ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଭୟଙ୍କର ରୂପ ନେଇଛି। ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍ସିଏସ୍ଟିଆର୍ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିଛି । ବିଭାଗ ପକ୍ଷରୁ ଭର୍ଚୁଆଲ ମୋଡ୍ରେ ପ୍ରତି ରବିବାର ଦିନ ସଂଗ୍ରହାଳୟକୁ ବୁଲିବାର ବ୍ୟବସ୍ଥା କରାଯାଇଛି। ମେ’ ୩୦ ରବିବାରରେ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଜୁଆଙ୍ଗମାନଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

ଓଡ଼ିଶାର ଆଦିମ ଜନଜାତିଙ୍କ ମଧ୍ୟରେ ଜୁଆଙ୍ଗ ଅନ୍ୟତମ । ମୁଖ୍ୟତଃ ସେମାନେ କେଉଁଝର ଓ ଢେଙ୍କାନାଳ ଜିଲ୍ଲାରେ ବସବାସ କରିଥା’ନ୍ତି। ସେମାନେ କୃଷି, ପୋଡ଼ୁଚାଷ, ଶିକାର ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ଅତୀତ ରେ ସେମାନେ ପତ୍ର ପରିଧାନ କରୁଥିବାରୁ ସେମାନଙ୍କୁ ‘ପାଟୁଆ’ କୁହାଯାଉଥିଲା। ଦୁଇ ପ୍ରକାରର ଜୁଆଙ୍ଗଙ୍କ ମଧ୍ୟରେ ପାହାଡ଼ି ଜୁଆଙ୍ଗମାନେ କେଉଁଝର ଓ ପାଲଲହଡ଼ାର ପାର୍ବତ୍ୟାଞ୍ଚଳରେ ରହୁଥିବାବେଳେ ଅନ୍ୟମାନେ ଢେଙ୍କାନାଳ ଓ କେଉଁଝର ଜିଲ୍ଲାର ସମତଳ ଅଞ୍ଚଳରେ ବାସ କରିଥାନ୍ତି। ପାର୍ବତ୍ୟାଞ୍ଚଳରେ ରହୁଥିବା ଜୁଆଙ୍ଗମାନେ ଏବେ ମଧ୍ୟ ପୋଡ଼ୁଚାଷ କରୁଥିବାବେଳେ ସମତଳିଆ ଅଞ୍ଚଳରେ ବାସ କରୁଥିବା ଜୁଆଙ୍ଗମାନେ ବିଶେଷତଃ କୃଷି ଉପରେ ନିର୍ଭରଶୀଳ। କେଉଁଝରର ଗୋନାସିକା ପର୍ବତମାଳାର ଜୁଆଙ୍ଗ ‘ପିଢ଼’କୁ ଏହି ଜନଜାତି ସେମାନଙ୍କର ଜନ୍ମଭୂମି ଭାବେ ଗ୍ରହଣ କରିଥାନ୍ତି। ଏହି ଅଞ୍ଚଳର ଜୁଆଙ୍ଗ ଥାନିଆ (ମୂଳ ଅଧିବାସୀ) ନାମରେ ନାମିତ। ଯେଉଁ ଜୁଆଙ୍ଗ ଜନଜାତିମାନେ କେଉଁଝର ଓ ଢେଙ୍କାନାଳ ଜିଲ୍ଲାରେ ବାସ କରୁଛନ୍ତି ସେମାନେ ‘ଭାଗୁଡ଼ିଆ’ ନାମରେ ପରିଚିତ। ଜୁଆଙ୍ଗ ‘ପିଢ଼’କୁ ୪ଟି ଭାଗ ଯଥା ସାତଖଣ୍ଡ, ଝାରଖଣ୍ଡ, କାଠୁଆ ଓ ରେବେନା ଭାବେ ବିଭକ୍ତ କରାଯାଇଥାଏ। ପ୍ରତ୍ୟେକ ‘ପୀଢ଼’ ଜଣେ ମୁଖ୍ୟ ସର୍ଦ୍ଦାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଜୁଆଙ୍ଗ ସମାଜର ମୁଖ୍ୟ ହେଉଛି ସେମାନଙ୍କର ପାରମ୍ପରିକ ଡରମିଟୋରୀ, ମଜାଙ୍ଗ କିମ୍ବା ମନ୍ଦାଘର। ମଜାଙ୍ଗ ସମ୍ମୁଖରେ ଯୁବକ ଓ ଯୁବତୀମାନେ ନୃତ୍ୟ, ଗୀତ ପରିବେଷଣ କରିଥା’ନ୍ତି। ‘ମଜାଙ୍ଗ’ ହେଉଛି ଏକ ଚତୁର୍ଭୂଜାକାର ଗୃହ, ଯାହାକି ଗ୍ରାମର କେନ୍ଦ୍ର ଭାଗରେ ରହିଥାଏ। ଏହା ଯୁବକଯୁବତୀଙ୍କ ନିମନ୍ତେ କମ୍ୟୁନିଟି ହାଉସ୍, ବୟସ୍କଙ୍କ ନିମେ; କୋର୍ଟହାଉସ୍ ଭାବେ କାର୍ଯ୍ୟ କରିବା ସହିତ ଏଠାରେ ସର୍ବସାଧାରଣଙ୍କ ପାଇଁ ଶସ୍ୟ ଗଚ୍ଛିତ ରଖାଯାଇଥାଏ।



