ନୂଆଦିଲ୍ଲୀ: ପ୍ୟାରିସ୍ ଜଳବାୟୁ ରାଜିନାମାରୁ ଓହରି ଯିବାକୁ ଆମେରିକା ଆନୁଷ୍ଠାନିକ ଭାବେ ଜାତିସଂଘକୁ ନୋଟିସ୍ ଦେଇଛି। ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଏହି ପ୍ରତ୍ୟାହାର ବିଷୟ ଘୋଷଣା କଲାବେଳେ କହିଛନ୍ତି, ଏହି ରାଜିନାମା ଦ୍ୱାରା ତାଙ୍କ ଦେଶ ଉପରେ ଅଯଥା ଅର୍ଥନୈତିକ ବୋଝ ପଡ଼ୁଛି।
ବିଶ୍ୱ ଜଳବାୟୁ ପରିବର୍ତ୍ତନ ରାଜିନାମାରୁ ଓହରିବା ପାଇଁ ନୋଟିସ୍ ଦେବା ପରେ ବର୍ଷେ ସମୟ ଲାଗିଥାଏ ଏବଂ ୨୦୨୦ ଆମେରିକାରେ ସାଧାରଣ ନିର୍ବାଚନ ସରିବାର ଗୋଟିଏ ଦିନ ପରେ ଏହି ନୋଟିସ୍ର ସମୟସୀମା ମଧ୍ୟ ସରିବ। ଜଳବାୟୁ ପରିବର୍ତ୍ତନ ମୂକାବିଲା କରିବା ପାଇଁ ୧୮୮ଟି ରାଷ୍ଟ୍ରକୁ ପ୍ୟାରିସ୍ ରାଜିନାମା ଏକାଠି କରିଥିଲା ଏବଂ ବିଶ୍ୱ ତାପମାନ ସ୍ତର ଦୁଇ ସେଲ୍ସିୟସ୍ ତଳେ ରଖିବା ପାଇଁ ରାଜିନାମାରେ ପ୍ରତିଶ୍ରୁତିବଦ୍ଧତା ଉଲ୍ଲେଖ କରାଯାଇଥିଲା। ତାପମାନ ସ୍ତରକୁ ୧ ଦଶମିକ୍ ୫ ସ୍ତରରୁ ଉପରକୁ ବୃଦ୍ଧି ନ କରିବା ପାଇଁ ଉଦ୍ୟମ କରିବା ପାଇଁ ମଧ୍ୟ ଦେଶଗୁଡ଼ିକ ରାଜି ହୋଇଥିଲେ। ସୂଚନା ଯୋଗ୍ୟ ଯେ ଆମେରିକା ବାୟୁ ମଣ୍ଡଳକୁ ଶତକଡ଼ା ୧୫ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ପାଇଁ ଦାୟୀ ବୋଲି କୁହାଯାଉଛି।



