ପଶ୍ଚିମବଙ୍ଗ: ପଞ୍ଚମ ପର୍ଯ୍ୟାୟ ମତଦାନରେ ବି ହିଂସା, ବୁଥ୍ ଉପରେ ବୋମା ମାଡ଼ 

କଲକତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଶନିବାର ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ମାତ୍ର ଇତି ମଧ୍ୟରେ ଏଠାରୁ ପୁଣି ରାଜନୈତିକ ହିଂସାର ଖବର ସାମ୍ନାକୁ ଆସିଛି। କରୋନା ମହାମାରୀ ସମୟରେ ରାଜ୍ୟରେ ମତଦାନକୁ ନେଇ ବିବାଦ ବଢିବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ, ରାଜ୍ୟର ଉତ୍ତର ୨୪ ପ୍ରଗଣାସ୍ଥିତ ମିନାଖାନ ବୁଥ୍‌ରେ ବୋମା ମାଡ଼ ହୋଇଛି। ଏହା ବ୍ୟତୀତ ବର୍ଦ୍ଧମାନ ଉତ୍ତର ବିଧାନସଭା କ୍ଷେତ୍ରର ସରାୟଟୀକର ପ୍ରାଥମିକ ବିଦ୍ୟାଳୟ ବୁଥ୍‍ ସଂଖ୍ୟା ୬୦, ୬୧, ୬୩ ଓ ୭୨ରୁ ଏବଂ ନଦିଆ ଜିଲାରୁ ମଧ୍ୟ ହିଂସା ଓ ସଂଘର୍ଷର ଖବର ସାମ୍ନାକୁ ଆସିଛି। ଏହି ହଂସାକୁ ନେଇ ପୁଣିଥରେ ରାଜନୈତିକ ଦଳଗୁଡ଼ିକ ଆରୋପ-ପ୍ରତ୍ୟାରୋପ କରିବା ଆରମ୍ଭ କରିଦେଇଛନ୍ତି।

ଟିଏମ୍‍ସିର ଅଭିଯୋଗ: 

ତୃଣମୂଳ କଂଗ୍ରେସ ଫଟୋ ଜାରି କରି ଏହି ହିଂସା ପାଇଁ ଇଣ୍ଡିଆନ୍‍ ସେକ୍ୟୁଲାର ଫ୍ରଣ୍ଟ(ଆଇଏସ୍‍ଏଫ୍‍) କ୍ୟାଡର୍‍କୁ ଦାୟୀ କରିଛି। ଟିଏମ୍‍ସିର କହିବାନୁସାରେ, ମିନା ଖାନ ବୁଥ୍‍ ସଂଖ୍ୟା ୧୧୪ ଉପରେ ଆଇଏସ୍‍ଏଫ୍‍ କ୍ୟାଡର୍‍ ବୋମା ମାଡ଼ କରିଛନ୍ତି। ଯେଉଁଥିରେ କି ତାଙ୍କର ଦୁଇ କର୍ମକର୍ତ୍ତା ଆହତ ହୋଇଛନ୍ତି।

ବିଜେପି କର୍ମକର୍ତ୍ତାଙ୍କୁ ଛୁରୀରେ ଆକ୍ରମଣ: 

ଅପରପକ୍ଷରେ, ବର୍ଦ୍ଧମାନରେ ଏହି ଆକ୍ରମଣ ପାଇଁ ବିଜେପି ନେତା ଟିଏମ୍‍ସିକୁ ଦାୟୀ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ୪ର୍ଥ ପର୍ଯ୍ୟାୟ ମତଦାନ ସମୟରେ ମଧ୍ୟ ଭୀଷଣ ହିଂସା ଘଟିଥିଲା, ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ନିର୍ବାଚନ ଆୟୋଗ ମତଦାନ ସମୟରେ ଘଟୁଥିବା ହିଂସା ଘଟଣାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛନ୍ତି। ହେଲେ ଏହାଦ୍ୱାରା କୌଣସ ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ପୂର୍ବଭଳି ହିଂସା ଜାରି ରହିଛି। ଶନିବାର ସକାଳେ କଲକତାର ସଲ୍ଟଲେକ୍‍ ଅଞ୍ଚଳରେ ରାଜନୈତିକ ହିଂସା ଦେଖାଦେଇଛି। ଏଠାରେ ବିଜେପି କର୍ମକର୍ତ୍ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ଏହା ଆକ୍ରମଣ ପାଇଁ ଟିଏମ୍‍ସି କର୍ମକର୍ତ୍ତାଙ୍କୁ ଦାୟୀ କରାଯାଇଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୨୯୫ ବିଧାନସଭା ଆସନରୁ ୪୫ ଆସନ ପାଇଁ ଭୋଟ୍‍ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ ଜଲପାଇଗୁଡ଼ିର ସାତଟି ଆସନ, କାଲିମ୍ପଙ୍ଗର ଗୋଟିଏ ଆସନ, ଦାର୍ଜିଲିଂର ୫ ଟି, ନଦିଆର ଆଠଟି, ଉତ୍ତର ୨୪ ପ୍ରଗଣାର ୧୬ ଟି ଆସନ, ପୂର୍ବ ବର୍ଦ୍ଧମାନର ଆଠଟି ଆସନ ପାଇଁ ମତଦାନ ହେଉଛି।

 

 

Comments are closed.