ଟ୍ରେନରେ ଶୌଚାଳୟ ପର୍ଯ୍ୟନ୍ତ ଶୋଇଛନ୍ତି ଯାତ୍ରୀ, ଭିଡିଓ ଭାଇରାଲ ପରେ ଏମିତି ଲେଖିଲା ରେଳବାଇ

ନୂଆଦିଲ୍ଲୀ : ଯୋଧପୁରରୁ ମୁମ୍ବାଇ ଯାଉଥିବା ସୂର୍ଯ୍ୟନଗରୀ ଏକ୍ସପ୍ରେସରେ ଯାତ୍ରୀରେ ପରିପୂର୍ଣ୍ଣ ଡବାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ନଜର ଆସୁଛି କି ଡବାଠୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ କେଉଁଠି ବି ସ୍ଥାନ ଫାଙ୍କା ନାହିଁ । ସବୁଠି ଯାତ୍ରୀ ଶୋଇଛନ୍ତି । ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଭିଡିଓଟି ଇଣ୍ଟରନେଟରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବା ପରେ ଏଥିରେ ପଶ୍ଚିମ ରେଳବାଇ ପ୍ରତିକ୍ରିୟା ରଖିଛି । ରେଳବାଇ ଲେଖିଛି କି ଆମେ ଏହା ଜାଣିବା ପରେ ବଡୋଦରା, ସୁରଟ ଓ ଭାପି ଷ୍ଟେସନରେ ଆରପିଏଫ୍ କର୍ମଚାରୀଙ୍କ ସାହାଯ୍ୟରେ ଓ୍ବେଟିଂ ତାଲିକାରେ ଥିବା ଯାତ୍ରୀଙ୍କୁ ୧୨୪୭୯ ଯୋଧପୁର –ମୁମ୍ବାଇ ସୂର୍ଯ୍ୟନଗରୀ ଏକ୍ସପ୍ରେସର ସଂରକ୍ଷିତ କୋଚରୁ ସ୍ଥାନାନ୍ତର କରିଦିଆଯାଇଛି ।

ପଶ୍ଚିମ ରେଳବାଇ ଆଗକୁ ଲେଖିଛି କି ‘ଯାତ୍ରୀଙ୍କ ସୁବିଧା ପାଇଁ ଏହି ଗରମରେ ଭିଡ କମାଇବା ନିମନ୍ତେ ଭାରତୀୟ ରେଳ ଦ୍ବାରା ସମର ସ୍ପେଶାଲ ଟ୍ରେନ୍ ଚଳାଯାଉଛି । ଏହା ବ୍ୟତୀତ ରେଳ କର୍ମଚାରୀଙ୍କ ଦ୍ବାରା ନିୟମିତ ଯାଞ୍ଚ ମଧ୍ୟ କରାଯାଉଛି । ଯାତ୍ରୀଙ୍କୁ ଅନୁରୋଧ ସେମାନେ ନିଜ ଯାତ୍ରାର ଯୋଜନା କରି ସମର ସ୍ପେଶାଲ ଟ୍ରେନର ସୁବିଧାର ଲାଭ ଉଠାନ୍ତୁ ।’

Comments are closed.