ରେଙ୍ଗାଲିକ୍ୟାମ୍ପ: ରବିବାର ସାଧାରଣତନ୍ତ୍ର ଦିବସରେ ରାଜଧାନୀ ନୂଆଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି। ଅତାବିରାର କିଛି ରାଜସ୍ବ ବିଭାଗ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡ଼ି ନ ଥିବା ଦୃଶ୍ୟ ଦେଖିବାକୁ ମିଳିଛି। ୫୩ନଂ ମୁଖ୍ୟ ଜାତୀୟ ରାଜପଥ ପାର୍ଶ୍ବ ଚକୁଳି ଫାର୍ମରେ ରହିଥିବା ଚକୁଳି ରାଜସ୍ବ କାର୍ଯ୍ୟାଳୟ, ଅତାବିରା ଟେଲିଫୋନ ଏସ୍କଚେଞ୍ଜରୁ ପାହାରଶ୍ରୀଗିଡା ଯିବା ରାସ୍ତା ପରମାନପୁର ଛକ ନିକଟ ଟୋପ ରାଜସ୍ବ କାର୍ଯ୍ୟାଳୟ ଏବଂ ଅତାବିରା ଶିକ୍ଷକ ଭବନରେ ରବିବାର ଜାତୀୟ ପତାକା ଉତ୍ତୋଳନ କରାଯାଇ ନାହିଁ। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କୁହାଯାଏ, ଦୁନିଆରେ ସେହି ଦେଶ, ସେହି ଅଞ୍ଚଳ ସବୁଠାରୁ ଅଧିକ ଶକ୍ତିଶାଳୀ, ଯେଉଁ ଦେଶର, ଅଞ୍ଚଳର ନାଗରିକ ନିଜ ଅଞ୍ଚଳ ପ୍ରତି ନିଷ୍ଠାବାନ ହେବା ସହ ଜାତୀୟତା ପ୍ରତି ଅଧିକ ଭଲ ପାଇବା ପ୍ରକାଶ କରିଥାଆନ୍ତି। କିନ୍ତୁ ସେହି ନିଷ୍ଠାପରତା ଆଜି ହଜିଯାଇଛି କିଛି ଲୋକଙ୍କ ପାଖରେ। ଗଣତନ୍ତ୍ରର ଅର୍ଥ ଜନତାଙ୍କର, ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ଏକ ଶାସନ ବ୍ୟବସ୍ଥା। କିନ୍ତୁ ସେହି ଦେଶର ଜନତା ଆଜି ନିଜର କର୍ତ୍ତବ୍ୟ ବିଷୟରେ ସଚେତନ ନୁହନ୍ତି, ଯାହା ବଡ ପରିତକ୍ଷପର ବିଷୟ। ତେବେ ଅଚେତନ ଭିତରେ କିଛି ସଚେତନ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ନିଜର କର୍ତ୍ତବ୍ୟକୁ ଭୁଲି ନାହାଁନ୍ତି। ଗଣତନ୍ତ୍ର ଅର୍ଥକୁ ଠିକ୍ ଭାବରେ ବୁଝି ତାକୁ ସମ୍ମାନ ଜଣାଇଛନ୍ତି। ଉପରୋକ୍ତ ରାଜସ୍ବ ବିଭାଗ ନିକଟରେ ଥିବା ଗୋଡଭଗା ରାଜସ୍ବ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ , ବେସରକାରୀ ଅନୁଷ୍ଠାନରେ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି, ତ୍ରିରଙ୍ଗା ପତାକା ଉଡାଯାଇଛି, ସମ୍ବିଧାନକୁ ସମ୍ମାନ ପ୍ରଦାନ କରାଯାଇଛି।
Popular Categories



