www.samajalive.in
Friday, December 12, 2025
27.1 C
Bhubaneswar

‘ବୋତଲ ଠିପି ଗଲା କୁଆଡେ ?’: ଏହି ଗୋଟିଏ ପ୍ରଶ୍ନ ଖୋଲିଦେଲା ସ୍ଵାମୀହନ୍ତା ସ୍ତ୍ରୀର ଅସଲ ମୁଖା, ପ୍ରେମିକ ସହ ମିଶି କରିଥିଲା ହତ୍ୟା

ସମାଜ ଡିଜିଟାଲ ଡେସ୍କ: କାର ଛିଡ଼ା ହୋଇଛି। ଅଳ୍ପ ଦୂରରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିଛି। ନିକଟରେ ପଡ଼ିଛି ବିଷ ବୋତଲ। ପାଖରେ ସ୍ତ୍ରୀ ବସି କାନ୍ଦୁଛନ୍ତି। ଛାତିଫଟା ଚିତ୍କାର କରି କହୁଛନ୍ତି-ଏମିତି କାହିଁକି କଲ? ମୋତେ କାହିଁକି ଛାଡ଼ି ଚାଲିଗଲ ? ପୁଲିସ ପହଞ୍ଚି ସବୁ ଦେଖୁଛି। ଅନୁସନ୍ଧାନ କରୁଛି। ଶେଷରେ ସିଦ୍ଧାନ୍ତରେ ପହଞ୍ଚୁଛି ଯେ, ବ୍ୟକ୍ତି ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଶେଷ କରୁଛି ଏବଂ ଏହାକୁ ଏକ ଆତ୍ମହତ୍ୟା ଦର୍ଶାଇ ମାମଲା ରୁଜୁ କରିବାକୁ ଯାଉଛି। କିନ୍ତୁ ହଠାତ୍‌ ଜଣେ ପୁଲିସ ଅଧିକାରୀଙ୍କ ମନକୁ ଆସୁଛି ତୀକ୍ଷ୍ଣ ପ୍ରଶ୍ନ। ତଦନ୍ତ ସରିଛି, ହେଲେ ବିଷ ବୋତଲର ଠିପି କୁଆଡ଼େ ଗଲା ? ଏହି ପ୍ରଶ୍ନ ତାଙ୍କୁ ବାରମ୍ବାର ଘରିବାରୁ ସେ ତଦନ୍ତକୁ ପୁନର୍ବାର ଆରମ୍ଭ କରିବାକୁ ନିଷ୍ପତ୍ତି ନେଉଛନ୍ତି। ସେହିପରି ମୃତବ୍ୟକ୍ତିଙ୍କ ଗୋଡ଼ରେ ଗୋଟିଏ ଚପଲ ଥିବାବେଳେ ଅନ୍ୟଟି ଗଲା କୁଆଡେ ? ଏମିତି କିଛି ପ୍ରଶ୍ନ ଇନ୍ସପେକ୍ଟର ବି.କେ. ପ୍ରକାଶ ଏବଂ ଏସଆଇ ସାହାନା ପାଟିଲଙ୍କୁ ମାମଲାର ତ୍ଵରିତ ସିଦ୍ଧାନ୍ତରେ ପହଞ୍ଚିବାକୁ ଅଟକାଇଥିଲା।

ଘଟଣା ପରଦିନ ମୃତକଙ୍କ ପରିବାର ଲୋକେ ଆସି ପୁଲିସକୁ କିଛି ତଥ୍ୟ ଦେଇଥିଲେ, ଯାହା ତଦନ୍ତରେ ବେଶ୍ ସହାୟକ ହୋଇଥିଲା। ତାହା ହେଉଛି ମୃତକଙ୍କ ପତ୍ନୀଙ୍କ ପରକୀୟା ପ୍ରୀତି।

- Advertisement -

ଘଟଣାଟି ବେଙ୍ଗାଲୁରୁର କାନଭା ଡ୍ୟାମ ନିକଟରେ ଘଟିଥିଲା। ଗତମାସ ୨୩ ତାରିଖରେ ଡ୍ୟାମ ନିକଟରୁ ୪୫ ବର୍ଷୀୟ ଲୋକେଶ କୁମାରଙ୍କ ମୃତଦେହ ମିଳିଥିଲା।  ସେ ମକାଲି ଗ୍ରାମ ପଞ୍ଚାୟତର ପୂର୍ବତନ ସଭାପତି ଥିଲେ। ତାଙ୍କର ଦୁଇଟି ଚିକେନ ଦୋକାନ ବି ଥିଲା। ତାଙ୍କ ପତ୍ନୀ ଚନ୍ଦ୍ରକଳା ଜଣେ ପଞ୍ଚାୟତ ସଦସ୍ୟ ଥିଲେ। ୨୪ ତାରିଖରେ ଚନ୍ଦ୍ରକଳା ପ୍ରେସମିଟ୍ ଡକାଇ ତାଙ୍କ ସ୍ଵାମୀଙ୍କ ମୃତ୍ୟୁରେ ସେ କେତେ ଦୁଃଖୀ ତାହା ପ୍ରକାଶ କରିବାକୁ ଚେଷ୍ଟା କରିଥିଲେ।

ଏସବୁ ଭିତରେ ଠୋସ ପ୍ରମାଣ ନ ମିଳିବାରୁ ପୁଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କଲା। ରିପୋର୍ଟରେ ଯଦିଓ ବିଷପାନ ଯୋଗୁ ଲୋକେଶଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା କିନ୍ତୁ କିଛି ତଥ୍ୟ ପୁଲିସକୁ ଚିନ୍ତାରେ ପକାଇଥିଲା ଏବଂ ଏହା ଏକ ସୁଚିନ୍ତିତ ହତ୍ୟକାଣ୍ଡ ବୋଲି ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। କାରଣ ଲୋକେଶ ନିଜେ ବିଷ ପିଇଥିଲେ ତାହା ସିଧାସଳଖ ପାକସ୍ଥଳୀକୁ ଯାଇଥାଆନ୍ତା। କିନ୍ତୁ ବିଷ ଛାତି ନିକଟରେ ଜମା ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିଲା। ଯାହାଫଳରେ ଲୋକେଶଙ୍କୁ ବଳପୂର୍ବକ ବିଷ ପିଆଯାଇଥିବା ପୁଲିସ ସ୍ପଷ୍ଟ ହୋଇଥିଲା। ଏହାପରେ ଘଟଣା ଦିନ ନିକଟରେ ଥିବା ସିସିଟିଭି ଫୁଟେଜ ଯାଞ୍ଚରୁ ଲୋକେଙ୍କ କାର ନିକଟରେ ଅନ୍ୟ ଏକ କଳା କାର ଚକ୍କର କାଟୁଥିବା​‌ ଦେଖିବାକୁ ମିଳିଥିଲା।

ଶେଷରେ ପୁଲିସ ଲୋକେଶଙ୍କର ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଚନ୍ଦ୍ରକଳାଙ୍କୁ ଡାକି ଜେରା କଲା। ତାଙ୍କ ଫୋନର କଲ୍ ରେକର୍ଡ ଯାଞ୍ଚ କଲା। ବେଙ୍ଗାଲୁରୁରେ ଥିବା ଏକ ପୋଷ୍ଟ ଅଫିସ କର୍ମଚାରୀ ଯୋଗେଶଙ୍କ ସହିତ ଚନ୍ଦ୍ରକଳା ନିୟମିତ ଯୋଗାଯୋଗରେ ରହିଥିବା ପୁଲିସ ଜାଣିବାକୁ ପାଇଲା। ଲୋକେଶଙ୍କ ମୃତ୍ୟୁ ଦିନ ଯୋଗେଶ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ତାଙ୍କ ଲୋକେସନ ତଥ୍ୟରୁ ଜଣାପଡ଼ିଲା। ଶେଷରେ ପୁଲିସ ଉଭୟଙ୍କୁ ଡାକି ଜେରା କରିବାରୁ ସେମାନେ ସତ ମାନିବାକୁ ବାଧ୍ୟ ହୋଇଥିଲେ।

ଚନ୍ଦ୍ରକଳାଙ୍କ ପରକୀୟା ପ୍ରୀତି ଉପରୁ ଲୋକେଶ ପରଦା ହଟାଇଥିଲେ। ତେଣୁ ସେମାନେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଲୋକେଶ ଜୁନ ୨୩ ରାତିରେ ଦୋକାନରୁ ଫେରିବା ସମୟରେ କାନଭା ଡ୍ୟାମ ନିକଟରେ ଯୋଗେଶ ୩ ସହଯୋଗୀଙ୍କ ସହ ମିଶି ତାଙ୍କୁ ଅଟକାଇ ଆକ୍ରମଣ କରିବା ସହିତ ବିଷ ପିଆଇ ହତ୍ୟା କରିଥିଲେ। ପରେ ଗାଡ଼ିରୁ ବହାର କରି ଏହାକୁ ଆତ୍ମହତ୍ୟା ରୂପ ଦେବା ଲାଗି ଯୋଜନା କରିଥିଲେ। କିନ୍ତୁ ବିଷ ବୋତଲ ଠିପିକୁ ଅଭିଯୁକ୍ତମାନେ କାର ନିକଟରେ ଛାଡ଼ି ଦେଇଥିଲେ। ସେହିପରି ମୃତଦେହ ଗାଡ଼ିରୁ ବାହାର କରି ଅନ୍ୟତ୍ର ନେବା ସମୟରେ ଗୋଟିଏ ଚପଲ ଗାଡ଼ି ଭିତରେ ରହିଯାଇଥିଲା। ଯାହା ପୁଲିସ ମନରେ ସନ୍ଦେହ ସୃଷ୍ଟି କରିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ଏହି ଘଟଣାରେ ପୁଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories