ବ୍ରହ୍ମପୁରରେ ହେବ ବର୍ଜ୍ୟ ପ୍ଲାଷ୍ଟିକ୍‍ ପରିଚାଳନା ୟୁନିଟ୍‍

0

ଭୁବନେଶ୍ୱର:ବ୍ରହ୍ମପୁରରେ ପ୍ରତିଦିନ ନିର୍ଗତ ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟର ସୁପରିଚାଳନା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପଦକ୍ଷେପ ଉଠାଇଛି। ବ୍ରହ୍ମପୁର ମହାନଗର ନିଗମରେ ୨ଟି ୟୁନିଟ୍‍ ନିର୍ମାଣ ଲାଗି ନିଷ୍ପତ୍ତି ନେଇଛି। ଏଥିପାଇଁ ଓଡ଼ିଶା ପରିବେଶ ପରିଚାଳନା ପାଣ୍ଠି(ଓଇଏମ୍‍ଏଫ୍‍)ରୁ ପ୍ରାୟ ୨୪ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଚଳିତମାସ ୨୨ରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ ବୈଠକରେ ପୂର୍ତ୍ତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍ତ୍ୱାବଧାନରେ ବର୍ଜ୍ୟ ପରିଚାଳନା ୟୁନିଟ୍‍ ତ୍ୱରିତ ନିର୍ମାଣ କରିବା ଲାଗି ନିଷ୍ପତ୍ତି ହୋଇଛି। ତେବେ ଭୁବନେଶ୍ୱର ମହାନଗର ନିଗମ ଏବଂ କଟକ ମହାନଗର ନିଗମରେ ବର୍ଜ୍ୟ ପରିଚାଳନା ୟୁନିଟ୍‍ ସ୍ଥାପନ ପାଇଁ ଦୀର୍ଘଦିନ ଧରି ପ୍ରସ୍ତାବ ଓ ନିର୍ଦେଶ ଥିଲେ ମଧ୍ୟ ତାହା ଶୀତଳଭଣ୍ଡାରରେ ରହିଥିବାକୁ ନେଇ ପରିବେଶବିତ୍‍ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଯୋଗ୍ୟ ଯେ ଭୁବନେଶ୍ୱର ଓ କଟକ ଦ୍ୱୈତନଗରୀରୁ ନିର୍ଗତ ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟକୁ ରାସ୍ତା ନିର୍ମାଣ କାର୍ଯ୍ୟରେ ଲଗାଇବାପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ପିସିବି) ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା। ୨୦୧୫ରେ ଏନେଇ ପିସିବି ସଦସ୍ୟ ସଚିବ ରାଜୀବ କୁମାର ବିଏମ୍‍ସି ଓ ସିଏମ୍‍ସି କମିଶନରଙ୍କୁ ପତ୍ର ଲେଖି ତୁରନ୍ତ ପଦକ୍ଷେପ ନେବାକୁ ଦର୍ଶାଇଥିଲେ। ୨୦୧୩ ବିଜ୍ଞପ୍ତିନାମାକୁ ଦର୍ଶାଇ କହିଥିଲେ ଯେ ଉଭୟ କମିଶନରେଟ୍‍ ଅଞ୍ଚଳରେ ବର୍ଜ୍ୟ ପ୍ଲାଷ୍ଟିକଗୁଡିକ ଏଣେତେଣେ ଯେଭଳି ଫିଙ୍ଗା ନଯିବ ବା ପୋଡା ନଯିବ ସେଥିପାଇଁ ଦୃଷ୍ଟି ଦିଅ। ଏଥିପାଇଁ ଟାସ୍କଫୋର୍ସ ଗଠନ କରାଯାଇ ସହରାଞ୍ଚଳ କେଉଁସ୍ଥାନରେ ପ୍ଲାଷ୍ଟିକ୍‍ ପୋଡାଯାଉଛି ବା ଏହାର କିଭଳି ବ୍ୟବହାର କରାଯାଉଛି ତାହା ତଦାରଖ କର। ଆବଶ୍ୟକ ପଡିଲେ ସେନେଇ ଟାସ୍କଫୋର୍ସ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇ ପାରିବ। ଏନେଇ ଦ୍ୱୈତନଗରୀ କମିଶନରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିପରି ୨୦୧୪ରେ ଏହାର ମାର୍ଗଦର୍ଶିକାକୁ ଅନୁସରଣ କରିବାକୁ କୁହାଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି ପାଳନ କରାଯାଉନାହିଁ। ଏହାବାଦ୍‍ ଭାରତୀୟ ରୋଡ୍‍ କଂଗ୍ରେସ ପକ୍ଷରୁ ମଧ୍ୟ ଏସଂକ୍ରାନ୍ତରେ ଏକ ନିର୍ଦେଶାବଳୀ ପ୍ରସ୍ତୁତ ହୋଇଛି, ତାହାକୁ ମଧ୍ୟ ଭ୍ରୂକ୍ଷେପ ନକରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ କୁମାର ଦର୍ଶାଇଥିଲେ।
ପରିବେଶ ନିରାପତ୍ତା ଆଇନ ୧୯୮୬ର ଅନୁଚ୍ଛେଦ-୫ଅନୁଯାୟୀ ସବୁ ସହରାଞ୍ଚଳରେ କିଭଳି ପ୍ଲାଷ୍ଟିକ୍‍ ବର୍ଜ୍ୟ ପରିଚାଳନା କରାଯାଉଛି ସେ ସମ୍ବନ୍ଧରେ ସଂପୃକ୍ତ ପୌରନିର୍ବାହୀ ଅଧିକାରୀ ଓ କମିଶନର ପ୍ରତ୍ୟେକ ବର୍ଷ ଜୁନ୍‍ ୩୦ ସୁଦ୍ଧା ପିସିବିକୁ ରିପୋର୍ଟ ଦେବାକଥା। ମାତ୍ର ଏନେଇ ମହାନଗର ଓ ପୌରାଞ୍ଚଳ ଅଧିକାରୀ ଧ୍ୟାନ ଦେଉ ନଥିବା ପିସିବି ପକ୍ଷରୁ ଜଣାଯାଇଛି। ୫ବର୍ଷ ହେଲା ବର୍ଜ୍ୟ ସୁପରିଚାଳନା ନେଇ ସରକାରୀ ନିର୍ଦେଶନାମା ଥିଲେ ହେଁ ତାହା କାର୍ଯ୍ୟକାରୀ ନହେବା ଯୋଗୁଁ ଦ୍ୱୈତନଗରୀକୁ ପ୍ଲାଷ୍ଟିକ ବର୍ଜ୍ୟ ଅସ୍ତବ୍ୟସ୍ତ କରିପକାଉଛି। ବିଏମ୍‍ସି ଓ ସିଏମ୍‍ସି କର୍ତ୍ତୃପକ୍ଷ ନିରବରେ ବସି ରହିବାବେଳେ ପରିବେଶ ପ୍ରଦୂଷଣ ଆହ୍ୱାନ ସୃଷ୍ଟି କରୁଛି ବୋଲି କେତେକ ପରିବେଶବିତ୍‍ ମତ ପ୍ରକାଶ କରିଛନ୍ତି। ନିକଟରେ ବିଭାଗ ପକ୍ଷରୁ ସଫଳତା ରିପୋର୍ଟ କାର୍ଡ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲେ ବି ବିଏମ୍‍ସି କର୍ତ୍ତୃପକ୍ଷ ଉତ୍ତର ଦେଇ ନଥିଲେ।

Leave A Reply