www.samajalive.in
Thursday, December 11, 2025
15.1 C
Bhubaneswar

ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା:ଓଡ଼ିଶା ମଣ୍ଡପ ଉଦ୍‌ଘାଟିତ

ନୂଆଦିଲ୍ଲୀ(ବ୍ୟୁରୋ): ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଆୟୋଜିତ ୪୪ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍‌ଘାଟନ କରିଛନ୍ତି । ନଭେମ୍ବର ୧୪ରୁ ୨୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ବାଣିଜ୍ୟ ମେଳାର ଭାରତ ମଣ୍ଡପମ ହଲ୍‌ ସଂଖ୍ୟା ୪ରେ ଓଡ଼ିଶା ପାଭିଲିୟନ ରହିଛି । ଚଳିତ ବର୍ଷର ଥିମ ହେଉଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ । ଏଥର ଓଡ଼ିଶା ମଣ୍ଡପର ମୁଖ୍ୟ ପ୍ରବେଶ ଦ୍ୱାରରେ ଶ୍ରୀମନ୍ଦିର ସିଂହଦ୍ୱାର ଆକୃତିର ତୋରଣ ଶୋଭା ପାଉଛି । ସେହିପରି ଅନ୍ୟ ଏକ ପ୍ରବେଶଦ୍ୱାରରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ସ୍ମୃତିକୁ ମନେପକାଇ ବୋଇତ ଆକୃତିର ତୋରଣ ନିର୍ମାଣ କରାଯାଇଛି । ଓଡ଼ିଶା ମଣ୍ଡପ ଭିତରେ ଧଉଳି ଆକାରର ଶାନ୍ତିସ୍ତୂପ ଓ ଡୋକ୍ରା କାରିଗରୀ ସାଙ୍ଗକୁ ଆଧୁନିକ ଜାହାଜର ପ୍ରତିରୂପ ଦର୍ଶକଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି । ଚଳିତ ବର୍ଷ ଓଡ଼ିଶା ମଣ୍ଡପରେ ସମୁଦାୟ ୨୮ଟି ଷ୍ଟଲ୍‌ ରହିଛି । ଏଥିରେ ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହ ଓରମାସ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ସୁଭଦ୍ରା ଶକ୍ତି ମା’ଙ୍କ ହାତ ତିଆରି ସାମଗ୍ରୀ, କୋରାପୁଟ କଫି ଓ ପୁଷ୍ଟିଶସ୍ୟ ଖାଦ୍ୟ ପଦାର୍ଥ ଆଦି ସ୍ଥାନ ପାଇଛି। ରାଜ୍ୟର ହସ୍ତକଳା ଓ ହସ୍ତଶିଳ୍ପ କାରିଗରମାନେ ଲାଇଭ ଡେମନଷ୍ଟ୍ରେସନ କରି ସାମଗ୍ରୀ ପ୍ରଦର୍ଶିତ କରୁଛନ୍ତି । ସେହିପରି ପଟ୍ଟଚିତ୍ର, ତାରକସୀ, ସବାଇଘାସ, ଲାଖରୁ ପ୍ରସ୍ତୁତ ସାମଗ୍ରୀ ସମେତ ପ୍ରସିଦ୍ଧ ରସଗୋଲା, ଛେନାପୋଡ଼, ଛେନାଝିଲ୍ଲୀ ଓ ଆଳୁଦମ ଦହିବରା ଆଦି ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେଉଛି ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଏଥର ଓଡ଼ିଶା ମଣ୍ଡପ ବେଶ୍‌ ଆକର୍ଷଣୀୟ ହୋଇଛି । ଏଠାରେ ରାଜ୍ୟର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ସହ କୃଷି, ଶିଳ୍ପ ଓ ବାଣିଜ୍ୟ ଏବଂ ରାଜ୍ୟର ସାମଗ୍ରିକ ବିକାଶର ଛବି ପ୍ରତିଫଳିତ ହେଉଛି । ଓଡ଼ିଶାର ଅନନ୍ୟ ହସ୍ତତନ୍ତ ଓ ଗ୍ରାମୀଣ ଉତ୍ପାଦ, ସୁଭଦ୍ରା ଶକ୍ତି ମହିଳାଙ୍କ ହାତ ତିଆରି ଜିନିଷ ଏହି ବାଣିଜ୍ୟ ମେଳାରେ ପ୍ରଦର୍ଶିତ ହେଉଛି । ଓଡ଼ିଶା ସବୁବେଳେ ମହିଳାଙ୍କୁ ଗୁରୁତ୍ୱ ଦେଇ ଆସୁଛି । ସବୁ ଷ୍ଟଲରେ ମହିଳାଙ୍କ ଉପସ୍ଥିତି ଏକଥାକୁ ପ୍ରମାଣିତ କରୁଛି ବୋଲି ଶ୍ରୀମତୀ ପରିଡ଼ା ଦର୍ଶାଇଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଅନୁଜ ଦାସ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories