ଭୁବନେଶ୍ୱର,୨୨।୮(ନି.ପ୍ର):ଜିଲା ପ୍ରଶାସନିକ ଅଧିକାରୀମାନେ ଦିବ୍ୟାଙ୍ଗଙ୍କ ପ୍ରତି କେତେ ସମ୍ବେଦନଶୀଳ ତାହା କାର୍ଯ୍ୟଶୈଳୀରୁ ବୁଝାପଡୁଛି। ରାଜ୍ୟରେ ଥିବା ଲକ୍ଷାଧିକ ଦିବ୍ୟାଙ୍ଗଙ୍କୁ ଏକକ ପରିଚୟପତ୍ର(ୟୁଡିଆଇଡି) ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ପତ୍ର ପରେ ପତ୍ର ଲେଖାଯାଉଛି, ହେଲେ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନାହିଁ। ଏହାକୁ ନେଇ ମାର୍ଚ୍ଚରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ପତ୍ର ଲେଖି ଅବଗତ କରାଯାଇଥିବାବେଳେ ଶନିବାର ପୁନଶ୍ଚ ବିଭାଗୀୟ ସଚିବ ଭାସ୍କର ଜ୍ୟୋତି ଶର୍ମା ସବୁ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।
ଶ୍ରୀ ଶର୍ମା ଦର୍ଶାଇଛନ୍ତି ଯେ ଭାରତ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରାଳୟ ପକ୍ଷରୁ ଜାତୀୟସ୍ତରରେ ଭିନ୍ନକ୍ଷମଙ୍କୁ ନେଇ ଏକ ତଥ୍ୟ ପ୍ରସ୍ତୁତ କରାଯାଉଛି। ଏହାଦ୍ବାରା ସରକାରୀ ସହାୟତା ସିଧାସଳଖ ଭିନ୍ନକ୍ଷମାନେ ପାଇପାରିବେ। କେନ୍ଦ୍ରର ସ୍ବତନ୍ତ୍ର ପୋର୍ଟାଲରେ ଇତିମଧ୍ୟରେ ୭ଲକ୍ଷ ୨୨ହଜାର ୮୩୯ ହିତାଧିକାରୀ ଏକକ ପରିଚୟ ପତ୍ର ପାଇବା ପାଇଁ ଆବେଦନ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ୨ଲକ୍ଷ ୨୨ହଜାର ୯୫୬ କାର୍ଡ ପ୍ରସ୍ତୁତ ହୋଇପାରିନାହିଁ। ଯାହାଦ୍ବାରା ଭିନ୍ନକ୍ଷମମାନଙ୍କ ତଥ୍ୟ କେନ୍ଦ୍ରକୁ ପଠା ଯାଇପାରୁନାହିଁ। ଶ୍ରୀ ଶର୍ମା ଲେଖିଥିବା ପତ୍ରରେ ଦର୍ଶାଯାଇଛି ଯେ ନବରଙ୍ଗପୁର ଜିଲାରେ ସର୍ବାଧିକ ୬୫.୮୧ ପ୍ରତିଶତ ଭିନ୍ନକ୍ଷମଙ୍କ କାର୍ଡ ପ୍ରସ୍ତୁତି ହୋଇନାହିଁ। ଜିଲାରେ ୧୪ହଜାର ୮୬୮ କାର୍ଡ ପାଇଁ ଆବେଦନ ଆସିଥିବାବେଳେ ମାତ୍ର ୪ହଜାର ୬୩୯ଟି କାର୍ଡ ପ୍ରସ୍ତୁତ ହୋଇଛି। ୪୪୪ଟି ଆବେଦନ ଖାରଜ ହୋଇଥିବାବେଳେ ୯ହଜାର ୭୮୫ ଆବେଦନ ଏବେ ବି କାର୍ଡ ପାଇଁ ପଡି ରହିଛି। ଭଦ୍ରକରେ ୬୧% ଭିନ୍ନକ୍ଷମଙ୍କ କାର୍ଡ ଏପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇନାହିଁ। ଜିଲାରେ ୨୭ହଜାର ୮୪ଜଣ ଭିନ୍ନକ୍ଷମ ଆବେଦନ କରିଥିବାବେଳେ ୧୦ହଜାର ୩୮୦ଜଣଙ୍କ କାର୍ଡ ପ୍ରସ୍ତୁତ ହୋଇଛି। ଜିଲାରେ ୧୫୯ଟି ଆବେଦନ ପତ୍ର ଖାରଜ ହୋଇଥିବାବେଳେ ୯୫୮ଟି ଆବେଦନ କାର୍ଡ ପାଇଁ ପଡି ରହିଛି। କାର୍ଡ ପ୍ରସ୍ତୁତିରେ ମାଲକାନଗିରି ସର୍ବାଗ୍ରେ ରହିଛି। ଜିଲାରେ ୧୩ହଜାର ୩୩୧ ଭିନ୍ନକ୍ଷମ କାର୍ଡ ପାଇଁ ଆବେଦନ ହୋଇଥିବାବେଳେ ୧୧ହଜାର ୨୬୪ଜଣଙ୍କ କାର୍ଡ ପ୍ରସ୍ତୁତି ହୋଇଛି। ୧୫୬୫ ଆବେଦନ ଖାରଜ ହୋଇଥିବାବେଳେ ୫୦୨ ଆବେଦନ କାର୍ଡ ପାଇଁ ବାକି ରହିଛି।
ରାଜ୍ୟରେ ସମୁଦାୟ ୭ଲକ୍ଷ ୨୨ହଜାର ୮୩୯ ଭିନ୍ନକ୍ଷମ କାର୍ଡ ପାଇଁ ଆବେଦନ କରିଥିବାବେଳେ ୩ଲକ୍ଷ ୮୯ହଜାର ୯୩୨ କାର୍ଡ ପ୍ରସ୍ତୁତ ହୋଇଛି। ୧ଲକ୍ଷ ୯ହଜାର ୯୫୧ ହିତାଧିକାରୀଙ୍କ ଆବେଦନକୁ ସମ୍ପୃକ୍ତ ଜିଲାପାଳମାନେ ଖାରଜ କରି ଦେଇଥିବାବେଳେ ୨ଲକ୍ଷ ୨୨ହଜାର ୯୫୬ କାର୍ଡ ଏବେ ବି ପ୍ରସ୍ତୁତି ଅପେକ୍ଷାରେ ରହିଛି। ଜିଲାପାଳମାନେ ଏ ଦିଗରେ ଧ୍ୟାନ ଦେଇ ଅବଶିଷ୍ଟ କାର୍ଡ ପ୍ରସ୍ତୁତି ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ସଚିବ ଶ୍ରୀ ଶର୍ମା ଚିଠିରେ ଦର୍ଶାଇଛନ୍ତି।
ଭିନ୍ନକ୍ଷମଙ୍କୁ ପରିଚୟ ପତ୍ର ପ୍ରଦାନ ପ୍ରସଙ୍ଗ-୨.୨୨ ଲକ୍ଷ ‘ୟୁଡିଆଇଡି’ ଅସମ୍ପୂର୍ଣ୍ଣ
Popular Categories



