ଖରାଦିନେ ପ୍ରାୟତଃ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ତେଣୁ ଏହି ସମୟରେ ଶରୀର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ ଜାଣିବା ଖରାଦିନେ ଦେଖା ଦେଉଥିବା ସମସ୍ୟା ଓ ତା’ର ସମାଧାନ ବିଷୟରେ –
ଡ଼ିହାଇଡ୍ରେସନ:
ଏହି ଋତୁରେ ସାଧାରଣତଃ ଶରୀରରେ ଜଳର ଅଭାବ ପରିଲକ୍ଷିତ ହୋଇଥାଏ । ଅତ୍ୟଧିକ ଉତ୍ତାପ ଓ ଝାଳ ବୋହିବା କାରଣରୁ ପାଣି, ସୁଗାର, ଲୁଣର ସନ୍ତୁଳନ ବିଗିଡ଼ି ଯାଇଥାଏ । ଏହା ଖୁବ୍ କମ୍ ଲୋକ ଜାଣନ୍ତି ଯେ, ଯେତିକି ପରିମାଣରେ ପାଣି ଆମେ ପିଅନ୍ତି କିମ୍ବା ଅନ୍ୟ କୌଣସି ଉପାୟରେ ଗ୍ରହଣ କରନ୍ତି ତାହାଠାରୁ ଅଧିକ ପାଣି ଆମ ଶରୀରରୁ ବାହାରିଯାଏ । ଏହି କାରଣରୁ ମୁଣ୍ଡବିନ୍ଧା, ଶୁଷ୍କ ଲାଗିବା, ମୁହଁ ଶୁଖିବା, ଥକା ଲାଗିବା ପରି ଲକ୍ଷଣମାନ ଦେଖାଦେଇଥାଏ । ଯାହାକି ଡ଼ିହାଇଡ୍ରେସନର ଲକ୍ଷଣ ।
କେମିତି ସୁରକ୍ଷିତ ରହିବେ:
ଡ଼ିହାଇଡ୍ରେସନ ସମସ୍ୟାରୁ ରକ୍ଷା ପାଇବା ପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ । ଲେମ୍ବୁ ପାଣି, ନଡ଼ିଆ ପାଣି, ଘୋଳ ଦହି ଆଦି ପିଅନ୍ତୁ । ଏଥିସହ ଗରମ ଦିନେ ମିଳୁଥିବା ଋତୁକାଳୀନ ଫଳ ମଧ୍ୟ ସେବନ କରନ୍ତୁ ।
ଘିମିରି ସମସ୍ୟା:
ଅତ୍ୟଧିକ ଗରମ ଓ ଝାଳ କାରଣରୁ ଶରୀରରେ ଘିମିରି ଜନିତ ସମସ୍ୟା ଦେଖାଦିଏ । ଶରୀରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଲାଲ ଦାଗ ହେବା ସହ କୁଣ୍ଡେଇ ହୋଇଥାଏ । ଆପଣଙ୍କ ଶରୀରରେ ଲୋମକୂପଗୁଡିକ ବନ୍ଦ ହେବା କାରଣରୁ ଝାଳ ଆଉ ବୋହିନଥାଏ । ଫଳରେ ଅପରିଷ୍କାର ପଦାର୍ଥଗୁଡିକ ତ୍ୱଚାରୁ ନବାହାରିପାରି ଘିମିରି, ବ୍ରଣ ପରି ସମସ୍ୟା ଦେଖାଦିଏ ।
ଫୁଡ ପଏଜନିଙ୍ଗ:
ଗରମ ଦିନରେ ଖାଦ୍ୟପେୟରେ ଅନିୟମିତତା ଓ ବଦହଜମ କାରଣରୁ ଅଧିକ ଫୁଡ ପଏଜନିଙ୍ଗ ଜନିତ ସମସ୍ୟା ଦେଖାଦିଏ । ପରିବେଶରେ ଥିବା ରୋଗଜୀବାଣୁ ଆପଣଙ୍କ ଖାଦ୍ୟକୁ ଦୂଷିତ କରିଦେଇପାରେ । ଏମିତି ହେବା ଦ୍ୱାରା ପେଟ ସହିତ ଜଡିତ ସମସ୍ୟା ଦେଖାଦିଏ ।
ଟାଇଫଏଡ:
ଗରମ ଦିନରେ ଅଧିକାଂଶ ପିଲାଙ୍କୁ ଜ୍ୱର ହୋଇଥାଏ । ଯାହାକି ସମୟାନୁସାରେ ଟାଇଫଏଡ଼ର କାରଣ ହୋଇପାରେ । ଏହା ପାଚନ ତନ୍ତ୍ର ତଥା ରକ୍ତରେ ସଂକ୍ରମଣ କାରଣରୁ ହିଁ ହୋଇଥାଏ । ଆଉ ଏହି ରୋଗ ହେଲେ ମଣିଷକୁ କମ ଭୋକ ଲାଗିଥାଏ । ମାଂସପେଶୀରେ ଦରଜ, ଶୁଖିଲା କାଶ, ମୁଣ୍ଡ ବିନ୍ଧା, ଶରୀର ଦରଜ ପରି ସମସ୍ୟା ମଧ୍ୟ ଦେଖାଦିଏ ।



