ନୂଆଦିଲ୍ଲୀ : ଅନେକ ଲୋକଙ୍କୁ ସକାଳ ସମୟରେ ହେଉ ଅଥବା ସନ୍ଧ୍ୟାରେ ଛଣାଛଣି ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଏହାର ପ୍ରସ୍ତୁତି ଶୈଳୀ ଓ ସ୍ଥାନ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ଚିନ୍ତା କରନ୍ତୁ ପରିଷ୍କାର ସ୍ଥାନ ବ୍ୟତୀତ ଖାଦ୍ୟ ଯଦି ଶୌଚାଳୟରେ ପ୍ରସ୍ତୁତ କରାଯାଏ। ତେବେ ଏହାର ପରିଣାମ କ’ଣ ହେବ। ଏହା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ହେବ ଶୌଚାଳୟରେ ପ୍ରସ୍ତୁତ କରାଯାଉଥିଲା ସିଙ୍ଗଡା ଓ ଅନ୍ୟାନ୍ୟ ଜଳଖିଆ। ଏହି ଘଟଣା ଘଟିଛି ସାଉଦି ଆରବର ଜେଦ୍ଦାହ୍ ନଗରୀରେ। ସରକାରୀ କର୍ତ୍ତୃପକ୍ଷ ଏହା ଜାଣିବା ପରେ ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଉକ୍ତ ରେସ୍ତୋରାଁକୁ ବନ୍ଦ କରିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୩୦ ବର୍ଷ ହେବ ଅତି ଅସ୍ୱାସ୍ଥ୍ୟକର ଓ ଅପରିଷ୍କାର ପରିବେଶ ଶୌଚାଳୟରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ ସୂଚନା ପାଇବା ପରେ ଜେଦ୍ଦାହ୍ ମ୍ୟୁନିସପାଲିଟି ଚଢାଉ କରିଥିଲା।
ଉକ୍ତ ରେସ୍ତୋରାଁ ଶୌଚାଳୟ ଗୁଡିକରେ ଜଳଖିଆ ଓ ଭୋଜନ ମଧ୍ୟ ପ୍ରସ୍ତୁତ କରାଯାଉଥିଲା। ସମସ୍ତ ଖାଦ୍ୟ ସାମଗ୍ରୀର ସମୟ ସୀମା ଅତିକ୍ରମ କରିବା ପରେ ମଧ୍ୟ ସେଥିରେ ଖାଦ୍ୟ ପ୍ରସ୍ତୁତ ହେଉଥିଲା ବୋଲି ଅଧିକାରୀ କହିଛନ୍ତି। ରେସ୍ତୋରାଁରେ ମୂଷା,ଅସରପା ଓ ଅନ୍ୟାନ୍ୟ କୀଟପତଙ୍ଗ ଥିବା ସହ ସଠିକ ଭାବେ ସଫାସୁତୁରା ମଧ୍ୟ କରାଯାଉନଥିଲା। ରେସ୍ତୋରାଁରେ କାର୍ଯ୍ୟକରୁଥିବା କର୍ମଚାରୀମାନଙ୍କର ‘ସ୍ୱାସ୍ଥ୍ୟ କାର୍ଡ’ମଧ୍ୟ ନଥିଲା। ଏହା ଆବାସ ନିୟମ ଉଲ୍ଲଂଘନ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ବର୍ତ୍ତମାନ ରେସ୍ତୋରାଁଟିକୁ ବନ୍ଦ କରି ଦିଆଯାଇଛି।



