତଥା ଅରୁଣାଚଳ ପ୍ରଦେଶର ସମସ୍ତ ୬୦ଟି ବିଧାନସଭା ଆସନ ପାଇଁ ଆସନ୍ତା କାଲିକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି ।
ଏପ୍ରିଲ ୧୧ ତାରିଖରେ ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର,ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
କଳାହାଣ୍ଡି ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଏବଂ ନର୍ଲା ବିଧାନସଭା ଆସନରେ ଏପ୍ରିଲ ୧୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ସେହିପରି ନବରଙ୍ଗପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ପଟାଙ୍ଗୀ, ମାଲକାନାଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନରେ ସେହିଦିନ ମତଦାନ କରାଯିବ। ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନରେ ମଧ୍ୟ ଏହି ଦିନ ମତଦାନ ଅନୁଷ୍ଠିତ ହେବ। ସେହିପରି କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ କୋରାପୁଟ ବିଧାନସଭା ଆସନରେ ଏପ୍ରିଲ ୧୧ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ।



