ସମାଜ ଡିଜିଟାଲ ଡେସ୍କ: ସୀମା ବିବାଦକୁ ନେଇ ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି। ଶୁକ୍ରବାର ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। କାମ୍ବୋଡିଆ ଭାମ୍ପାୟାର ଓ୍ବିପନ ଜରିଆରେ ଥାଇଲାଣ୍ଡ ଉପରେ ଆକ୍ରମଣ କରିଛି। ଏହା ଜରିଆରେ ୨୦ ସେକେଣ୍ଡରେ ୪୦ କ୍ଷେପଣାସ୍ତ୍ର ମାଡ଼ କରାଯିବାର ବ୍ୟବସ୍ଥା ଥିବାବେଳେ ଥାଇଲାଣ୍ଡ ସେନା ଏହାର ଜବାବ ଦେବା ଲାଗି ୬ଟି ଏଫ-୧୬ ଯୁଦ୍ଧ ବିମାନ ମୁତୟନ କରିଛି। ଏଫ-୧୬ ଜରିଆରେ ଆକାଶମାର୍ଗରୁ କାମ୍ବୋଡିଆର ସେନାଘାଟି ଉପରେ ବୋମା ବର୍ଷଣ ଜାରି ରହିଛି।
ଦୁଇ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ୧ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇସାରିଛନ୍ତି। ଅନ୍ୟପଟେ ଉତ୍ତେଜନା ହ୍ରାସ ପାଇଁ କାମ୍ବୋଡିଆ ସରକାର ଅନ୍ତର୍ଜାତୀୟ ହସ୍ତକ୍ଷେପ ଲୋଡିଛନ୍ତି। ଏହା ଆଧାରରେ ଆମେରିକା, ଚୀନ ଏବଂ ମାଲେସିଆ ମଧ୍ୟସ୍ଥତା ପାଇଁ ଆଗେଇ ଆସିଥିଲେ ହେଁ ଥାଇଲାଣ୍ଡ ଏହାକୁ ପ୍ରତ୍ୟାଖ୍ୟାନ କରିଛି। କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଆବଶ୍ୟକ ନାହିଁ ବୋଲି ଥାଇଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ନିକୋରନ୍ଦେଜ ବାଲାଙ୍କୁରା କହିଛନ୍ତି। ଏହା ସହିତ ସୀମା ବିବାଦର ସମାଧାନ ଲାଗି କାମ୍ବୋଡିଆ ପକ୍ଷରୁ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତରେ ଏକ ମାମଲା ରୁଜୁ କରାଯାଇଛି।



