www.samajalive.in
Saturday, December 6, 2025
19.1 C
Bhubaneswar

ଜନ୍ମମାଟିରେ ନିରଞ୍ଜନ ରଥଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଆଠଗଡ଼: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ବିଶିଷ୍ଟ ସମାଜସେବୀ, ପ୍ରବୀଣ ସାମ୍ବାଦିକ, ସାରସ୍ବତ ସାଧକ, ‘ସମାଜ’ର ପ୍ରାକ୍ତନ ପ୍ରକାଶକ ଓ ମୁଦ୍ରାକର ତଥା ସମ୍ପାଦକ ନିରଞ୍ଜନ ରଥଙ୍କୁ ଜନ୍ମମାଟି ଆଠଗଡ଼ରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଗୁରୁତର ଅସୁସ୍ଥ ହୋଇ କଟକସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ୧୧ ଟାରେ ତାଙ୍କର ପରଲୋକ ଖବର ଜଣାପଡ଼ିବା ପରେ ଆଠଗଡ଼ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଥିଲା। ଶୁକ୍ରବାର ସକାଳେ ତାଙ୍କ ମରଶରୀର ନିଜ ପୈତୃକ ବାସସ୍ଥାନ ଆଠଗଡ଼ର ରାଧାନାଥପୁର ଶାସନର ହନୁମାନ ମନ୍ଦିର ନିକଟସ୍ଥ ବାସଭବନରେ ପହଞ୍ଚିବା ପରେ ଅପେକ୍ଷାରତ ଶହ ଶହ ଲୋକଙ୍କ ନିରଞ୍ଜନ ରଥ ଅମର ରହେ ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।

ନିରଞ୍ଜନ ରଥ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ କୌଣସି ଚାକିରି ନକରି ଓକିଲାତି ପେଶା ଓ ସମାଜସେବାକୁ ଆପଣାଇବାସହ ସମ୍ବାଦିକ ଭାବେ ନିଜ ସମ୍ପାଦନାରେ ପ୍ରଥମେ ଏକ ପାକ୍ଷିକ ଓ ପରେ ସାପ୍ତାହିକ ଖବରକାଗଜ ‘ନ୍ୟାୟବତୀ’ ଦୀର୍ଘ ବର୍ଷ ଧରି ପ୍ରକାଶ କରୁଥିଲେ। ସମାଜସେବା ସହିତ ଆଠଗଡ଼ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଗୋପବନ୍ଧୁ ମହିଳା କଲେଜ ଏବଂ ପରେ ଆଠଗଡ଼ ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜଣେ ସାରସ୍ବତ ସ୍ରଷ୍ଟା ଭାବେ ଶ୍ରୀ ରଥ ଅନେକ ଗୁଡିଏ ପୁସ୍ତକ ରଚନା କରି ପ୍ରକାଶ କରିଛନ୍ତି। ଆଠଗଡ଼ର ମାଧବପୁରଠାରେ ସମାଜ ଓ ଲୋକସେବକ ମଣ୍ଡଳ ଦ୍ବାରା ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଏବଂ ନର୍ସିଂ କଲେଜ ପ୍ରତିଷ୍ଠାରେ ନିରଞ୍ଜନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଠଗଡ଼ରେ ସେ ‘ବାବାଜୀ ଭାଇନା’ ଭାବେ ଛୋଟରୁ ବଡ ଯାଏଁ ସେ ସମସ୍ତଙ୍କର ଅତି ପ୍ରିୟଭାଜନ ଥିଲେ।

- Advertisement -

ତାଙ୍କ ମରଶରୀର ଆଠଗଡ଼ସ୍ଥିତ ବାସଭବନରେ ସକାଳ ପ୍ରାୟ ୯.୩୦ରେ ପହଞ୍ଚିବା ପରେ ଲୋକସେବକ ମଣ୍ଡଳର ବରିଷ୍ଠ ସଦସ୍ୟ ଭୀମସେନ ଯାଦବ, ମଣ୍ଡଳର କୋଷାଧ୍ୟକ୍ଷ ତଥା ଜିମସାର ଅଧ୍ୟକ୍ଷ ରାଜେନ୍ଦ୍ର ଜେନା, ମଣ୍ଡଳର ସଦସ୍ୟ ଡ.ନୈନା ବେନ୍ ଭେକାରିଆ, ସମାଜ ସମ୍ପାଦକ ତଥା କାର୍ଯ୍ୟନିର୍ବାହୀ ମୁଖ୍ୟ ପରିଚାଳକ ତପନ କୁମାର ମିଶ୍ର, ସମାଜସେବୀ ଭବାନୀ ପ୍ରସାଦ ମିଶ୍ର, ବିଜେପିର କଟକ ଗ୍ରାମୀଣ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି, ବରିଷ୍ଠ ବିଜେପି ନେତା ହରପ୍ରସାଦ ମିଶ୍ର, ଅଭୟ କୁମାର ବାରିକ, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି ଶୁଭ୍ରଶଙ୍କର ଜ୍ୟୋତି, ସମାଜସେବୀ ଶ୍ରୀଧର ରଥ, ସଂକୀର୍ତ୍ତନ ଗୁରୁ ଅଜୟ ଦାସ, ଏଟିବିଏନ ଆଇନଜୀବୀ ସଂଘ ସଭାପତି ଫଣୀଭୂଷଣ ରଥ, ଆଇନଜୀବୀ ମୃତ୍ୟୁଞ୍ଜୟ ମହାପାତ୍ର, ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିପାଠୀ, କବୟତ୍ରୀ ପୁଲିନ ମିଶ୍ର, ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, ପ୍ରକାଶ ରାଉତ, ନଗର ମଣ୍ଡଳ ବିଜେପି ସଭାପତି ଇଲା ପଣ୍ଡା, ବୁଦ୍ଧିଜୀବୀ ସଂଘ ସଭାପତି ଇଂ ଶିବପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ଆଠଗଡ଼ ସାହିତ୍ୟ ସମାଜ ସଭାପତି ସୁରେଶ ପରିଡା ଓ ଅନ୍ୟ ସଦସ୍ୟ, ଗଡ଼ଜାତ ପରିକ୍ରମାର ସମ୍ପାଦକ ଲଲାଟେନ୍ଦୁ ସେନାପତିଙ୍କ ସମେତ ଅନ୍ୟ ସଦସ୍ୟ, ଆଠଗଡ଼ ସେବା ଫାଉଣ୍ଡେସନର ସଭାପତି ରଞ୍ଜିତା ଭକ୍ତା ଓ ଅନ୍ୟ ସଦସ୍ୟ, ବିଶ୍ବନାଥ ବିଦ୍ୟାପୀଠର ୧୯୬୬ ବ୍ୟାଚର ନିରଞ୍ଜନ ରଥଙ୍କର ବହୁ ସହପାଠୀ, ଯୋଗସେବା କେନ୍ଦ୍ରର କର୍ମକର୍ତ୍ତା, ନିରଞ୍ଜନ ରଥଙ୍କ ଦ୍ବାରା ପ୍ରତିଷ୍ଠିତ ନେହେରୁ ସ୍ମୃତି ସଂଘର କର୍ମକର୍ତ୍ତା, ଗ୍ରାଜୁଏଟ୍ସ କ୍ଲବର କର୍ମକର୍ତ୍ତା, ତାଙ୍କ ଦ୍ବାରା ପ୍ରତିଷ୍ଠିତ ହନୁମାନ ମନ୍ଦିର ପରିଚାଳନା କମିଟିର ସଦସ୍ୟ, ଶ୍ରୀ ହନୁମାନ କୃପା ପରିଷଦର ସଦସ୍ୟ, ଆଠଗଡ଼ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ, ଗୋପବନ୍ଧୁ ମହିଳା କନିଷ୍ଠ ଏବଂ ଡିଗ୍ରୀ କଲେଜର ଅଧ୍ୟକ୍ଷା ଓ ଅଧ୍ୟାପିକା ବୃନ୍ଦ, ରାଧାନାଥପୁର ବ୍ରାହ୍ମଣ ସମାଜର କର୍ମକର୍ତ୍ତାଙ୍କ ସହିତ ଅନ୍ୟ ସଦସ୍ୟ, ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ୱବିଦ୍ୟାଳୟ ଆଠଗଡ଼ କେନ୍ଦ୍ର ମୁଖ୍ୟ ବ୍ରହ୍ମକୁମାରୀ ରୀତା, ଆଠଗଡ଼ ସମାଜ ପ୍ରତିନିଧି ସୁଧି ରଞ୍ଜନ ଦାଶ, ଗୁରୁଡିଝାଟିଆ ପ୍ରତିନିଧି ଶ୍ୱେତକାନ୍ତ ବେହେରାଙ୍କ ସମେତ ଶହ ଶହ ଲୋକ ନିରଞ୍ଜନଙ୍କ ମରଶରୀରରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଠଗଡ଼ ବାସଭବନରେ ନିରଞ୍ଜନଙ୍କ ସାନଭାଇ ନିରୁପମ ରଥ, ନଳିନାକ୍ଷ ରଥ, ସାନ ଭାଇବୋହୁ କୁମୁଦିନୀ ପଣ୍ଡାଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ସ୍ବର୍ଗତ ରଥଙ୍କ ମରଶରୀରକୁ ସଂକୀର୍ତ୍ତନ ବାଦ୍ୟ ସହିତ ଏକ ଶୋଭାଯାତ୍ରାରେ ଆଠଗଡ଼ ସହର ପରିକ୍ରମା ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories