www.samajalive.in
Monday, December 8, 2025
13.1 C
Bhubaneswar

ସମଲେଶ୍ୱରୀ ମନ୍ଦିର ଟୋପୋଗ୍ରାଫିକାଲ ସର୍ଭେ ଶୀଘ୍ର ! ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ଢାଞ୍ଚାରେ ହେବ ସଂପ୍ରସାରଣ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ପୁରୀ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଭଳି ମନ୍ଦିର ଚତୁଃପାର୍ଶ୍ବରେ ସମ୍ପ୍ରସାରଣ ଯୋଜନା ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଥିବା ସୂଚନା ମିଳିଛି। ଖୁବ୍‌ ଶୀଘ୍ର ରାଜସ୍ୱ ଓ ପୂର୍ତ୍ତ ବିଭାଗ ଦ୍ୱାରା ସମଲେଶ୍ୱରୀ ମନ୍ଦିରର ଟୋପୋଗ୍ରାଫିକାଲ ସର୍ଭେ ଆରମ୍ଭ ହେବ। ସେମାନେ ଚତୁଃପାର୍ଶ୍ବସ୍ଥ ଅଞ୍ଚଳରେ କେତେ ସରକାରୀ / ବେସରକାରୀ ଜମି ବା ଘର ଅଛି ତାହା ଚିହ୍ନଟ ଓ ମୂଲ୍ୟାୟନ କରିବେ। ସୂଚନାଯୋଗ୍ୟ ଯେ, ପୁରୀ ମନ୍ଦିରର ଚତୁଃପାର୍ଶ୍ବରେ ୭୫ ମିଟର ପରିମିତ ସ୍ଥାନକୁ ଖାଲି କରାଯିବା ସହ ସେଠାକାର ଲୋକଙ୍କୁ କ୍ଷତିପୂରଣ ବାବଦକୁ ଟଙ୍କା ଓ ଅନ୍ୟ ସ୍ଥାନରେ ଜମି /ଘର ମଧ୍ୟ ଦିଆଯାଇଛି। ସରକାରଙ୍କ ସେଭଳି ୭୫ ମିଟର ବା ୧୦୦ ମିଟର ବୋଲି ନିର୍ଦ୍ଧାରିତ ମାନକ ନଥିବାବେଳେ କେତେ ମିଟର ପରିମିତ ସ୍ଥାନରେ କେତେ ଜମି ବା ନିର୍ମାଣ ହୋଇଥିବା ଘର ରହିଛି ଏବଂ ଏଥିପାଇଁ କ୍ଷତିପୂରଣ କେତେ ବ୍ୟୟ ହେବ ତାହା ନିଶ୍ଚିତ କରାଯିବ। ସର୍ଭେ ରିପୋର୍ଟ ପାଇବା ପରେ ସରକାର କ୍ଷତିପୂରଣ ଟଙ୍କା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏନେଇ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ତେବେ, ଏହା ଏକ ଦୀର୍ଘ ଯୋଜନା ପ୍ରକ୍ରିୟା ହୋଇଥିବା ବେଳେ ଅଧିଗ୍ରହଣ ଓ ସମ୍ପ୍ରସାରଣ ପ୍ରକ୍ରିୟା ସକାଶେ ସମୟ ନେବ ବୋଲି କୁହାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଶ୍ୱରୀ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବାବେଳେ ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ଅଞ୍ଚଳରେ ଆନ୍ତର୍ଜାତିକସ୍ତରର ପର୍ଯ୍ୟଟନ ବିକାଶ କରାଯିବ ବୋଲି ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଏଥିସକାଶେ ବଜେଟରେ ୫୦ କୋଟି ଟଙ୍କା ପ୍ରାବଧାନ ହୋଇଛି। ସମଲେଶ୍ୱରୀ ମନ୍ଦିର ଚତୁଃପାର୍ଶ୍ବସ୍ଥ ଅଞ୍ଚଳ ସମ୍ପ୍ରସାରିତ ହେଲେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ପୂର୍ବରୁ ପ୍ରସ୍ତାବିତ ତଥା ରାଜ୍ୟ ପର୍ଯ୍ୟଟନ ବିଭାଗ ମଞ୍ଜୁର କରିଥିବା ୨ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦ ହଜାର ବର୍ଗଫୁଟ ପରିମିତ ଜାଗାରେ ୧୦୦ ଶଯ୍ୟା ବିଶିଷ୍ଟ ଡର୍ମିଟୋରୀ, ଯାତ୍ରୀ ନିବାସ ଓ ୫୦୦ ଜଣ ଥରକେ ବସି ପ୍ରସାଦ ସେବନ କରିବା ସକାଶେ ହଲ୍‌ ନିର୍ମାଣ କରାଯିବ।

ଅନ୍ୟପକ୍ଷରେ ଧଉଳିଗିରି, କୋଣାର୍କ ଆଦି ଢାଞ୍ଚାରେ ମା’ଙ୍କ ଗାଥା ଓ ଇତିହାସକୁ ନେଇ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ବ୍ୟବସ୍ଥା ପାଇଁ ୭.୫୮ କୋଟି ଟଙ୍କା ଜମା ହୋଇ ସାରିଥିବାବେଳେ ତାହାର ଟେଣ୍ଡର କରାଯାଇ ସଂସ୍ଥା ପକ୍ଷରୁ ଇନ୍‌ଷ୍ଟଲେସନ କାର୍ଯ୍ୟ କିଛିଦିନ ମଧ୍ୟରେ ଆରମ୍ଭ ହେବ। ଇନ୍‌ଷ୍ଟଲେସନ ସକାଶେ ଆବଶ୍ୟକ ଯାନ୍ତ୍ରିକ ଉପକରଣ ଅଣାଯାଇ ସାରିଥିବାବେଳେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବିଳମ୍ବିତ କରାଯାଉଥିଲା। ଏହାର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଏହାର ସ୍କ୍ରିପ୍ଟରେ ମା’ ସମଲେଶ୍ୱରୀ ମନ୍ଦିରର ଇତିହାସ, ସମଲେଶ୍ୱରୀ ମନ୍ଦିର ସହିତ ଜଡ଼ିତ ସମସ୍ତ ପରଂପରା, ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର କଳାସଂସ୍କୃତି, ଐତିହ୍ୟ, ପରଂପରା ସହିତ ନୂଆଁଖାଇ ଓ ଦଶହରା ନବରାତ୍ର ପୂଜାଠୁ ଆରମ୍ଭ କରି ସମ୍ବଲପୁରୀ ବସ୍ତ୍ର ପର୍ଯ୍ୟନ୍ତ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ରେ ଦେଖାଯିବ। ଏହାସହିତ ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଓ ଗୌରବମୟ ଇତିହାସକୁ ସ୍ଥାନ ଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ମସିହାରେ ସମଲେଶ୍ୱରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା ସକାଶେ ୭ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିବାବେଳେ ପରାମର୍ଶଦାତା ସଂସ୍ଥା ସକାଶେ ଟେଣ୍ଡର ହୋଇ ରାହିନୋ ଇଞ୍ଜିନିୟରିଂ ପ୍ରାଇଭେଟ୍‌ ଲିମିଟେଡ଼କୁ ନିଯୁକ୍ତ କରାଯାଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories