ବ୍ୟାଙ୍କକ୍: କରୋନା ମହାମାରୀ ସଂକଟରୁ ଉଦ୍ଧାର ପାଇବା ପାଇଁ ସାରା ବିଶ୍ବ ଲଢ଼େଇ କରୁଛି। କରୋନା ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟିକା ବାହାରି ନ ଥିବାବେଳେ ଏହାକୁ କିଭଳି ପ୍ରତିହତ କରାଯାଇ ପାରିବ ସେଥିପାଇଁ ସବୁ ଦେଶ ଏହାକୁ ନେଇ ଅଧ୍ୟୟନ ଓ ଗବେଷଣା ଚଳାଇଛନ୍ତି। ବିଭନ୍ନ ଦେଶରେ ଲକ୍ଡାଉନ୍ ଯୋଗୁ ବିଶ୍ବ ଅର୍ଥନୈତିକ କ୍ଷେତ୍ର ଭୁଷୁଡ଼ି ପଡ଼ିଥିବାରୁ ଏହାକୁ ସୁଧାରିବା ପାଇଁ ଏବେ ଉଦ୍ୟମ ଆରମ୍ଭ ହୋଇଛି। ସେହିପରି ଅନ୍ତର୍ଜାତିକ ପର୍ଯ୍ୟଟନକୁ ପଞ୍ଜିକରଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। କଟକଣା ହଟାଇବା ସହିତ ଗମନାଗମନ ସୁବିଧା ପାଇଁ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇଛି। ଏବେ ଭାରତ ଓ ବ୍ରାଜିଲ୍ରେ କରୋନା ଭୂତାଣୁ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବିଶ୍ବସ୍ତରରେ କରୋନା ମହାମାରୀର ସେକେଣ୍ଡ ୱେଭ୍ ଆଜି ପର୍ଯ୍ୟନ୍ତ ଆସିନାହିଁ। ଏବେ ବିଶ୍ବସ୍ତରରେ କରୋନା ମହାମାରୀ ଫାଷ୍ଟ ୱେଭ୍ ବର୍ତ୍ତମାନ ମିଡିଲ୍ ଷ୍ଟେଜ୍ରେ ପହଞ୍ଚିଛି। ତେଣୁ କରୋନା ସଂକଟ ପ୍ରଥମ ଝଟକା ଶେଷ ହୋଇନାହିଁ। ଏଥିପାଇଁ ଲୋକେ ସାମାଜିକ ଦୂରତା ବଜାୟ ରଖିବା ସହିତ ସଚେତନ ରହିବା ଜରୁରୀ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି।
ଭାରତରେ କରୋନା ଭୂତାଣୁ ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ରହିଛି। ଆଜି ଗୋଟିଏ ଦିନରେ ୬,୫୩୫ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ଦେଶରେ କରୋନା ରୋଗୀ ସଂଖ୍ୟା ୧,୪୫,୩୮୦ରେ ପହଞ୍ଚିଛି। ସେଥିମଧ୍ୟରୁ ୪,୧୬୭ଜଣଙ୍କ ମୃତ୍ୟୁ ହୋଇଛି। ଭାରତର ପ୍ରମୁଖ ଜନଗହଳି ସହରରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଫଳରେ ଦେଶର ବଡ଼ ବଡ଼ ସହରରେ କିଭଳି କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରାଯାଇପାରିବ ସେଥିନେଇ ସରକାରଙ୍କୁ ବହୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡୁଛି। କାରଣ କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ କୌଣସି ଔଷଧ ଆଜି ପର୍ଯ୍ୟନ୍ତ ବାହାରି ପାରିନାହିଁ।
ମହାରାଷ୍ଟ୍ର, ମୁମ୍ବଇ, ଗୁଜରାଟ, ନୂଆଦିଲ୍ଲୀ, ତାମିଲନାଡୁ, ରାଜସ୍ତାନ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ବିହାର ଆଦି ରାଜ୍ୟଗୁଡ଼ିକରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ପ୍ରବାସୀ ଶ୍ରମିକ ନିଜ ଗ୍ରାମକୁ ଫେରିବା ପରେ ସେମାନଙ୍କଠାରେ ଅଧିକ ସଂଖ୍ୟାରେ କରୋନା ପଜିଟିଭ୍ ବାହାରୁଥିବା ଦେଖିବାକୁ ମିଳୁଛି। ଲକ୍ଡାଉନ୍ ସତ୍ତ୍ବେ ଭାରତରେ ଗ୍ରାମାଞ୍ଚଳଗୁଡ଼ିକ ବହୁ ପ୍ରବାସୀ ଶ୍ରମିକ ଯାଇ ଥିବାରୁ ତାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ନିକଟରେ ବିମାନ ଉଡ଼ାଣ ଆରମ୍ଭ ହୋଇଥିବାବେଳେ ଟ୍ରେନ୍ ଓ ବସ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଲୋକେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିବା ପରେ ଆଗକୁ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତେଣୁ କରୋନା ସଙ୍କଟ ଟଳିଗଲା ଭାବି ଚୁପ୍ ହୋଇ ବସିବା ଠିକ୍ ନୁହେଁ। କରେନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ସାଙ୍ଗକୁ ସବୁବେଳେ ସତର୍କ ରହିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।



