ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାରା ବିଶ୍ବର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ମତବିନିମୟ କରିବେ । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ, ପ୍ରଧାନମନ୍ତ୍ରୀ ନବମରୁ ଦ୍ବାଦଶ ଶ୍ରେଣୀର ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ଆଲୋଚନା କରିବେ। ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଟାଉନ ହଲ ଆଲୋଚନା ଫର୍ମାଟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ଦେଶରେ କୋଭିଡ-୧୯ ମହାମାରୀ ପ୍ରକୋପ ହ୍ରାସ ପାଇଛି ଏବଂ ପରୀକ୍ଷା ପୁଣିଥରେ ଅଫଲାଇନ୍ ମାଧ୍ୟମରେ ଆୟୋଜନ କରାଯାଉଛି। ଏହି ଦୃଷ୍ଟିରୁ କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣ ବିଶେଷ ଗୁରୁତ୍ବ ବହନ କରୁଛି। ବିଭିନ୍ନ ପ୍ରକାର ବିଷୟ ବସ୍ତୁକୁ ନେଇ ଆୟୋଜିତ ଏକ ଅନଲାଇନ ସୃଜନଶୀଳ ରଚନା ପ୍ରତିଯୋଗିତା ଆଧାରରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କୁ ଚୟନ କରାଯାଇଛି । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରିବା ଓ ତାଙ୍କ ସହିତ ଆଲୋଚନା କରିବାର ସୁଯୋଗ ପାଇବେ ।
ଚଳିତ ବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ ସୃଜନଶୀଳ ରଚନା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ୧୫.୭ ଲକ୍ଷ ପ୍ରତିଯୋଗୀ ପଞ୍ଜୀକରଣ କରିଥିଲେ । ଏମାନଙ୍କ ମଧ୍ୟରେ ୧୨.୧ ଲକ୍ଷ ଛାତ୍ରଛାତ୍ରୀ, ୨.୭ ଲକ୍ଷ ଶିକ୍ଷକ ଏବଂ ୯୦ ହଜାରରୁ ଅଧିକ ଅଭିଭାବକ ରହିଛନ୍ତି ।
ଗତ ଚାରି ବର୍ଷ ଧରି ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ସଫଳତାପୂର୍ବକ ଆୟୋଜନ କରାଯାଇ ଆସୁଛି । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପ୍ରଥମ ତିନୋଟି ସଂସ୍କରଣ ନୂଆଦିଲ୍ଲୀରେ ଟାଉନ ହଲ୍ ଆଲୋଚନା ଫର୍ମାଟରେ ସଫଳତାପୂର୍ବକ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ‘‘ପରୀକ୍ଷା ପେ ଚର୍ଚ୍ଚା ୧,୦’’ ମତ ବିନିମୟ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ୧୬ ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏହି ମତବିନିମୟ କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣ ‘‘ପରୀକ୍ଷା ପେ ଚର୍ଚ୍ଚା ୨.୦’’ ୨୯ ଜାନୁଆରୀ ୨୦୧୯ରେ ଆୟୋଜନ କରାଯାଇଥିଲା। ସେହିପରି ତୃତୀୟ ସଂସ୍କରଣ ୨୦ ଜାନୁଆରୀ ୨୦୨୦ରେ ଅନୁଷ୍ଠିତ ହୋଇଥିଲା। କୋଭିଡ ୧୯ ମହାମାରୀ କାରଣରୁ ଚତୁର୍ଥ ସଂସ୍କରଣ ଅନଲାଇନ ମାଧ୍ୟମରେ ୭ ଏପ୍ରିଲ ୨୦୨୧ରେ ଆୟୋଜିତ ହୋଇଥିଲା ।
‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦୂରଦର୍ଶନ (ଡିଡି ନ୍ୟାସନାଲ, ଡିଡି ନ୍ୟୁଜ୍, ଡିଡି ଇଣ୍ଡିଆ), ରେଡିଓ ଚାନେଲ, ଟିଭି ଚାନେଲ, ଡିଜିଟାଲ ମିଡିଆରେ ସିଧା ପ୍ରସାରଣ କରାଯିବ । ଶିକ୍ଷା ମନ୍ତ୍ରଣାଳୟ, ନରେନ୍ଦ୍ର ମୋଦୀ, ପିଏମଓ ଇଣ୍ଡିଆ, ପିଆଇବି ଇଣ୍ଡିଆ, ଦୂରଦର୍ଶନ ନ୍ୟାସନାଲ, ମାଇ ଗଭ ଇଣ୍ଡିଆ, ଡିଡି ନ୍ୟୁଜ୍, ରାଜ୍ୟସଭା ଟିଭି, ସ୍ବୟଂ ପ୍ରଭାର ୟୁଟ୍ୟୁବ ଚାନେଲରେ ମଧ୍ୟ ଦର୍ଶକମାନେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିପାରିବେ ।



