ନୂଆଦିଲ୍ଲୀ: ସାରା ବିଶ୍ବରେ ମହାମାରୀ ରୂପ ଧାରଣ କରିଥିବା କରୋନା ଭୂତାଣୁ ବିରୋଧରେ ଲଢ଼େଇ ପାଇଁ ବହୁ ବଡ଼ ବଡ଼ ସଂସ୍ଥା ଓ ସେଲିବ୍ରିଟିମାନେ ସହାୟତା କରିବାକୁ ଆଗେଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆ ପ୍ଲାଟଫର୍ମ ତଥା ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରର ସିଇଓ ଜ୍ୟାକ୍ ଡର୍ସୀ ୭୫୦୦ କୋଟି ଟଙ୍କା ଦାନ କରିଥିବା ନେଇ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ୨୮% ଅର୍ଥାତ ୭୫୦୦ କୋଟି ଟଙ୍କା ସେ କରୋନା ବିରୋଧୀ ଲଢ଼େଇରେ ଖର୍ଚ୍ଚ କରିବେ ବୋଲି ଘୋଷଣା କରିଛନ୍ତି।
ଡର୍ସୀ ଷ୍ଟାର୍ଟ ସ୍ମଲ ଫାଉଣ୍ଡେଶନକୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଏହି ସମ୍ପୂର୍ଣ୍ଣ ଅର୍ଥରାଶିକୁ କିପରି ଖର୍ଚ୍ଚ କରାଯାଉଛି ତାହାକୁ ବିଶ୍ବର ଯେକୌଣସି ବ୍ୟକ୍ତି ଟ୍ରାକ୍ ପରିପାରିବେ। ଏଥିପାଇଁ ସେ ଏକ ଲିଙ୍କ୍ ଶେୟାର କରିଛନ୍ତି। କରୋନା ଭୂତାଣୁର ମୂଳୋତ୍ପାଟନ ପରେ ଏହି ପାଣ୍ଠିକୁ ବାଳିକାମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି।
ଡର୍ସୀଙ୍କ ପୂର୍ବରୁ ଫେସବୁକ୍ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୨୨୭ କୋଟି ଟଙ୍କା ସହାୟତା କରିବାକୁ ଘୋଷଣା କରିଥିଲେ। ଏହି ଅର୍ଥ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ। ସେହିପରି ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ୧୦୦ ନିୟୁତ ଡଲାର ଦେବାକୁ ଘୋଷଣା କରିଥିଲେ। ଆପଲର ମୁଖ୍ୟ କାର୍ଯ୍ୟକାରୀ ଟିମ୍ କୁକ୍ ଇଟାଲୀକୁ ମେଡିକାଲ ଉପକରଣ ଯୋଗାଇବାରେ ସହାୟତା କରିବେ ବୋଲି ଘୋଷଣା କରିଥିଲେ।



