ଓଡ଼ିଆ ଅସ୍ମିତାର ଗାଥା

ପୁଣ୍ୟତୋୟା ପୁଣ୍ୟଭୂମି ଉତ୍କଳ। ଉଡ୍ର, କଳିଙ୍ଗ, ଉତ୍କଳ ନାମରେ ନାମିତ ଏହି ପ୍ରାଚୀନ ଭୂଖଣ୍ଡ ପବିତ୍ର ଭାରତ ଭୂମିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏହି ଭୂଭାଗ ସମ୍ପର୍କରେ ପ୍ରାଚୀନ ଭାରତୀୟ ଇତିହାସର ଉତ୍ସ ସ୍କନ୍ଦ ପୁରାଣରେ, ମୌର୍ଯ୍ୟଯୁଗର ଐତିହାସିକ ଗ୍ରନ୍ଥ କୌଟିଲ୍ୟଙ୍କ ରଚିତ ଅର୍ଥଶାସ୍ତ୍ର ଏବଂ ଗୁପ୍ତ ବଂଶର ରାଜତ୍ବ ସମୟରେ ମହାକବି କାଳିଦାସଙ୍କ ଦ୍ୱାର ରଚିତ ମହାକାବ୍ୟ ରଘୁବଂଶ ଆଦିରେ ବର୍ଣ୍ଣିତ ହୋଇଛି। ପୌରାଣିକ ଉପାଖ୍ୟାନ ଅନୁଯାୟୀ ଏହି ଜାତିର ବୀର କଳିଙ୍ଗପୁତ୍ର ରାଜା ଶ୍ରୁତାୟୁଙ୍କ ନେତୃତ୍ୱରେ ୧ଲକ୍ଷ ହସ୍ତୀବାହିନୀ ସହିତ ମହାଭାରତ ଯୁଦ୍ଧରେ ଯୋଗ ଦେଇଥିଲେ। ଐତିହାସିକ ତଥ୍ୟ ଅନୁଯାୟୀ ଖ୍ରୀପୂ ତୃତୀୟ ଶତାବ୍ଦୀରେ ବୀର କଳିଙ୍ଗ ଜାତି ମୋର୍ଯ୍ୟ ସମ୍ରାଟ ଅଶୋକଙ୍କ ସହିତ ଯୁଦ୍ଧ କରି ବୀରତ୍ୱର ପରାକାଷ୍ଠାକୁ ପ୍ରତିପାଦିତ କରିଥିଲା। ଲକ୍ଷ ଲକ୍ଷ କଳିଙ୍ଗ ପୁତ୍ର ଜନ୍ମଭୂମି ପାଇଁ ପ୍ରାଣବଳି ଦେଇଥିଲେ। ଏହି ମାଟିରେ ନିଷ୍ଠୁର ଚଣ୍ଡାଶୋକ ଉପଲବ୍‌ଧି କରିଥିଲେ ହିଂସା ପ୍ରଣୋଦିତ ତରବାରିର ଜୟ ପ୍ରକୃତ ଜୟ ନୁହେଁ, ହୃଦୟର ଜୟ ହିଁ ପ୍ରକୃତ ଜୟ। ଶାନ୍ତି ପ୍ରତିଷ୍ଠାର ଶୁଭ ଶଙ୍ଖଧ୍ୱନିର ମଧୁର ମୂର୍ଚ୍ଛନା, ବୌଦ୍ଧ ସନ୍ନ୍ୟାସୀ ଉପଗୁପ୍ତଙ୍କ ଠାରୁ ବୈାଦ୍ଧ ଧର୍ମ ଗ୍ରହଣ କରି ସେ ପରିବର୍ତ୍ତିତ ହୋଇଥିଲେ ଧର୍ମାଶୋକରେ। ଆରମ୍ଭ ହୋଇଥିଲା ଶାନ୍ତି, ମୈତ୍ରୀ, ଶ୍ରଦ୍ଧାର ଯୁଗ। ‘ଅହିଂସା ପରମଧର୍ମ’ର ଆଧାରରେ ସମଗ୍ର ପୃଥିବୀରେ ପରିବ୍ୟାପ୍ତ ହୋଇଥିଲା ବୌଦ୍ଧ ଧର୍ମର ଉଦାତ୍ତ ବାଣୀ।
ପ୍ରାଚୀନ କଳିଙ୍ଗର ସୁସମୃଦ୍ଧ ନୈାବାଣିଜ୍ୟ ପରମ୍ପରାରେ ଏହି ମାଟିର ଓଡିଆ ସାଧବପୁଅ ବାଲି, ସୁମାତ୍ରା, ଜାଭା, ବୋର୍ଣ୍ଣିଓ ପ୍ରଭୃତି ଦ୍ବୀପାଞ୍ଚଳ ସହିତ ନୌବାଣିଜ୍ୟରେ ଉତ୍କଳ ଜାତିର ଗୌରବକୁ ପ୍ରତିପାଦିତ କରି ବିଶାଳ ବୋଇତରେ ପଣ୍ୟ ଦ୍ରବ୍ୟକୁ ବୋଝେଇ କରି ଜଳପଥରେ ଯାତ୍ରା କରୁଥିଲେ। ପ୍ରସିଦ୍ଧ ନୌଶାସ୍ତ୍ରବିତ୍‍ ଟଲେମୀ ପ୍ରଥମଶତାବ୍ଦୀରେ ରଚିତ ବିଶ୍ୱ ଭୂଗୋଳ ଗ୍ରନ୍ଥରେ କଳିଙ୍ଗର ୬ଟି ପ୍ରସିଦ୍ଧ ବନ୍ଦର ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ମହାନଦୀର ମୁହାଣରେ ଅବସ୍ଥିତ ମନ୍ନଦ, କୋଣାଗାର, କଟିକର୍ଦ୍ଦମ, ପାଲୁର, ଆଫେତେରିଆନ୍‍ ଓ ତାମ୍ରଲିପ୍ତ ଆଦି କଳିଙ୍ଗର ପ୍ରସିଦ୍ଧ ବନ୍ଦରଗୁଡିକରୁ ଯାତ୍ରା କରି ଏହି ମାଟିର ସମୃଦ୍ଧି ବିଭବକୁ ଉତ୍କର୍ଷର ଚରମ ଶୀର୍ଷରେ ପହଞ୍ଚାଇ ପାରିଥିଲେ। ଷଷ୍ଠ ଶତାବ୍ଦୀର ଧର୍ମୀୟ ଧାରଣାରେ ଏହି ଭୂଖଣ୍ଡ ଏକ ପ୍ରସିଦ୍ଧ ତନ୍ତ୍ରପୀଠର ମାନ୍ୟତା ହାସଲ କରିଥିଲା। ଚୀନ ପରିବ୍ରାଜକ ହୁଏନସାଂଙ୍କ ଭ୍ରମଣବୃତ୍ତାନ୍ତରୁ ଜଣାଯାଏ ଚୀନଦେଶର ରାଜକୁମାରୀ ବୌଦ୍ଧତନ୍ତ୍ର ବିଦ୍ୟା ଶିକ୍ଷା ନିମନ୍ତେ ପୋତ ଦ୍ୱାରା କଳିଙ୍ଗସାଗରରେ ଆସି ମନ୍ନଦ ବନ୍ଦର ଦେଇ ଚେଳିତୋଳ ବନ୍ଦରକୁ ଯାତ୍ରା କରିଥିଲେ। ସେଠାରୁ ସେ ପୁରାତନ ବୌଦ୍ଧବିଶ୍ୱବିଦ୍ୟାଳୟ ପୁଷ୍ପଗିରିକୁ ଯାଇ ତନ୍ତ୍ରଶିକ୍ଷା କରିଥିଲେ। ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲାର ରତ୍ନଗିରି ପାହାଡ଼ରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ଦେଖିବାକୁ ମିଳିଥାଏ। ପରବର୍ତ୍ତୀ ସମୟରେ ଶାକ୍ତ, ଶୈବ, ବୈଷ୍ଣବ ଧର୍ମ, ସର୍ବସମ୍ମତ ଜଗନ୍ନାଥ ଧର୍ମର ମହନୀୟତାରେ ଉଦବୁଦ୍ଧ ଶଙ୍କରାଚାର୍ଯ୍ୟ, ନିମାର୍କ, ରାମାନୁଜ, ଚୈତନ୍ୟ ପ୍ରଭୃତି ବିଭିନ୍ନ ମତର ପ୍ରତିଷ୍ଠାପକମାନଙ୍କୁ ଆକର୍ଷିତ କରିଥିଲା ଏହି ପବିତ୍ର ତପୋଭୂମି। ଅଷ୍ଟମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ କେଶରୀ ବଂଶ (ସୋମବଂଶ) ଗଙ୍ଗ ବଂଶର ରାଜତ୍ୱ ସମୟରେ ପ୍ରବୀଣ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ସୃଷ୍ଟି କରିଥିଲେ ମନ୍ଦିର ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ଏକାମ୍ର କାନନର ଲିଙ୍ଗରାଜ ମନ୍ଦିର, ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର, ଅର୍କକ୍ଷେତ୍ରରେ ନିର୍ମିତ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। ଏତଦ୍‍ ବ୍ୟତୀତ ସଂଗୀତ, ନୃତ୍ୟ, ଚିତ୍ରକଳାର ସାଂସ୍କୃତକି ବିଭବରେ ଉତ୍କଳ ଉତ୍କର୍ଷତାର ଚରମ ଶୀର୍ଷରେ ପହଞ୍ଚିଥିଲା ତାର ଚାକ୍ଷୁଷ ପ୍ରମାଣ ଫୁଟିଉଠିଛି ଶିଳ୍ପୀର ନିହାଣ, ମୁଗୁରରେ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ଗାତ୍ରରେ ନିର୍ମିତ ନର୍ତ୍ତକୀ ଓ ବାଦିକା ପ୍ରତିମୂର୍ତ୍ତିରେ।
ପ୍ରତିଟି କ୍ଷେତ୍ରରେ ଉତ୍କର୍ଷତାକୁ ପ୍ରତିପାଦିତ କରିଥିବା ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ମଧ୍ୟ ସ୍ୱକୀୟ ଗରିମାକୁ ବଜାୟ ରଖି ପାରିଥିଲା। ସେତେବେ​‌େ​‌ଳ ସମଗ୍ର ଭାରତବର୍ଷରେ ସଂସ୍କୃତ ଭାଷା, ପ୍ରାକୃତ ବା ପାଲି ଭାଷା ପ୍ରାଧାନ୍ୟ ଲାଭ କରିଥିଲା। ତେଣୁ ସେହି ସମୟରେ ରଚିତ ଗ୍ରନ୍ଥଗୁଡିକ ମୁଖ୍ୟତଃ ଏହି ଭାଷାରେ ହିଁ ଚରିତ ହୋଇଥିବାର ଗୁପ୍ତ ଓ ମାଠର ବଂଶର ଦାନପତ୍ରଗୁଡିକରୁ ମିଳିଥିବା ତଥ୍ୟରୁ ଜଣାଯାଏ। ତେଣୁ ପଞ୍ଚମରୁ ଦଶମ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଦ୍ୱାନମାନେ ଏହି ଭାଷାରେ ମୂଲ୍ୟବାନ ଗ୍ରନ୍ଥ ରଚନା କରି ବୌଦ୍ଧିକତାକୁ ପ୍ରତିପାଦିତ କରିପାରିଥିଲେ। ଭୁବନେଶ୍ୱର ସଂଗ୍ରହାଳୟରେ ଓଡ଼ିଶାର ସୁପ୍ରସିଦ୍ଧ ବିଦ୍ୱାନମାନଙ୍କ ଦ୍ୱାରା ରଚିତ ୪୦ହଜାର ପ୍ରାଚୀନ ଗ୍ରନ୍ଥ ସଂଗ୍ରହ କରି ରଖାଯାଇଛି, ଯାହା ଭାରତର କୌଣସି ସଂଗ୍ରହାଳୟରେ ଦେଖିବାକୁ ମିଳେ ନାହିଁ।
ପ୍ରତିଟି କ୍ଷେତ୍ରରେ ଗୌରବର ଧ୍ୱଜା ଉଡାଇଥିବା ପ୍ରାଚୀନ ଉତ୍କଳ ପ୍ରଦେଶର ପତନ ଆରମ୍ଭ ହୁଏ ୧୫୬୮ ଖ୍ରୀଷ୍ଟାବ୍ଦରେ ଆଫଗାନ ଜାତିର ଅନୁପ୍ରବେଶରେ। ଆଫଗାନ ଶାସକ ସୁଲେମାନ କାରାନୀଙ୍କ ଦ୍ୱାରା ପରାଜିତ ହୁଅନ୍ତି ଗଜପତି ମୁକନ୍ଦ ଦେବ। ଓଡ଼ିଶାର ସ୍ୱାଧୀନଶାସକ ମୁକୁନ୍ଦ ଦେବଙ୍କ ପତନ ପରେ ଉତ୍କଳ ଭୂମିରେ ଆରମ୍ଭ ହେଲା ଅନ୍ଧକାରର ଯୁଗ। ଏହି ଅନ୍ଧକାରର କାଳିମା ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ, ଶିକ୍ଷା ଆଦି କ୍ଷେତ୍ରକୁ ଆଚ୍ଛାଦିତ କରି ଓଡିଆ ଜାତିକୁ ପଙ୍ଗୁ କରିଦେଲା, ଓଡିଆ ପ୍ରାଣରେ ଅଙ୍କୁରିତ ହେଲା ହୀନମନ୍ୟତାର ବୀଜ। ଏପରି ଏକ ସଙ୍କଟଜନକ ପରିସ୍ଥିତି ୧୫୬୮ରୁ ୧୮୫୦ ମଧ୍ୟରେ ଓଡ଼ିଶା ଗତି କରୁଥିବାବେଳେ; କିନ୍ତୁ ସୃଜନଶୀଳ ବ୍ୟକ୍ତିମାନଙ୍କର ସାରସ୍ୱତ ସାଧନାର ଧାରା ଅବ୍ୟାହତ ରହିଥିଲା।
ପରବର୍ତ୍ତୀ ସମୟରେ ୧୮୦୩ ମସିହାରେ ବ୍ରିଟିଶ ସରକାର ଓଡ଼ିଶାର ଶାସନଭାର ଗ୍ରହଣ କରିବା ଠାରୁ ୧୯୦୨ ମସିହା ଦୀର୍ଘ ଏକ ଶତାବ୍ଦୀବ୍ୟାପୀ କାଳକୁ ଓଡିଆ ସାହିତ୍ୟର ଅନ୍ଧକାର ଯୁଗର ଆଖ୍ୟାା ଦିଆଯାଇପାରେ। ସେ ଯାହାହେଉ ଊନବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧହିଁ ଥିଲା ଉଷାକାଳର ଯୁଗ। ପରାଧୀନ ଓଡ଼ିଶାର ଆକାଶରେ ଏହି ସମୟରେ ପହିଲି ଉଷାର କିରଣ ସଦୃଶ ଶିକ୍ଷାର ଆଲୋକ ପ୍ରଦୀପ ପ୍ରଜ୍ବଳିତ ହୋଇପାରିଥିଲା। ଓଡ଼ିଶାର ଖ୍ରୀଷ୍ଟିଆନ ମିସନାରୀମାନଙ୍କର ଆଧୁନିକ ଶିକ୍ଷାର ପ୍ରସାର ପାଇଁ ପ୍ରାଥମିକ ପ୍ରଚେଷ୍ଟା ଧର୍ମପ୍ରଚାରମୂଳକ ହେଲେ ମଧ୍ୟ ତାହା ଶିକ୍ଷାର ଆଲୋକବର୍ତ୍ତିକା ସୃଷ୍ଟିରେ ସହାୟକ ହୋଇପାରିଥିଲା। ଏହି ମିସନାରୀମାନେ ପ୍ରଥମେ ୧୮୩୬ରେ ମୁଦ୍ରଣ ଯନ୍ତ୍ର କଟକଠାରେ ପ୍ରତିଷ୍ଠା କରିଥିଲେ। ମିସନ ପ୍ରେସ୍‍ ନାମରେ ନାମିତ ଏହି ମୁଦ୍ରଣ ପ୍ରେସ୍‌ରେ ପ୍ରଥମେ ଓଡିଆ ଭାଷାର ଗଦ୍ୟ ରଚନା ମୁଦ୍ରିତ ହୋଇଥିଲା। ୧୮୬୬ ମସିହାରେ ଓଡ଼ିଶାରେ ଦେଖାଦେଇଥିବା ନଅଙ୍କ ଦୁର୍ଭିକ୍ଷରେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଥିଲା। ଏହି ନଅଙ୍କ ଦୁର୍ଭିକ୍ଷର କରାଳଛାୟା ସମଗ୍ର ଓଡ଼ିଶାକୁ ଶ୍ମଶାନରେ ପରିଣତ କରିଦେଇଥିଲେ ମଧ୍ୟ ଏହାର ପାଉଁଶ ନିଆଁରୁ ଓଡିଆଙ୍କ ପ୍ରାଣରେ ଜାତୀୟ ଚେତନାର ବହ୍ନି ପ୍ରଜ୍ଜ୍ବଳିତ ହୋଇଥିଲା। ସେହି ବର୍ଷ ୧୮୬୬-୬୭ ରେ କର୍ମବୀର ଗୌରୀଶଙ୍କର ରାୟଙ୍କ ପ୍ରଚେଷ୍ଟା ଓ କଣ୍ଟାବଣିଆର ବିଚିତ୍ରାନନ୍ଦ ଦାସଙ୍କ ସହାୟତାରେ କଟକ ପ୍ରିଣ୍ଟିଂ କମ୍ପାନୀ ନାମରେ ଏକ ପ୍ରିଣ୍ଟିଂ ପ୍ରେସ୍‍ ପ୍ରତିଷ୍ଠା ହୋଇଥିଲା। ସେହିଠାରୁ ଗୌରୀଶଙ୍କର ରାୟଙ୍କ ସମ୍ପାଦନରେ ଉତ୍କଳଦୀପିକା ନାମରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଆତ୍ମପ୍ରକାଶ କରି ଥିଲା। ଏହା ମାଧ୍ୟମରେ ଓଡିଆଙ୍କ ଦୁଃଖ ଦୁର୍ଦଶା ପ୍ରତି ବ୍ରିଟିଶ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ବାଲେଶ୍ୱର ଠାରେ ଫକିର ମୋହନ ସେନାପତି ଓ ଶ୍ୟାମସୁନ୍ଦର ଦେ ୨ଟି ପ୍ରିଣ୍ଟିଂ କମ୍ପାନୀ ପ୍ରତିଷ୍ଠା କରି ସମ୍ବାଦ ବାହିକା ଓ ଉତ୍କଳ ଦର୍ପଣ ନାମରେ ଦୁଇଟି ସମ୍ବାଦପତ୍ର ପ୍ରକାଶିତ କରିଥିଲେ। ସେହିପରି ପଶ୍ୱିମ ଓଡ଼ିଶାର ବାମଣ୍ଡା ଗଡ଼ଜାତ (ଦେବଗଡ଼)ର ଶାସକ ବାସୁଦେବ ସୁଢଳ ଦେବଙ୍କ ପ୍ରଚେଷ୍ଟାରେ ଏକ ପ୍ରିଣ୍ଟିଂ ପ୍ରେସରୁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ସମ୍ବଲପୁର ହିତୈଷିଣୀ ନାମକ ଏକ ସମ୍ବାଦ ପତ୍ର ପ୍ରକାଶିତ ହୋଇଥିଲା। ବହୁ ଘାତପ୍ରତିଘାତ, ସାଧନା, ସଂଘର୍ଷ ମଧ୍ୟ ଦେଇ ଗତି କରିଥିବା ଓଡିଆ ଭାଷା ଆଜି ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି। ଏହି ମାଟିର କବି ଲେଖକଗଣ ଓଡିଆ ଭାଷା ସାହିତ୍ୟର ସମୃଦ୍ଧଭଣ୍ଡାର ସୃଷ୍ଟି କରି ଯାଇଛନ୍ତି ତାର ସଂରକ୍ଷଣ, ପ୍ରଚାର ପ୍ରସାର ସହ ନୂତନ ସାହିତ୍ୟ ସୃଷ୍ଟିରେ ବ୍ରତୀ ହେବା ଆମର ଲକ୍ଷ୍ୟ ହେବା ଆବଶ୍ୟକ। ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନକୁ ବଜାୟ ରଖିବା ପ୍ରତ୍ୟେକ ଓଡିଆଙ୍କ ଧ୍ୟେୟ ହେଉ ଏହା ହିଁ କାମନା।

prayash

ସୁସ୍ମିତା ଭୋଇ
ଅଧ୍ୟାପିକା, ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ, ସୁନ୍ଦରଗଡ଼ ମୋ-୭୭୩୫୩୫୪୪୨୪

kalyan agarbati

Comments are closed.