ତିଗିରିଆ: ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପତିତପାବନଙ୍କ ମନ୍ଦିର ପରିସରରେ ଥିବା ଏକ କୂଅରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହ ଘେରରେ ରହିଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଏହି ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ଗୌତମପୁର ଗ୍ରାମର ସନ୍ତୋଷ ଚନ୍ଦ(୨୯) ଗତ ୩ ଦିନ ତଳେ ମନ୍ଦିରକୁ ଯାଇ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଶେଷରେ ସନ୍ତୋଷଙ୍କ ବାପା ଦାଶରଥି ଚନ୍ଦ ଗତ ୨୫ ତାରିଖରେ ଥାନାକୁ ଆସି ପୁଅ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିଥିଲା। ତେବେ ବୁଧବାର ସକାଳ ସମୟରେ ପତିତପାବନ ମନ୍ଦିରକୁ ଆସିଥିବା ସ୍ଥାନୀୟ ଲୋକେ ମନ୍ଦିର ପଛପଟେ ଫୁଲ ବଗିଚା ମଧ୍ୟରେ ରହିଥିବା କୂଅରେ ଏକ ମୃତଦେହ ଭାସୁଥିବା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀଙ୍କ ସହାୟତାରେ ମୃତଦେହକୁ କୂଅ ମଧ୍ୟରୁ ଉଦ୍ଧାର କରିଥିଲା। ଘଟଣା ସ୍ଥଳରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ, ତିଗିରିଆ ଥାନାଧିକାରୀ ଜ୍ଞାନ ରଞ୍ଜନ ସାମଲ, ଏସଆଇ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତିରେ ମୃତଦେହ ଜବତ ହେବା ସହ ସେହିଠାରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ମୃତ ସନ୍ତୋଷଙ୍କ ବାପା ଦାଶରଥିଙ୍କ ହତ୍ୟା ଅଭିଯୋଗକୁ ଆଧାର କରି ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହିତ ପୁଲିସ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି।



