ଟୋଲ ପ୍ଲାଜା ଲିଜ ମିଳିବାରୁ ରାସ୍ତାରେ ଗୁଳି ଫୁଟାଇ ଖୁସି ମନାଇଲେ, ବାନ୍ଧିଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ଟୋଲ ପ୍ଲାଜା ଲିଜ ମିଳିବା ପରେ ଖୁସି ହୋଇ ରାସ୍ତାରେ ଗୁଳି ଫୁଟାଇଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ପୁଲିସ ନଜରରେ ପଡ଼ିଥିଲା। ଶେଷରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଘଟଣାଟି ମଧ୍ୟପ୍ରଦେଶର। ମୋରିନା ଜିଲା ଅନ୍ତର୍ଗତ ରତିରାମପୁରା ଟୋଲ ପ୍ଲାଜାକୁ ଜଣେ ବ୍ୟକ୍ତି ଲିଜ୍‌ ଆକାରରେ ନେବା ପାଇଁ ଆବେଦନ କରିଥିଲେ। ଶେଷରେ ତାଙ୍କୁ ଲିଜ୍‌ ମିଳିଥିଲା। ଏହି ଖୁସିରେ ସେ ଓ ତାଙ୍କ ପରିବାରର ୧୯ ସଦସ୍ୟ ଟୋଲ ପ୍ଲାଜା ନିକଟରେ ଖୁସି ମନାଇଥିଲେ। ଏହି ସମୟରେ ସେମାନେ ଏକାଧିକ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିଥିଲେ। ଏହାଦ୍ବାରା ରାସ୍ତାରେ ଯାଉଥିବା ପଥଚାରୀ ବି ଭୟଭୀତ ହୋଇଥିଲେ। ଏହି ସମୟର ଦୃଶ୍ୟକୁ କେହି ଜଣେ ରେକର୍ଡ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ପୁଲିସ ଏହି ଭିଡିଓ ଦେଖିବା ପରେ ଗୁଳି ଫୁଟାଇଥିବା ୪ ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ଗିରଫ କରିଛି। ପୁଲିସ ସେମାନଙ୍କ ବନ୍ଧୁକ ଜବତ କରିଛି। ଏହା ସହିତ ପୁଲିସ ଜିଲାପାଳଙ୍କୁ ଚିଠି ଲେଖି ଟୋଲ ପ୍ଲାଜା ଲାଇସେନ୍ସ ରଦ୍ଦ କରିବାକୁ ଜଣାଇଛି।

Comments are closed.