www.samajalive.in
Sunday, December 7, 2025
26.1 C
Bhubaneswar

ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଦେବଦୂତ ସାଜିଲା ବିକାଶ ସେନା, ରକ୍ତ ଦଲାଲି ନେଇ ଏସଡିଏମଓଙ୍କୁ ଫେରାଦ

ଟିଟିଲାଗଡ଼ : ଟିଟିଲାଗଡ ଅଂଚଳରେ ମାରୱାଡି ମହିଳା ସମିତିଙ୍କ ଠାରୁ ଆରମ୍ଭ କରି ଶାସକ ବିଜେଡି, ରକ୍ତଦାତା ସଂଘ, ବିଭିନ୍ନ ବ୍ୟାଙ୍କ ପ୍ରତିଷ୍ଠାନ, ମାରୱାଡି ଯୁବା ମଂଚ, ବଡମାଳ ଗୋଳାବାରୁଦ କାରଖାନା କର୍ମଚାରୀ, ଟିଟିଲାଗଡ ବିକାଶ ସେନା ପ୍ରମୁଖ ଅନେକ ଅନୁଷ୍ଠାନ ତଥା ସଦସ୍ୟ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଏପରିପ୍ରେକ୍ଷୀରେ ଟିଟିଲାଗଡ ଡାକ୍ତରଖାନାରେ ଭର୍ତି ଗରିବ ପରିବାରର ଶିଶୁଙ୍କ ଚିକିତ୍ସା ପାଇଁ ଆବଶ୍ୟକ ରକ୍ତ ପାଇଁ ଦଲାଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଏନେଇ ଆଜି “ସମାଜ”ରେ ଖବର ପ୍ରକାଶିତ ହେବା ଆଲୋଚନାର ବିଷୟ ପାଲଟିଛି। ଟିଟିଲାଗଡ ଅଂଚଳରେ ରକ୍ତଦାନ କ୍ଷେତ୍ରରେ ଉତ୍ସାହ ସୃଷ୍ଟି ପାଇଁ ବିଶେଷ ଯୋଗଦାନ ଦେଇ ଆସିଥିବା ବ୍ୟଙ୍ଗ କବି ଟିକେଲାଲ ବେହେରା, ପୂର୍ବତନ ମିଷ୍ଟର ଇଣ୍ଡିଆ ସନ୍ତୋଷ ମହାନ୍ତି, ଟିଟିଲାଗଡ ରକ୍ତଦାତା ସଂଘ ସଭାପତି ବନମାଲି ବେହେରା ଜୀବନ ରକ୍ଷାକାରୀ ରକ୍ତ କିଣା ଘଟଣା ଦୁଃଖଦ ବୋଲି କହିଛନ୍ତି। ଅପରପକ୍ଷରେ ଟିଟିଲାଗଡ ଅଂଚଳରେ ସମାଜ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଥିବା ବିକାଶ ସେନା ପକ୍ଷରୁ ସଭାପତି ଇଂ ଅମ୍ଲାନ ଷଡଙ୍ଗୀଙ୍କ ନେତୃତ୍ୱରେ ଛାତ୍ର ନେତା ଚନ୍ଦନ ପଣ୍ଡା, ଦୁର୍ଯୋଧନ ବେହେରା, ଧନୀରାମ ବେହେରା, ସମିର ମନହୀରା, ଅଶୁତୋଷ ମିଶ୍ର, ନିରଞ୍ଜନ ରଣା, ଜିତେନ ବାଗ, ବିନାୟକ ଶ୍ରେଷ୍ଠ, ଶେଖର ଦାଶ, ଆସିଫ ଖାନ, ସେକ ଅରବାଜ, ସୁରଜ ଦାଶ ପ୍ରମୁଖ ଆଜି ଡାକ୍ତରଖାନା ଯାଇ ସମ୍ପୃକ୍ତ ଶିଶୁ ତଥା ପରିବାରଙ୍କୁ ଭେଟି ସଂଗଠନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଗରିବ ପରିବାରର ଭିନ୍ନକ୍ଷମ ଶିଶୁଙ୍କ ଚିକିତ୍ସା ପାଇଁ ରକ୍ତ କିଣା ଯିବା ଦୁର୍ଭାଗ୍ୟଜନକ ବୋଲି ବିକାଶ ସେନା ପ୍ରତିନିଧି ଟିଟିଲାଗଡ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଳଙ୍କୁ ସାକ୍ଷାତ ସହ ପ୍ରତିବାଦ କରିଛନ୍ତି। ଅନ୍ୟପକ୍ଷରେ ଆନ୍ତର୍ଜାତୀୟ ରେଡକ୍ରସ ସଂସ୍ଥା ଦ୍ୱାରା ପରିଚାଳିତ ଟିଟିଲାଗଡ ରକ୍ତ ଭଣ୍ଡାରରେ ବ୍ୟାପକ ଅବ୍ୟବସ୍ଥା ନେଇ ପରିଚାଳନା ଦାୟିତ୍ୱରେ ରହିଥିବା ଅଧିକାରୀ ଗଜେନ୍ଦ୍ରନାଥ ରାଉତଙ୍କୁ ଘେରିଥିଲେ। ଗଚ୍ଛିତ ହୋଇ ରହିଥିବା ବିଭିନ୍ନ ଗୃପ ରକ୍ତ ୟୁନିଟର ପରିମାଣ ନେଇ କାହିଁକି ବୋର୍ଡରେ ଉଲ୍ଲେଖ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ। କୌଣସି ଗରିବ ନିଃସହାୟ ପରିବାରଙ୍କୁ ରକ୍ତ ଆବଶ୍ୟକତା ରହିଥିବା ସମାଜସେବୀଙ୍କ ବଦଳରେ ଦଲାଲଙ୍କ ପାଖକୁ କିଭଳି ଖବର ଚାଲିଯାଉଛି। ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ସବିଶେଷ ସୂଚନା ରେଡକ୍ରସ ପକ୍ଷରୁ ଲିପିବଦ୍ଧ କରାଯାଉଥିବା ବେଳେ ଏହି ଘଟଣାରେ କାହାରିକୁ ଯୋଗାଯୋଗ କରାଯାଇଥିଲା କି ବୋଲି ଇଂ ଷଡଙ୍ଗୀ ପ୍ରଶ୍ନ କରିଥିଲେ। ସୂଚନା ଯେ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଭୁଏରପଡା ଗ୍ରାମର ଗରିବ ମଜୁରିଆ ଛିନୁ ଭୋଇଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଗତ ମଇ ମାସରେ ଅଜଣା ରୋଗରେ ପୀଡିତ ହେବା ବେଳେ ରକ୍ତ ହୀନତା ଦେଖାଦେଇଥିଲା। ପୁଅକୁ ନେଇ ପିତା ଛିନୁ ବୁର୍ଲା ଡାକ୍ତରଖାନାକୁ ଯାଇଥିଲେ। ସେଠାରେ କିଛି ଦିନ ଚିକିତ୍ସା ପରେ କଟକ ନେବାକୁ ପରାମର୍ଶ ଦିଆଯାଇଥିବା ବେଳେ ଅର୍ଥାଭାବରୁ ପୁଅକୁ ନେଇ ଘରକୁ ଫେରିଆସିଥିଲେ। ପୁଣି ଦେହ ଅସୁସ୍ଥ ହେବାରୁ ଜୁନ ମାସରେ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ। ରକ୍ତ ଆବଶ୍ୟକତା ହେବାରୁ ୧୧୦୦ ଟଙ୍କା ଲେଖାଏଁ ଦେଇ ଦୁଇ ୟୁନିଟ ରକ୍ତ ଯୋଗଡ କରିଥିଲେ। ଏବେ ପୁଣି ଗତ ଚାରି ଦିନ ହେବ ଟିଟିଲାଗଡ ଡାକ୍ତରଖାନାରେ ଭର୍ତି କରିଛନ୍ତି। ରକ୍ତ ଆବଶ୍ୟକତା ହେବାରୁ ଗୋଟିଏ ୟୁନିଟ ନିଜ ସମ୍ପର୍କିୟଙ୍କୁ ଡାକି ଟିଟିଲାଗଡ ରେଡକ୍ରସ ରକ୍ତ ଭଣ୍ଡାରକୁ ଦାନ ପରେ ହିଁ ରକ୍ତ ଦିଆଯାଇଥିଲା। ଆଉ ଗୋଟିଏ ୟୁନିଟ ପାଇଁ ରକ୍ତ ଭଣ୍ଡାର ଅଧିକାରୀଙ୍କୁ ଫେରାଇଦେବେ ବୋଲି ପ୍ରତିଶୃତି ଦେବା ପରେ ମିଳିଥିବା ଜଣାଯାଇଛି। ପୂର୍ବରୁ ରକ୍ତ ଦଲାଲି ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ସମ୍ପ୍ରତି ବିଭିନ୍ନ ସଂଗଠନ ତଥା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମାଗଣାରେ ରକ୍ତଦାନ ପାଇଁ ଯୁବବର୍ଗ ଆଗେଇ ଆସିବା ପରେ ମଧ୍ୟ ଅବସ୍ଥା ଯଥା ପୂର୍ବଂ ତଥା ପରଂ ରହିବା ଟିଟିଲାଗଡ ଯୁବସମାଜକୁ ଆନ୍ଦୋଳିତ କରିଛି। ଏପରିପ୍ରେକ୍ଷୀରେ ଶିଶୁଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ଥା ସହ ପରିବାରଙ୍କୁ ରେଡକ୍ରସ ତଥା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବିକାଶ ସେନା ପକ୍ଷରୁ ଦାବି ହୋଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories