www.samajalive.in
Friday, December 5, 2025
23.1 C
Bhubaneswar

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ପର୍ଥ: ଭାରତୀୟ ଦଳ ୭ ମାସ ପରେ ଦିନିକିଆ କ୍ରିକେଟ୍‌ ଖେଳିବାକୁ ଯାଉଛି। ମାର୍ଚ୍ଚରେ ଚମ୍ପିଆନ୍‌ସ ଟ୍ରଫି ଜିତିବା ପରେ ରବିବାର ପ୍ରଥମଥର ୫୦ ଓଭରର ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ହେଉଛି। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଆଜି ଖେଳିବ। ଗତ ଏକ ଦଶନ୍ଧି ଧରି ବିରାଟ କୋହଲି ଓ ରୋହିତ ଶର୍ମା ଭାରତୀୟ ଦିନିକିଆ ଦଳର ମଙ୍ଗ ଧରିଥିବା ବେଳେ ଏହି ଶୃଙ୍ଖଳାରୁ ଶୁଭମନ ଗିଲ୍‌ଙ୍କ ଯୁଗ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍‌ ଜୀବନର ଅପରାହ୍‌ଣରେ ପହଞ୍ଚି ସାରିଥିବା କୋହଲି ଓ ରୋହିତ ଦଳରେ ରହିଛନ୍ତି। ଶୃଙ୍ଖଳାରେ ଏହି ଦୁଇ ବ୍ୟାଟିଂ ମହାରଥୀଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏଣେ କିଛି ପ୍ରମୁଖ ଖେଳାଳିଙ୍କ ବିନା ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ଯାହାର ଫାଇଦା ଭାରତକୁ ମିଳିବ। ଚମ୍ପିଆନ୍‌ସ ଟ୍ରଫିରେ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିଥିଲା। ଅଗଷ୍ଟରେ ଅଷ୍ଟ୍ରେଲିଆ ଶେଷ ଦିନିକିଆ ମ୍ୟାଚ୍‌ ଖେଳି ଦକ୍ଷିଣ ଆଫ୍ରିକାକୁ ୨୭୬ ରନ୍‌ରେ ହରାଇ ୨ୟ ସର୍ବାଧିକ ରନ୍‌ରେ ବିଜୟୀ ହୋଇଥିଲା।
ଗତ ୧୨ ମାସରେ ଅଷ୍ଟ୍ରେଲିଆର ଦିନିକିଆ ରେକର୍ଡ ଭଲ ନାହିଁ। ପାକିସ୍ତାନ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକାଠାରୁ ଅଷ୍ଟ୍ରେଲିଆ କ୍ରମାଗତ ୩ଟି ଦିନିକିଆ ଶୃଙ୍ଖଳା ହାରିଛି। ଗତ ୧୦ଟି ଦିନିକିଆରୁ ଅଷ୍ଟ୍ରେଲିଆ ମାତ୍ର ୨ଟି ଜିତିଛି। ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ ଓ ମାର୍କସ ଷ୍ଟଇନିସ୍‌ଙ୍କ ଅବସର ପରେ ଅଷ୍ଟ୍ରେଲିଆ ଦିନିକିଆ ଦଳର ସନ୍ତୁଳନ ବିଗିଡ଼ି ଯାଇଛି। ଅନ୍ୟପକ୍ଷ​‌ରେ ଭାରତ ବିଶ୍ବର ୧ନଂ ଦିନିକିଆ ଦଳ। ଭାରତ କ୍ରମାଗତ ୮ଟି ଦିନିକିଆ ଜିତିଛି। ଯଶପ୍ରୀତ ବୁମ୍‌ରା ବିଶ୍ରାମ ନେଇଥିବାରୁ ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ, ନୀତୀଶ କୁମାର ରେଡ୍‌ଡୀଙ୍କ ପରି ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟିହୋଇଛି। ଅଷ୍ଟ୍ରେଲିଆର ଶକ୍ତି ହେଉଛି ଏହାର ବିସ୍ଫୋରକ ଓପ୍‌ନିଂ ଯୋଡ଼ି। ଅଧିନାୟକ ମିଚେଲ ମାର୍ଶ ଓ ଟ୍ରାଭିସ୍ ହେଡ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥାଆନ୍ତି। ମାର୍ଶ ଚମତ୍କାର ଫର୍ମରେ ଅଛନ୍ତି। ଦୁହିଁଙ୍କୁ ଜଲ୍‌ଦି ଆଉଟ୍‌ କରିଦେଲେ ଭାରତ ସୁବିଧାଜନକ ସ୍ଥିତିରେ ରହିବ।
ଅଷ୍ଟ୍ରେଲିଆ ମଧ୍ୟକ୍ରମରେ ଭଲ ବ୍ୟାଟ୍‌ସମ୍ୟାନ୍ ନାହାନ୍ତି। ଜୋସ୍ ଇଙ୍ଗ୍‌ଲିଶ୍ ପ୍ରଥମ ୨ଟି ମ୍ୟାଚ୍‌ ଖେଳିବେ ନାହିଁ। କାମେରନ୍ ଗ୍ରୀନ୍ ପୂରା ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ଆଲେକ୍ସ କ୍ୟାରୀ ଓ ଆଡାମ୍‌ ଜାମ୍ପା ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ। ତେଣୁ ଅନଭିଜ୍ଞ ମାଥ୍ୟୁ ସର୍ଟ, ମିଚେଲ ଓୱେନ୍ ଓ ଜୋଶ୍‌ ଫିଲିପ୍‌ ମଧ୍ୟକ୍ରମ ସମ୍ଭାଳିବେ। ଫିଲିପ୍‌ ୱିକେଟ୍‌ ରକ୍ଷଣ କରିବେ। ଅଲ୍‌ରାଉଣ୍ଡର କୁପର କନୋଲିଙ୍କୁ ସୁଯୋଗ ମିଳିପାରେ ମିଚେଲ ଷ୍ଟାର୍କ ଓ ଜୋସ୍ ହାଜେଲ୍‌ଉଡ ଦଳର ଦୁଇ ଅଭିଜ୍ଞ ପେସ୍‌ ବୋଲର ଥିବା ବେଳେ ବେନ୍‌ ଡ୍ବାର୍‌ସିଅସ୍ ଓ ନାଥାନ୍ ଏଲିସ୍‌ଙ୍କୁ ସୁଯୋଗ ମିଳିପାରେ। ମାଥ୍ୟୁ କୁନେମାନ ଏକମାତ୍ର ସ୍ପିନର ଭାବେ ଖେଳିପାରନ୍ତି।
ରୋହିତଙ୍କ ସହ ଶୁଭମନ ଗିଲ୍‌ ଓପନ୍‌ କରିବାର ଥିବାରୁ ଯଶସ୍ବୀ ଜୟସୱାଲ ବାହାରେ ବସିବେ। କେ.ଏଲ୍‌. ରାହୁଲ ୱିକେଟ୍‌ ରକ୍ଷଣ କରିବେ। ପେସ୍‌ ବୋଲର ଭାବେ ହର୍ଷିତ ରାଣା ଓ ମହମ୍ମଦ ସିରାଜ୍‌ ଏବଂ ଅଲ୍‌ରାଉଣ୍ଡର ଭାବେ ନୀତୀଶ ରେଡ୍‌ଡୀଙ୍କ ଖେଳିବା ନିଶ୍ଚିତ ହୋଇଥିବା ବେଳେ ପ୍ରସିଦ୍ଧ କୃଷ୍ଣ ଓ ଅର୍ଶଦୀପ ସିଂହଙ୍କ ମଧ୍ୟରୁ ଜଣେ ଖେଳିବେ। ପୁଣି ସ୍ପିନର ଭାବେ ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ଖେଳିବେ। ପର୍ଥର ନୂଆ ଷ୍ଟାଡିୟମ୍‌ରେ ଭାରତ କୌଣସି ଦିନିକିଆ ମ୍ୟାଚ୍‌ ଖେଳିନାହିଁ ଏବଂ ଏଠାରେ ଅଷ୍ଟ୍ରେଲିଆ କୌଣସି ଦିନିକିଆ ଜିତିନାହିଁ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories