ଅଦାଲତ ଅବମାନନା ମାମଲା: ଉଷା ପାଢ଼ୀଙ୍କ ବିରୋଧରେ ଗିରଫ ପରୱାନା
କଟକ: ପ୍ରାଥମିକ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଅନିୟମିତତାକୁ ନେଇ ପୃଥକ ଦୁଇଟି ମାମଲାର ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍) ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୂର୍ବତନ ସଚିବ ଉଷା ପାଢୀଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୌମେନ୍ଦ୍ର କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ୨୦୧୯, ଜୁନ୍ ୨୮ରେ ସ୍ୟାଟ୍ ମାମଲାର ଶୁଣାଣି କରି ୨୦୧୨, ମେ’ ୧୮ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ୨୦୧୯ ଜୁଲାଇ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଏଥିରେ ଅବହେଳା କରାଯାଏ; ତେବେ ପ୍ରତିପକ୍ଷ ପରବର୍ତ୍ତୀ ଶୁଣାଣିବେଳେ ବ୍ୟକ୍ତିଗତ ହାଜର ହେବେ ବୋଲି ସ୍ୟାଟ୍ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ମାମଲାର ଶୁଣାଣିରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ୨୦୧୨, ମେ’ ୧୮ର ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ଅନ୍ୟପକ୍ଷରେ ପ୍ରତିପକ୍ଷ ବ୍ୟକ୍ତିଗତ ହାଜର ନ ହୋଇ ହାଇକୋର୍ଟରେ ରିଭ୍ୟୁ ପିଟିସନ୍ ଦାୟର କରାଯାଇଛି ବୋଲି ଦର୍ଶାଇ ଅଦାଲତ ଅବମାନନା ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ପ୍ରାର୍ଥନା କରିଥିଲେ। ସ୍ୟାଟ୍ ଏପରି ପ୍ରାର୍ଥନାକୁ ଅଗ୍ରାହ୍ୟ କରିତତ୍କାଳୀନ ଗଣଶିକ୍ଷା ସଚିବ ଉଷା ପାଢୀଙ୍କ ବିରୋଧରେ ଗିରଫ ପରୱାନା ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
୧୯୯୧ ମସିହାରେ ସାଲେପୁର ଶିକ୍ଷା ଜିଲ୍ଲା ଅଧିନରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରସ୍ତୁତ ଗ୍ରେଡେସନ୍ ତାଲିକା ଅନୁଯାୟୀ ୧୯୯୨ରେ ୬୧୭ ନମ୍ବର ସ୍ଥାନ ପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରାଯାଇଥିଲା। କିନ୍ତୁ ତାଲିକାର ୩୧୭ରେ ଥିବା ଲୋକନାଥ କର ଓ ୫୧୪ ସ୍ଥାନରେ ଥିବା ରାଜଶ୍ରୀ ଜେନାଙ୍କୁ ନିଯୁକ୍ତି ଦିଆଯାଇ ନଥିଲା। ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି ଉଭୟେ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ୪ ମାସ ଭିତରେ ନିଯୁକ୍ତି ଦେବାକୁ ସ୍ୟାଟ୍ ୨୦୧୨, ମେ’ ୧୮ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ତତ୍କାଳୀନ ବିଭାଗୀୟ ସଚିବ ଉଷା ପାଢୀ ଓ ଅନ୍ୟ ପ୍ରତିପକ୍ଷଙ୍କ ବିରୋଧରେ ସ୍ୟାଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ବାରମ୍ବାର ରାଜ୍ୟ ସରକାରଙ୍କ ପକ୍ଷରୁ ମହଲତ ନିଆଯାଇଥିଲେ ମଧ୍ୟ ଆବେଦନକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ନ ଥିଲା। ୨୦୧୫, ନଭେମ୍ବର ୨୪ରେ ସ୍ୟାଟ୍ ମାମଲାର ଶୁଣାଣି କରି ତତ୍କାଳୀନ ଗଣଶିକ୍ଷା ସଚିବ ଉଷା ପାଢୀଙ୍କ ନୂଆଦିଲ୍ଲୀସ୍ଥିତ ଠିକଣାରେ ଗିରଫ ପରୱାନା ଜାରି କରିଥିଲେ। ଏହି ଆଦେଶ ବିରୋଧରେ ସରକାର ଦାୟର କରିଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଗିରଫ ପରୱାନା ଉପରେ ରହିତାଦେଶ ଜାରି କରିଥିଲେ। ୨୦୧୯, ଏପ୍ରିଲ ୪ ରେ ସରକାରଙ୍କ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ସରକାରଙ୍କ ୨୦୧୩, ନଭେମ୍ବର ୨୮ ଚିଠିରେ ଆବେଦନକାରୀଙ୍କୁ ନିଯୁକ୍ତି ଦେବା ସମ୍ବନ୍ଧରେ ଆଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଦୃଷ୍ଟିରୁ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇ ଗିରଫ ପରୱାନା ଉପରୁ ରହିତାଦେଶ ଉଠାଇ ଦେଇଥିଲେ। ଏହା ପରେ ଅଦାଲତ ଅବମାନନା ମାମଲାର ଶୁଣାଣି ସ୍ୟାଟରେ ଚାଲିଛି।
Comments are closed.