www.samajalive.in
Friday, December 5, 2025
23.1 C
Bhubaneswar

ମହାମେଣ୍ଟ ପତନର ପ୍ରମୁଖ କାରଣ

ପାଟନା: ଚଳିତ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏହି ଫଳାଫଳ ବିରୋଧୀ ମହାମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ଆରଜେଡିକୁ ଶକ୍ତ ଧକ୍କା ପହଞ୍ଚାଇଛି। ଗତ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଆରଜେଡି ଏଥର ଏକପ୍ରକାର ଧରାଶାୟୀ ହୋଇପଡିଛି। ମହାମେଣ୍ଟର ଅନ୍ୟତମ ଅଂଶୀଦାର କଂଗ୍ରେସର ପ୍ରଦର୍ଶନ ଏଥର ଶୋଚନୀୟ ହୋଇପଡିଛି। ଆରଜେଡି ଓ କଂଗ୍ରେସ ଯଥାକ୍ରମେ ୨୭ ଓ ୬ ଆସନରେ ବିଜୟୀ ହୋଇଥିବାବେଳେ ମହାମେଣ୍ଟ ମୋଟ ୩୪ଟି ଆସନରେ ବିଜୟୀ/ଆଗୁଆ ରହିଛି। ଚୂଡାନ୍ତ ଫଳ ଘୋଷଣା ହେଲେ ଏହି ସଂଖ୍ୟାରେ କିଛି କମ ବେଶୀ ହୋଇପାରେ। ତେବେ ବିହାରରେ ସରକାର ଗଠନ କରିବା ମହାମେଣ୍ଟ ପାଇଁ ସ୍ବପ୍ନ ପାଲଟିଛି। ନିର୍ବାଚନ ବିଶେଷଜ୍ଞମାନେ ମହାମେଣ୍ଟର ପରାଜୟ ପାଇଁ ୫ଟି ପ୍ରମୁଖ କାରଣ ଦର୍ଶାଇଛନ୍ତି।

ଯାଦବ ସଂପ୍ରଦାୟରୁ ଅଧିକାଂଶ ପ୍ରାର୍ଥୀ: ଚଳିତ ନିର୍ବାଚନରେ ଆରଜେଡି ୧୪୩ ଆସନରେ ପ୍ରାର୍ଥୀ ଛିଡା କରିଛି। ତେବେ ଏମାନଙ୍କ ମଧ୍ୟରେ ଯାଦବ ସଂପ୍ରଦାୟର ୫୨ ପ୍ରତିଶତ ପ୍ରାର୍ଥୀ ସାମିଲ ଅଛନ୍ତି। ଅର୍ଥାତ୍‌ ମୋଟ ପ୍ରାର୍ଥୀ ସଂଖ୍ୟାର ଏମାନେ ହେଉଛନ୍ତି ୩୬ ପ୍ରତିଶତ। ଗତ ନିର୍ବାଚନ ତୁଳନାରେ ଏଥର ଯାଦବ ପ୍ରାର୍ଥୀଙ୍କ ସଂଖ୍ୟା ପ୍ରାୟ ଦଶଗୁଣ ବୃଦ୍ଧି ପାଇଛି। ଏହା ଅନ୍ୟ ସଂପ୍ରଦାୟର ଭୋଟରଙ୍କୁ ଅସନ୍ତୁଷ୍ଟ କରିଛି।

- Advertisement -

ଅଂଶୀଦାର ଦଳଙ୍କୁ ହେୟଜ୍ଞାନ: ମହାମେଣ୍ଟର ନେତୃତ୍ବ ନେଉଥିଲେ ସୁଦ୍ଧା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ରଣନୀତି ବୁମେରାଂ ପାଲଟିଛି। ନିର୍ବାଚନ ପୂର୍ବରୁ ଅଂଶୀଦାର ଦଳ ସହ ଆସନ ବୁଝାମଣା ହୋଇନଥିବାବେଳେ ତେଜସ୍ବୀ ଏକତରଫା ଭାବେ ନିଜକୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲେ। ଇସ୍ତାହାରରେ ମଧ୍ୟ ମହାମେଣ୍ଟ ଶବ୍ଦ ପରିବର୍ତ୍ତେ ‘ତେଜସ୍ବୀଙ୍କ ସଙ୍କଳ୍ପ’ ଶବ୍ଦ ବ୍ୟବହାର କରାଯାଇଥିଲା। ପୋଷ୍ଟରରେ ତେଜସ୍ବୀଙ୍କ ବଡ ଫଟୋ ସ୍ଥାନିତ ହୋଇଥିବାବେଳେ କଂଗ୍ରେସର ରାହୁଲ ଗାନ୍ଧୀଙ୍କ ଫଟୋ ଅପେକ୍ଷାକୃତ ଯଥେ​‌ଷ୍ଟ ଛୋଟ ଥିଲା। ଏହା ମହାମେଣ୍ଟର ଏକତାକୁ ଅତ୍ୟନ୍ତ ଦୁର୍ବଳ କରିଥିଲା। ରାହୁଲ କିମ୍ବା ପ୍ରିୟଙ୍କା ମହାମେଣ୍ଟର ପ୍ରଚାର ଅଭିଯାନକୁ ଆଦୌ ଗୁରୁତ୍ବ ଦେଇନଥିଲେ।

ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାର ନକ୍‌ସା ନଥିଲା: ଆରଜେଡି ପକ୍ଷରୁ ନିର୍ବାଚନ ଇସ୍ତାହାରରେ ଏକାଧିକ ପ୍ରତିଶ୍ରୁତି ଦିଆଯାଇଥିଲା ସତ, ତେବେ ଏଗୁଡିକୁ ଦଳ କିଭଳି କାର୍ଯ୍ୟକାରୀ କରିବ, ସେ ସମ୍ପର୍କରେ ନକ୍‌ସା ଭୋଟରଙ୍କ ସାମନାରେ ଉପସ୍ଥାପନ କରାଯାଇନଥିଲା। ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରିଠାରୁ ଆରମ୍ଭ କରି ପେନସନ ବ୍ୟବସ୍ଥାରେ ଉନ୍ନତି, ମହିଳାଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ, ରାଜ୍ୟରୁ ମଦ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯିବା ଭଳି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଏଥିପାଇଁ କେଉଁଠୁ ପାଣ୍ଠି ଯୋଗାଡ କରାଯିବ କିମ୍ବା କିଭଳି ମାନଦଣ୍ଡ ପ୍ରସ୍ତୁତ କରାଯିବ, ସେ ସମ୍ପର୍କରେ ସୂଚନା ଦିଆଯାଇନଥିଲା। ଫଳରେ ଭୋଟରଙ୍କ ବିଶ୍ବାସ କମିଯାଇଥିଲା।

ଅଧିକ ମୁସଲମାନ ପ୍ରୀତି: ନିର୍ବାଚନରେ ମୁସଲିମ୍‌ କାର୍ଡ ଖେଳିବାକୁ ମହାମେଣ୍ଟ ଅଗ୍ରାଧିକାର ଦେଇଥିଲା। ଅବଶ୍ୟ କେତେକ ସ୍ଥାନରେ ମହାମେଣ୍ଟ ମୁସଲିମ ଭୋଟ ହାତେଇବାରେ ସଫଳ ହୋଇଛି। ତେବେ ମେଣ୍ଟର ଏହି ରଣନୀତିକୁ ଅନ୍ୟ ସଂପ୍ରଦାୟ ବିଶେଷ କରି ଯାଦବ ଗୋଷ୍ଠୀ ନାପସନ୍ଦ କରିଛନ୍ତି। କ୍ଷମତାକୁ ଆସିଲେ ରାଜ୍ୟରେ ୱାକଫ୍ ସଂଶୋଧନ ଆଇନକୁ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ତେଜସ୍ବୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ବିଜେପିକୁ ସୁହାଇଛି। ଅତୀତରେ ଲାଲୁପ୍ରସାଦ ଯାଦବ ଏହି ବିଲ୍‌କୁ ବିରୋଧ କରି ଯେଉଁ ଭାଷଣ ଦେଇଥିଲେ, ସେହି ଭିଡିଓକୁ ବିଜେପି ପ୍ରଚାର କାର୍ଯ୍ୟରେ ବ୍ୟବହାର କରି ଫାଇଦା ଉଠାଇଛି।

ଲାଲୁଙ୍କ ନୀତିରୁ ଦୂରେଇ ଯିବା ମହଙ୍ଗା ପଡ଼ିଲା: ଦିନ ଥିଲା ବିହାର ନିର୍ବାଚନରେ ଆରଜେଡି ସୁପ୍ରିମୋ ଲାଲୁୁପ୍ରସାଦ ଯାଦବଙ୍କ ପତିଆରା ରହିଥିଲା। ତେବେ ପିତାଙ୍କ ପଦାଙ୍କ ଅନୁସରଣ କରିବାରେ ତେଜସ୍ବୀ ଅନେକାଂଶରେ ବିଫଳ ହୋଇଛନ୍ତି। ଏଥର ତେଜସ୍ବୀ ଲାଲୁଙ୍କ ସାମାଜିକ ନ୍ୟାୟ ଫର୍ମୁଲା ଆପଣେଇଥିବାବେଳେ ଅନ୍ୟପଟରେ ‘ଜଙ୍ଗଲ ରାଜ’ ଅଭିଯୋଗରୁ ବର୍ତ୍ତିବାକୁ ଦଳୀୟ ପୋଷ୍ଟରରୁ ଲାଲୁଙ୍କ ଫଟୋ ହଟାଇ ଦେଇଥିଲେ। ତେଜସ୍ବୀଙ୍କ ଏଭଳି ଦୋମୁହାଁ ନୀତି ଓଲଟା ପ୍ରମାଣିତ ହୋଇଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories