-ମାର୍ଚ୍ଚ ୨ ସୁଦ୍ଧା ରୁଷ୍ର ୟୁକ୍ରେନ୍ ଦଖଲ ଲକ୍ଷ୍ୟ
-୨୪ ଘଣ୍ଟାରେ ୩୮୦ କ୍ଷେପଣାସ୍ତ୍ର ମାଡ଼
-ରୁଷ୍ ସେନାର ମୁକାବିଲା ଲାଗି କଏଦୀଙ୍କୁ ଛାଡିଲା ୟୁକ୍ରେନ୍
-ବିଦେଶୀ ନାଗରିକଙ୍କ ଅର୍ଥ ହସ୍ତାନ୍ତରଣ ବନ୍ଦ କଲା ରୁଷ୍
-ରୁଷ୍ ପାଇଁ ଆକାଶମାର୍ଗ ବନ୍ଦ କଲେ ୩୬ ୟୁରୋପୀୟ ରାଷ୍ଟ୍ର
-ନାଟୋ ସଦସ୍ୟତା ଗ୍ରହଣ ପାଇଁ ୟୁକ୍ରେନ୍ର ଆବେଦନ ସ୍ବାକ୍ଷର
-ଯୁଦ୍ଧ ବିରାମ ସହ କୂଟନୈତିକ ସ୍ତରରେ ଆଲୋଚନା କରୁ ରୁଷ୍: ୟୁଏନଜିଏ
-ବେଲାରୁଷ୍ରେ ୟୁକ୍ରେନ୍-ରୁଷ୍ ୩ ପର୍ଯ୍ୟାୟ ବୈଠକ ନିଷ୍ଫଳ
କିଭ୍/ମସ୍କୋ/ନୂଆଦିଲ୍ଲୀ : ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ଅବ୍ୟାହତ ରହିଛି। ୟୁକ୍ରେନ୍ ସେନା ମଧ୍ୟ ଦୃଢତାର ସହ ରୁଷୀୟ ସେନାକୁ ମୁକାବିଲା କରୁଛନ୍ତି। ଏଭଳି ସ୍ଥିତିରେ ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ୟୁକ୍ରେନ୍ ଉପରେ ରୁଷ୍ ପରମାଣୁ ଆକ୍ରମଣ କରିବ ବୋଲି ସୂଚନା ମିଳିବା ପରେ ଜାତିସଂଘ ପକ୍ଷରୁ ଯୁଦ୍ଧ ଟାଳିବାକୁ ଜରୁରୀ ବୈଠକ କରାଯାଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ କରିପାରନ୍ତି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କିଙ୍କ ପୂର୍ବତନ ପ୍ରବକ୍ତା ୟୁଲିଆ ମେଣ୍ଡେଲ ଗଣମାଧ୍ୟମକୁ କହିଛନ୍ତି। କେବଳ ୟୁକ୍ରେନ୍ ନୁହେଁ, ପୋଲାଣ୍ଡ, ଫିନ୍ଲାଣ୍ଡ ଓ ମୋଲଡୋଭା ଉପରେ ମଧ୍ୟ ପରମାଣୁ ଅସ୍ତ୍ର ଜରିଆରେ ଆକ୍ରମଣ କରିବା ଅଧିକ ଆଶଙ୍କା ରହିଥିବା ମେଣ୍ଡେଲ କହିଛନ୍ତି। ପୋଲାଣ୍ଡର ୭୪ ପ୍ରତିଶତ ନାଗରିକ ମଧ୍ୟ ରୁଷ୍ ଆଣବିକ ଆକ୍ରମଣ କରିପାରେ ବୋଲି ଆଶଙ୍କା କରିଛନ୍ତି। ଏପରିକି ୟୁକ୍ରେନ୍କୁ ବ୍ରିଟେନ୍ ସିଧାସଳଖ ସମର୍ଥନ କରୁଥିବାରୁ ରୁଷ୍ ଏହା ଉପରେ ପରମାଣୁ ଆକ୍ରମଣ କରିପାରେ ବୋଲି ଆଶଙ୍କା ବଢିଛି। ଏଭଳିସ୍ଥିତିରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଓ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ ପ୍ରତିପକ୍ଷ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି। ୟୁକ୍ରେନ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଉଭୟ ପ୍ରତିଶ୍ରୁତି ଦେଇଛନ୍ତି। ନାଟୋ ପକ୍ଷରୁ ୟୁକ୍ରେନ୍ ସେନାକୁ ବିପୁଳ ପରିମାଣରେ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯାଉଥିବାରୁ ରୁଷ୍ ସେନା ଆଗରେ ୟୁକ୍ରେନ୍ ଏକପ୍ରକାର ତିଷ୍ଠି ପାରିଥିବା ଜଣାପଡିଛି। ରାଜଧାନୀ କିଭ୍କୁ ରୁଷ୍ ସେନା ସଂପୂର୍ଣ୍ଣ ରୂପେ ଘେରି ରହିଥିବାବେଳେ ଭିତର ପଟୁ ୟୁକ୍ରେନ୍ ସେନାର ଏହା ଦୃଢ ମୁକାବିଲା କରୁଛନ୍ତି।
ଗତକାଲି ୟୁରୋପୀୟ ରାଷ୍ଟ୍ରସଂଘ (ଇୟୁ)ର ୧୯ଟି ଦେଶ ରୁଷ୍କୁ ନିଜର ଆକାଶମାର୍ଗ ବନ୍ଦ କରିଥିବାବେଳେ ଏହି ସଂଖ୍ୟା ଆଜି ୩୬ରେ ପହଞ୍ଚିଛି। ୟୁରୋପୀୟ ରାଷ୍ଟ୍ରସଂଘ ପକ୍ଷରୁ ୟୁକ୍ରେନ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିବା ଏବଂ ଯୁଦ୍ଧ ସାମଗ୍ରୀ ଯୋଗାଇ ଦେବାକୁ ନେଇ ରୁଷ୍ ଚିନ୍ତିତ ହୋଇପଡିଛି। ତେବେ ମାର୍ଚ୍ଚ ୨ ତାରିଖ ସୁଦ୍ଧା ୟୁକ୍ରେନ୍କୁ ସଂପୂର୍ଣ୍ଣ ଦଖଲକୁ ନେବା ପାଇଁ ରୁଷ୍ ଯୋଜନା କରିଥିବା ସୂଚନା ମିଳିଛି। ତେଣୁ ଆଗାମୀ ୨୪ ଘଣ୍ଟା ରୁଷ୍-ୟୁକ୍ରେନ୍ ଲଢେଇର ନିର୍ଣ୍ଣାୟକ ସମୟ ହୋଇପାରେ। ଅନ୍ୟପକ୍ଷରେ ଆମେରିକା ପକ୍ଷରୁ ରୁଷ୍ ଉପରେ ପୁଣି କଠୋର ଆର୍ଥିକ କଟକଣା ଲଗାଯାଇଛି। ଗତ ୨୪ ଘଣ୍ଟା ଭିତରେ ୟୁକ୍ରେନ୍ ରାଜଧାନୀ କିଭ୍ରେ ରୁଷ୍ ପକ୍ଷରୁ ୩୮୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଆମେରିକା ଦାବି କରିଛି। ୟୁରୋପୀୟ ରାଷ୍ଟ୍ରସଂଘର ସଦସ୍ୟ ହେବା ଲାଗି ରାଷ୍ଟ୍ରପତି ଜେଲେନସ୍କି ଆବେଦନ ଉପରେ ସ୍ବାକ୍ଷର କରିଥିବା ୟୁକ୍ରେନ୍ ସଂସଦରେ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ୟୁକ୍ରେନ୍ ସଂକଟକୁ ନେଇ ଜାତିସଂଘ ସାଧାରଣ ପରିଷଦର ସ୍ବତନ୍ତ୍ର ବୈଠକ କରାଯାଇଛି। ବୈଠକରେ ଅଧ୍ୟକ୍ଷତା କରୁଥିବା ସାହିଦ୍ ରୁଷ୍କୁ ତୁରନ୍ତ ଯୁଦ୍ଧ ବିରାମ କରି କୂଟନୀତି ଓ ଆଲୋଚନା ଜରିଆରେ ବିବାଦ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଜାତିସଂଘରେ ଅବସ୍ଥାପିତ ରୁଷ୍ ରାଷ୍ଟ୍ରଦୂତ ବାସିଲି ନେବେଜ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ୍ ଓ ଜର୍ଜିଆ ନାଟୋରେ ସାମିଲ ହେବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି। ରୁଷ୍ ବିରୋଧରେ ଏହି ଦୁଇ ରାଷ୍ଟ୍ରଙ୍କୁ ନାଟୋରେ ସାମିଲ କରିବା ଆମେରିକାର ରଣନୀତି ରହିଛି। ଏହାକୁ ରୁଷ୍ ବିରୋଧ କରୁଛି। ୟୁକ୍ରେନ୍ର ଏଭଳି ପଦକ୍ଷେପକୁ ନେଇ ବାଧ୍ୟହୋଇ ରୁଷ୍ ସାମରିକ କାର୍ଯ୍ୟାନୁଷ୍ଠାନ କରୁଥିବା ବାସିଲି ଜାତିସଂଘ ସାଧାରଣ ପରିଷଦକୁ କହିଛନ୍ତି। ୟୁକ୍ରେନ୍ ଦଖଲ କରିବା ପାଇଁ ରୁଷ୍ ଚାହେନି ବୋଲି ବାସିଲି କହିଛନ୍ତି।
ଇତିମଧ୍ୟରେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ବାଲାଷ୍ଟିକ୍ ଓ କ୍ରୁଜ୍ କ୍ଷେପଣାସ୍ତ୍ର ଜରିଆରେ ୟୁକ୍ରେନ୍ର ବିଭିନ୍ନ ସହର ଉପରେ ରୁଷ୍ ସେନା ଆକ୍ରମଣ ଅବ୍ୟାହତ ରଖିଛନ୍ତି। ୟୁକ୍ରେନ୍ର ତୈଳ ଡିପୋ ଉପରେ ରୁଷ୍ ପକ୍ଷରୁ ଭ୍ୟାକ୍ୟୁମ୍ ବୋମା ଜରିଆରେ ଆକ୍ରମଣ କରାଯାଇ ଏହାକୁ ଧ୍ବଂସ କରାଯାଇଥିବା ସୂଚନା ମିଳିଛି। ଏପରିକି ରୁଷ୍ ସେନା କିଭ୍ ଓ ଖାର୍କିଭ୍ର କେତେକ ଡାକ୍ତରଖାନାକୁ ନିଶାଣ କରିଛନ୍ତି। ଫଳରେ ୧୬ ଜଣ ଶିଶୁଙ୍କ ସମେତ ୩୫୨ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜାତିସଂଘରେ କାର୍ଯ୍ୟରତ ୟୁକ୍ରେନ୍ ରାଷ୍ଟ୍ରଦୂତ ସେର୍ଗିୟ କାସ୍ଲାସ୍ଥା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ୟୁକ୍ରେନ୍ ସାଧାରଣ ନାଗରିକ ମଧ୍ୟ ଏବେ ଯୁଦ୍ଧକୁ ଓହ୍ଲାଇଥିବାବେଳେ ବିଭିନ୍ନ ଜେଲ୍ରେ ଥିବା କଏଦୀମାନଙ୍କୁ ମୁକ୍ତ କରାଯାଇ ସେମାନଙ୍କୁ ରାଷ୍ଟ୍ର ପାଇଁ ଲଢିବାକୁ ନିବେଦନ କରାଯାଇଛି। ରାଷ୍ଟ୍ରପତି ଜେଲେନକ୍ସିଙ୍କ ପତ୍ନୀ ଓଲେନା ସାମାଜିକ ଗଣମାଧ୍ୟମରେ ଏକ ଭାବବିହ୍ବଳ ଭିଡିଓ ଜରିଆରେ ଦେଶବାସୀଙ୍କ ମନୋବଳ ଦୃଢ କରିଛନ୍ତି। ରାଷ୍ଟ୍ରର ସୁରକ୍ଷା ପାଇଁ ବେସାମରିକ ନାଗରିକ ଯେଭଳି ଗୋଷ୍ଠୀ ଗଠନ କରି ରୁଷ୍ ସେନାର ମୁକାବିଲା କରୁଛନ୍ତି ତାହାକୁ ଓଲେନା ଅତ୍ୟନ୍ତ ପ୍ରଶଂସା କରିଛନ୍ତି।
ଇତିମଧ୍ୟରେ ରୁଷ୍ ସରକାର ବିଦେଶୀ ନାଗରିକଙ୍କ ଅର୍ଥ ହସ୍ତାନ୍ତରଣକୁ ବନ୍ଦ କରିଦେଇଛନ୍ତି। ବ୍ରିଟେନ୍ ମଧ୍ୟ ରୁଷ୍ର ସମସ୍ତ ବ୍ୟାଙ୍କକୁ ଅଚଳ କରିବା ସହିତ ସବୁ ସମ୍ପତ୍ତିକୁ ବ୍ୟାଜାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଆମେରିକା ମଧ୍ୟ ରୁଷୀୟ ନାଗରିକଙ୍କ ସମ୍ପତ୍ତି ଆକଳନ କରିବା ପ୍ରକ୍ରିୟା ଆରମ୍ଭ କରିଛି।
ଅନ୍ୟପକ୍ଷରେ ବେଲାରୁଷ୍ ସୀମାରେ ଉଭୟ ୟୁକ୍ରେନ୍ ଓ ରୁଷ୍ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଚାଲିଥିବା ଦ୍ବିପାକ୍ଷିକ ଶାନ୍ତି ପ୍ରସ୍ତାବ ଓ ଯୁଦ୍ଧବିରାମ ଆଲୋଚନା ନିଷ୍ପଳ ହୋଇଛି। ତିନି ତିନିଟି ପର୍ଯ୍ୟାୟର ବୈଠକ ଶେଷ ହୋଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରିପାରି ନଥିବା ଜଣାପଡିଛି।



