www.samajalive.in
Thursday, December 11, 2025
26.1 C
Bhubaneswar

ଚାଷୀମାନଙ୍କ ଖୁସିରେ ମୁଁ ଖୁସି, ଚାଷୀ ଭାଇଙ୍କ ସମୃଦ୍ଧି ହିଁ ରାଜ୍ୟର ସମୃଦ୍ଧି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଭାଇଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ କାଳିଆ କେନ୍ଦ୍ର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇଭଉଣୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ ହୁଅନ୍ତୁ ଏବଂ ଓଡିଶାର ସମୃଦ୍ଧିରେ ଯୋଗଦାନ ରଖନ୍ତୁ। ମୁଖ୍ୟମନ୍ତ୍ରୀ ଏହି ଅବସରରେ କାଳିଆ ଯୋଜନାର ସମୟ ଅବଧି ଆଉ ୩ ବର୍ଷ ଅର୍ଥାତ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ । ଏଥିପାଇଁ ରାଜ୍ୟ ସରକାର ୬୦୩୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଶିକ୍ଷା କେବଳ ଗୋଟିଏ ବ୍ୟକ୍ତିକୁ ନୁହେଁ, ପୁରା ପରିବାରକୁ, ସମାଜକୁ ସଶକ୍ତି କରିଥାଏ। ତେଣୁ କାଳିଆ ହିତାଧିକାରୀ ପିଲାମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରୁ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣି ଏନଆଇଟି, ଆଇଆଇଟି, ଆଇଆଇଏମ, ଏଆଇଆଇଏମଏସ, ଆଇସିଏଆର ପରି ସମ୍ମାନଜନକ ଶିକ୍ଷାନୁଷ୍ଠାନ ସହ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଘରୋଇ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢୁଥିବା ଚାଷୀ ପରିବାରର ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ।

- Advertisement -

ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସେମାନଙ୍କୁ କୃଷି ସମ୍ବନ୍ଧୀୟ ବୈଷୟିକ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ୩୦ଟି ଜିଲ୍ଲାରେ କାଳିଆ କେନ୍ଦ୍ର ଉଦ୍‌ଘାଟନ କରି କହିଛନ୍ତି ଯେ ଏଗୁଡିକ କୃଷି କ୍ଷେତ୍ରରେ ଅଭିନବ ଚିନ୍ତାଧାରା ଓ ସମ୍ବଳ କେନ୍ଦ୍ର ଭାବରେ କାମ କରିବ। ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଭୂମିହୀନ ଚାଷୀ ପରିବାରକୁ ଚଳିତ ଖରିଫ ଋତୁ ପାଇଁ ଅତିରିକ୍ତ ଦୁଇ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ରାଜ୍ୟର ୧୮ ଲକ୍ଷରୁ ଉର୍ଦ୍ଧ୍ବ ଭୂମିହୀନ ଚାଷୀ ପରିବାର ଉପକୃତ ହେବେ। ସମୁଦାୟ ୩୬୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

ସେହିପରି ମୁଖ୍ୟମନ୍ତ୍ରୀ ଖରିଫ-୨୦୨୪ ପାଇଁ ରାଜ୍ୟର ଚାଷୀ ଭାଇଭଉଣୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ସହାୟତା ବାବଦରେ ଦୁଇ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହାଦ୍ବାରା ୪୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ।ଚାଷୀ ଭାଇର ସମୃଦ୍ଧି ହିଁ ରାଜ୍ୟର ସମୃଦ୍ଧି ହିଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ୫ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ କାଳିଆ ଯୋଜନା ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇଥିଲା। ଏହି ଯୋଜନା ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହେବା ସହିତ ଓଡିଶାର ଚାଷୀ ଭାଇଭଉଣୀ ମାନଙ୍କ ପାଇଁ ସହାୟକ ହୋଇପାରିଛି । ରାଜ୍ୟରେ ଚାଷୀ ଭାଇମାନଙ୍କ ସ୍ଥିତିକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଏହାର ଆକାର ଓ ପରିମାଣକୁ କ୍ରମାଗତ ଭାବେ ସଂପ୍ରସାରଣ କରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ୨୦୧୯ ମସିହାରେ ଏହି ଐତିହାସିକ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଇତିମଧ୍ୟରେ ୬୪ ଲକ୍ଷ ଚାଷୀ ଭାଇ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ୧୩,୭୯୩ କୋଟି ଟଙ୍କାର ସହାୟତା ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଛି। ଚାଷୀଙ୍କୁ ସଶକ୍ତ କରିବା ପାଇଁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ବହୁତ ବଡ ପଦକ୍ଷେପ।

ଭାରତ ବର୍ଷରେ ଓଡିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି ଭୂମିହୀନ ଚାଷୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପି.କେ ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories