Patra electronics

ବାପାର ଫର୍ଚୁନର ବନାମ ପୁଅର ସଫାରୀ, ରାସ୍ତା ମଝିରେ ହେଲା ଜୋରଦାର ଲଢ଼େଇ, ୫ ଜଣଙ୍କ ଉପରେ ଚଢ଼ାଇଲେ ଗାଡ଼ି

ସମାଜ ଡିଜିଟାଲ ଡେସ୍କ: ପରିବାର ଭିତରେ ଅନେକ ସମୟରେ ବିବାଦ ଦେଖାଦେଇଥାଏ। ହେଲେ ଏହି ବିବାଦର ଉଗ୍ର ରୂପ କିପରି ହୋଇଥାଏ ତାହା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଥାଣେ ସହରରେ। ବାପାର ଫର୍ଚୁନର ଏବଂ ପୁଅର ସଫାରି ଗାଡ଼ି ମଧ୍ୟରେ ରାସ୍ତା ମଝିରେ ହୋଇଛି ଜୋରଦାର ଲଢ଼େଇ। ଲଢ଼େଇ ସମୟରେ ୫ ଜଣଙ୍କ ଉପରେ ଚଢ଼ାଇ ଦେଇଛନ୍ତି ଗାଡ଼ି। ଏଭଳି ଛାତିଥରା ଘଟଣାର ଦୃଶ୍ୟ ସମ୍ବଳିତ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।

ସୂଚନା ଅନୁସାରେ, ଅମ୍ବରନାଥ ବାସିନ୍ଦା ବିନ୍ଦେଶ୍ଵର ଶର୍ମା ଏବଂ ତାଙ୍କ ବାପା ସତୀଶ ଶର୍ମାଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ତେବେ ବିନ୍ଦେଶ୍ଵର ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ରହିଥିବା ଏକ ବିବାଦର ସମାଧାନ ଲାଗି ସତୀଶ ନିଜ ଧଳା ଫର୍ଚୁନର କାରରେ ଅମ୍ବରନାଥ ଆସିଥିଲେ। ସେପଟେ ପୁଅ ବିନ୍ଦେଶ୍ଵର ନିଜର କଳା ସଫାରୀ କାରରେ ଆସିଥିଲେ। ଉଭୟଙ୍କ ଗାଡ଼ି ଆଗପଛ ହୋଇ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିଲା। କିନ୍ତୁ ସତୀଶ ଗାଡ଼ି ଡୋର ଖୋଲି ବାହାରେ ଛିଡ଼ା ହୋଇଥିବାବେଳେ ପଛରେ ଥିବା ବିନ୍ଦେଶ୍ଵର ତାଙ୍କ ସଫାରୀ ଗାଡ଼ିକୁ ଦ୍ରୁତଗତିରେ ନେଇ ସତୀଶଙ୍କ ଉପରେ ଚଢ଼ାଇଦେବାକୁ ଉଦ୍ୟମ କରିଥିଲେ। ହେଲେ ସତୀଶ ସାମାନ୍ୟ ରକ୍ଷା ପାଇଯାଇଥିଲେ। ଏତିକିରେ ବିନ୍ଦେଶ୍ଵର ଶାନ୍ତ ପଡ଼ି ନ ଥିଲେ। ଟିକେ ଆଗକୁ ଯାଇ ଗାଡ଼ି ବୁଲାଇ ଦ୍ରୁତ ଗତିରେ ସତୀଶଙ୍କ ଧଳା ଫର୍ଚୁନର କାରକୁ ଜୋରରେ ଧକ୍କା ଦେଇଥିଲେ। ସତୀଶଙ୍କ ଗାଡ଼ି ଅନେକ ଦୂର ପର୍ଯ୍ୟନ୍ତ ପଛକୁ ଚାଲିଯାଇଥିଲା। ଏହି ସମୟରେ ଫର୍ଚୁନର କାର ପଛରେ ଛିଡ଼ା ହୋଇଥିବା ୨ ବାଇକ ଆରୋହୀଙ୍କ ଉପରେ ଗାଡ଼ି ଚଢ଼ିଯାଇଥିଲା। ସେହିପରି କଳା ସଫାରୀ ଫର୍ଚୁନରକୁ ଧକ୍କା ଦେବା ପୂର୍ବରୁ କିଛି ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଏଭଳି ଦୃଶ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ଯେତିକି ଭୟଭୀତ କରିଥିଲା ସେତିକି ଆଶ୍ଚର୍ଯ୍ୟ ଚକ୍କିତ ମଧ୍ୟ କରିଥିଲା। ରାସ୍ତାରେ ଦୁଇଟି ଯାକ ଗାଡ଼ି ମଧ୍ୟରେ ଏକପ୍ରକାର ଜୋରଦାର ଲଢ଼େଇ ହେଉଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣାରେ ୫ ଜଣଙ୍କ ଉପରେ ଗାଡ଼ି ଚଢ଼ିଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ପୁଲିସ ଗାଡ଼ି ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି।

Comments are closed.