www.samajalive.in
Saturday, December 13, 2025
21.1 C
Bhubaneswar

ଆଇଏମ୍‌ଡି ମୁଖ୍ୟଙ୍କ ମୌସୁମୀ ଆକଳନ

ଭୁବନେଶ୍ବର: ଚଳିତ ବର୍ଷ ଜୁନ୍‌ ମାସରେ ଓଡ଼ିଶାରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇପାରେ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏସନ ରାଜ୍ୟରେ ମିଶ୍ରିତ ବର୍ଷା ଆଣିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି। ବିଶେଷ କରି ଜୁନରୁ ସେପ୍ଟେମ୍ବର ମଧ୍ୟରେ କିଛି ଅଞ୍ଚଳରେ ସ୍ବାଭାବିକ ବର୍ଷା ହେବାକୁ ଥିବାବେଳେ ଆଉ କିଛି ଅଞ୍ଚଳରେ କମ୍‌ ଏବଂ କେତେକ ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମୌସୁମୀ ଆଭ୍ୟନ୍ତରୀଣ କ୍ଷେତ୍ର(କୋରଜୋନ୍‌) ମଧ୍ୟରେ କେନ୍ଦ୍ରୀୟ ଭାରତର ଅଞ୍ଚଳ ଗୁଡିକ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳ ରହିଛି। ମୌସୁମୀ କୋରଜୋନ ଏବଂ କେନ୍ଦ୍ରୀୟ ଭାରତରେ ସ୍ବାଭାବିକ ଓ

ସ୍ବାଭାବିକରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଓଡ଼ିଶାରେ ମିଶ୍ରିତ ବର୍ଷା ହୋଇପାରେ। ସାମ୍ବାଦିକ ସମ୍ମିଳନୀରେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଚଳିତ ବର୍ଷ ସମଗ୍ର ଦେଶରେ ମୌସୁମୀ ବାୟୁ ସ୍ବାଭାବିକ ବର୍ଷିବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୧୦୩ ପ୍ରତିଶତ ଲଙ୍ଗ୍‌ ପରିୟଡ ଆଭେରେଜ(ଏଲପିଏ) ବର୍ଷା ହେବ। ଯାହା ସ୍ବାଭାବିକରୁ ସାମାନ୍ୟ ଅଧିକ ହୋଇପାରେ। ପଶ୍ଚିମ ଭାରତ, ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଭାରତର ଉତ୍ତର ଭାଗରେ ବର୍ଷା ସ୍ୱାଭାବିକ ଓ ସ୍ୱାଭାବିକରୁ ଅଧିକ ହୋଇପାରେ। କେନ୍ଦ୍ରୀୟ ଭାରତରେ ୧୦୬ ପ୍ରତିଶତ ଏଲଏପି, ଦକ୍ଷିଣ ଉପଦ୍ବୀପରେ ୧୦୬ ପ୍ରତିଶତ ଏଲଏପି, ଉତ୍ତର-ପୂର୍ବ ଭାରତରେ ୯୬ରୁ ୧୦୬ ପ୍ରତିଶତ ଏଲଏପି ଏବଂ ଉତ୍ତର-ପଶ୍ଚିମ ଭାରତରେ ୯୨ରୁ ୧୦୮ ପ୍ରତିଶତ ଏଲଏପି ବର୍ଷା ହୋଇପାରେ। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସ୍ୱାଭାବିକରୁ କମ୍‌ ବର୍ଷା ଆଶଙ୍କା ରହିଛି। ଜୁନରେ ତାମିଲନାଡ଼ୁ, କେରଳ ଓ କର୍ଣ୍ଣାଟକର ଦକ୍ଷିଣ ଭାଗରେ କମ୍ ବର୍ଷା ହେବାର ଆକଳନ କରାଯାଇଛି। ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ତିନିଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’ ପୂର୍ବାନୁମାନ ଅନୁଯାୟୀ, ମୌସୁମୀର ଗତି ସାମାନ୍ୟ ଧିମା ରହିଛି। ମହାରାଷ୍ଟ୍ରରେ ଏବର୍ଷ ବିଳମ୍ବରେ ଛୁଇଁପାରେ। ପରେ ଓଡ଼ିଶା, ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ଜୁନ ୧୫ ପରେ ମୌସୁମୀ ପହଞ୍ଚିପାରେ ବୋଲି ସ୍କାଏମେଟ ଆକଳନ କରିଛି। କେରଳରେ ମେ ୨୯ରେ ମୌସୁମୀ ଛୁଇଁଥିଲେ ମଧ୍ୟ ଆଶାନୁରୂପ ବର୍ଷା ହେଉନାହିଁ। କିଛି ଅଞ୍ଚଳରେ କମ ବର୍ଷା ହୋଇଥିବାବେଳେ ଆଉ କିଛି ଅଞ୍ଚଳରେ ଆଦୌ ବର୍ଷା ହୋଇନାହିଁ।

- Advertisement -

ଆଇଏମଡିର ମହାନିର୍ଦେଶକ ଡ. ମହାପାତ୍ର କହିଛନ୍ତି, ମୌସୁମୀ ଜୁନ ଦ୍ବିତୀୟ ସପ୍ତାହରେ ରାଜ୍ୟକୁ ପ୍ରବେଶ କରିଥାଏ। କେରଳର ସମସ୍ତ ଅଞ୍ଚଳରେ ଏହା ପହଞ୍ଚି ସାରିଥିବା ବେଳେ କେନ୍ଦ୍ରୀୟ ଆରବ ସାଗର, କର୍ଣ୍ଣାଟକର କିଛି ଅଞ୍ଚଳ ଓ ତାମିଲନାଡୁର ଅଧିକାଂଶ ଅଞ୍ଚଳ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର କିଛି ଅଞ୍ଚଳ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର କେତେକ ଅଞ୍ଚଳ, ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗର କିଛି ସ୍ଥାନରେ ପ୍ରବେଶ କରିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ସ୍ପର୍ଶ କରିପାରେ। କର୍ଣ୍ଣାଟକର ଅଧିକାଂଶ ଅଂଶ ଓ ତାମିଲନାଡୁର ସମ୍ପୂର୍ଣ୍ଣ ଭାଗକୁ ମୌସୁମୀ ଅଗ୍ରସର ହେବାର ସମ୍ଭାବନା ରହିଛି। ତା’ପରେ ଏହା ପୂର୍ବ-କେନ୍ଦ୍ର ଭାରତରେ ପ୍ରବେଶ କରିବାକୁ ପାଗ ଅନୁକୂଳ ରହିବ। ସମଗ୍ର ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ହେଲା ପରେ ଓଡ଼ିଶାରେ ପହଞ୍ଚିବାକୁ ପାଗ ଅନୁକୂଳ ହୋଇଯିବ। ଏପର୍ଯ୍ୟନ୍ତ ସମଗ୍ର ବଙ୍ଗୋପସାଗରରେ ମୌସୁମୀ ସ୍ପର୍ଶ କରିନାହିଁ। ଓଡ଼ିଶାକୁ କେବେ ଛୁଇଁବ ସେ ସଂକ୍ରାନ୍ତରେ ଜୁନ ୫ ପରେ ଚିତ୍ର ସ୍ପଷ୍ଟ ହୋଇପାରେ।

ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି, ଉପକୂଳରେ ସ୍ବାଭାବିକରୁ କମ ବର୍ଷା ହେବାକୁ ଥିବାବେଳେ ଆଭ୍ୟନ୍ତରୀଣରେ ଅଧିକ ଏବଂ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ। ଜୁନ ମାସରେ ଚାଷୀ ଧାନ ବୁଣାବୁଣି କରିଥାନ୍ତି। ଏହି ମାସରେ ସ୍ବାଭାବିକରୁ ଅଧିକ ବର୍ଷା ହେବାକୁ ଥିବାରୁ ଚାଷ କାର୍ଯ୍ୟ ଆଗେଇବ। ଏହା ନିଶ୍ଚିତ ଭାବେ ଚାଷୀଙ୍କ ପାଇଁ ଖୁସି ଖବର। ଜୁନରୁ ସେପ୍ଟେମ୍ବରରେ ମିଶ୍ରିତ ବର୍ଷା ହେବାକୁ ଥିବାରୁ ଢିପ ଜମିରେ ସମସ୍ୟା ଦେଖାଦେଇପାରେ। ଖାଲୁଆ ଜମିରେ ଚାଷ କାର୍ଯ୍ୟରେ କିଛି ଅସୁବିଧା ରହିବ ନାହିଁ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories