ଯାଜପୁର: ଯାଜପୁର ରୋଡ଼ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ଜଣେ ଯୁବତୀଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବତୀ ସ୍ଥାନୀୟ ରିଲାଏନ୍ସ ଫ୍ରେସ୍ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ଦିନ ୧୦ଟା ବେଳେ ସ୍ଥାନୀୟ କିଛି ଯୁବକ ରେଳ ଲାଇନ୍ କଡ଼ରେ ମୁର୍ମୁଷ ଅବସ୍ଥାରେ ପଡ଼ିଥିବା ଯୁବତୀଙ୍କୁ ଉଦ୍ଧାର କରି ଯାଜପୁର ରୋଡ଼ ପୁଲିସ ସହଯୋଗରେ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଯାଜପୁର ରୋଡ଼ ମେଡ଼ିକାଲରେ ଚିକିତ୍ସା ସମୟରେ ଯୁବତୀର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାକୁ ଯାଜପୁର ରୋଡ ଥାନା ଅଧିକାରୀଙ୍କ ସାହାଯ୍ୟ କ୍ରମେ ପ୍ରଥମେ ଟାଟା ମେଡ଼ିକାରେ ଭର୍ତ୍ତି କରାଯାଇଥିଲା। ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବାରୁ ଟାଟା ମେଡ଼ିକାଲ କର୍ତ୍ତୃପକ୍ଷ ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଆପୋଲରେ ଚିକିତ୍ସାଧିନ ଥିବା ଯୁବତୀ ଜଣଙ୍କ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।
ଯୁବତୀଙ୍କ ମାଆ ଶୁକ୍ରବାର ଏ ସଂପର୍କରେ ଯାଜପୁର ରୋଡ ଥାନାରେ ଅଭିଯୋଗ କରିଛନ୍ତି। କେହି ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିବାକୁ ଉଦ୍ୟମ କରିଥିବା ଯୁବତୀଙ୍କ ମାଆ ମମତା ସେଠି ଅଭିଯୋଗରେ ଦର୍ଶାଇ ଘଟଣାର ତଦନ୍ତ କରିବାକୁ ନିବେଦନ କରିଛନ୍ତି। ଏନେଇ ଯାଜପୁର ରୋଡ ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତକୁ ଅଗ୍ରସର କରିଛି ।



