www.samajalive.in
Monday, December 8, 2025
14.1 C
Bhubaneswar

ଭାରତର ନୈରାଶ୍ୟଜନକ ପରାଜୟ

ବର୍ମିଂହାମ୍‍ : ଘରୋଇ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟମ୍ୟାଚ୍‍ରେ ଭାରତ ନୈରାଶ୍ୟଜନକ ପରାଜୟ ହାସଲ କରିଛି। ଏହି ଟେଷ୍ଟମ୍ୟାଚ୍‍ର ପ୍ରଥମ ୩ ଦିନ ଉଭୟ ଦଳଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିବା ବେଳେ ଶନିବାର ୪ର୍ଥ ଦିନରେ ଇଂଲଣ୍ଡର ପେସ୍‍ ବୋଲର ଘାତକ ବୋଲିଂକରି ଭାରତର ବିଜୟ ଆଶାରେ ପାଣି ପୂରାଇ ଦେଇଛନ୍ତି। ଭାରତକୁ ୩୧ ରନ୍‍ରେ ଇଂଲଣ୍ଡ ପରାସ୍ତ କରିଛି। ଦିନର ଆରମ୍ଭରେ ଭାରତ ବିଜୟ ପାଇଁ ଆଉ ୮୪ ରନ୍‍ ଆବଶ୍ୟକ କରୁଥିବା ବେଳେ ୫ଟି ୱିକେଟ ବାକିଥିଲା। ତେଣୁ ଏହି ମୁକାବିଲା ଅନ୍ତିମ ଦିନରେ ବିରାଟ କୋହଲି ବନାମ ଇଂଲଣ୍ଡ ପାଲଟି ଯାଇଥିଲା। ତେବେ ୪୭ତମ ଓଭରରେ କୋହଲିଙ୍କୁ ବେନ୍‍ ଷ୍ଟୋକ୍‍ସ ଏଲ୍‍ବିଡବ୍ଲ୍ୟୁ ଆଉଟ୍‍ କରିବା ପରେ ମ୍ୟାଚ୍‍ର ମଙ୍ଗ ଇଂଲଣ୍ଡ ଆଡ଼କୁ ମୋଡ଼ି ହୋଇ ଯାଇଥିଲା। କୋହଲି ଆଉଟହେବା ବେଳକୁ ଭାରତ ଆଉ ୫୩ ରନ୍‍ ଆବଶ୍ୟକ କରୁଥିବା ବେଳେ ଭାରତର ଶେଷ ୩ ୱିକେଟ ଆଉ ମାତ୍ର ୨୧ ରନ୍‍ ଯୋଗ କରି ପାରିଥିଲା। ମ୍ୟାଚ୍‍ର ପ୍ରଥମ ୩ ଦିନ ଚମତ୍କାର କ୍ରିକେଟ ଖେଳିଥିବା ଭାରତକୁ ଶେଷରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ୧୯୪ ରନ୍‍ର ପିଛା କରୁଥିବା ଭାରତ ଶନିବାର ଭୋଜନ ବିରତି ପୂର୍ବରୁ ୧୬୨ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ଶନିବାର ପଡ଼ିଥିବା ଭାରତର ୫ଟି ୱିକେଟ ମଧ୍ୟରୁ ବିରାଟ କୋହଲିଙ୍କୁ ମିଶାଇ ବେନ୍‍ ଷ୍ଟୋକ୍‍ସ ୩ଟି ୱିକେଟ ନେଇ ଇଂଲଣ୍ଡର ଏହି ବିଜୟରେ ହିରୋ ସାଜିଛନ୍ତି। ଏହି ବିଜୟ ସହ ଇଂଲଣ୍ଡ ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ରେ ୧-୦ରେ ଆଗୁଆ ରହିଛି। ୯ରୁ ଲର୍ଡସରେ ୨ୟ ଟେଷ୍ଟମ୍ୟାଚ୍‍ ଆରମ୍ଭ ହେବ।
ପ୍ରଥମ ଇନିଂସରେ ଭାରତ ୧୦୦ ରନ୍‍ରେ ୫ଟି ୱିକେଟ ହରାଇବା ପରେ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ୨୭୪ ରନ୍‍ କରି ପାରିଥିଲା। ୨ୟ ଇନିଂସରେ ଈଶାନ୍ତ ଶର୍ମା ଓ ଆର୍‍. ଅଶ୍ୱିନଙ୍କ ଘାତକ ବୋଲିଂ ଯୋଗୁଁ ଇଂଲଣ୍ଡକୁ ୧୮୦ ରନ୍‍ରେ ଅଲ୍‍ଆଉଟ କରିବା ପରେ ଭାରତ ବିଜୟର ଆଶା ସୃଷ୍ଟି କରି ପାରିଥିଲା। ଭାରତ ୧୯୪ ରନ୍‍ ବିଜୟଲକ୍ଷ୍ୟର ପିଛା କରିଥିବା ବେଳେ ୨ୟ ଇନିଂସରେ ଇଂଲଣ୍ଡର ପେସ୍‍ ବୋଲର ଚମତ୍କାର ବୋଲିଂ କରିଥିଲେ। ଫଳରେ ୩ୟ ଦିନ ଶେଷରେ ଭାରତ ୧୧୦ ରନ୍‍କରି ୫ଟି ୱିକେଟ ହରାଇଥିଲା। ଭାରତର ସମସ୍ତ ଆଶା ଅଧିନାୟକ ବିରାଟ କୋହଲିଙ୍କ ଉପରେ ଠୁଳ ରହିଥିଲା। ୪ର୍ଥ ଦିନର ପ୍ରଥମ ଓଭରରେ ଦିନେଶ କାର୍ତ୍ତିକଙ୍କୁ ଆଉଟ୍‍କରି ଜେମ୍‍ସ ଆଣ୍ଡରସନ୍‍ ଘରୋଇ ଦଳକୁ ବଡ଼ ସଫଳତା ଦେଇଥିଲେ। କାର୍ତ୍ତିକ ୨୦ ରନ୍‍କରି ସ୍ଲିପ୍‍ରେ କ୍ୟାଚ୍‍ ଦେଇଥିଲେ। ୭ମ ୱିକେଟ ପାଇଁ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୦ ଓଭର ବ୍ୟାଟିଂ କରିଥିଲେ ଏବଂ ୨୯ ରନ୍‍ ଯୋଗ କରିଥିଲେ। ତେବେ ବେନ୍‍ ଷ୍ଟୋକ୍‍ସ ୪ର୍ଥ ଦିନରେ ତାଙ୍କ ପ୍ରଥମ ଓଭରରେ ଭାରତକୁ ୨ଟି ଝଟ୍‍କା ଦେଇଥିଲେ। ବିରାଟ କୋହଲିଙ୍କୁ ୩ୟ ବଲ୍‍ରେ ଏଲ୍‍ବିଡବ୍ଲ୍ୟୁ କରିବା ପରେ ଶେଷ ବଲ୍‍ରେ ମହମ୍ମଦ ସାମିଙ୍କୁ କଟ୍‍ ବିହାଇଣ୍ଡ କରିଥିଲେ। କୋହଲି ୯୩ ବଲ୍‍ରୁ ୪ଟି ଚୌକା ସହ ୫୧ ରନ୍‍ କରିଥିଲେ। ଈଶାନ୍ତ ଶର୍ମା ୨ଟି ଚୌକା ସହ ୧୧ ରନ୍‍ କରିଥିଲେ ହେଁ ଆଦିଲ ରସିଦ୍‍ଙ୍କ ଗୁଗ୍‍ଲିରେ ଏଲ୍‍ବିଡବ୍ଲ୍ୟୁ ହୋଇଥିଲେ। ୧୫୪ ରନ୍‍ରେ ୯ମ ୱିକେଟର ପତନ ପରେ ଭାରତର ପରାଜୟ ନିଶ୍ଚିତ ଲାଗୁଥିଲା। ଭାରତର ଶେଷ ଆଶା ହାର୍ଦିକ ପାଣ୍ଡ୍ୟା ସ୍ଲିପ୍‍ରେ କ୍ୟାଚ୍‍ ଦେବା ସହ ମ୍ୟାଚ୍‍ର ଅନ୍ତଃ ଘଟିଥିଲା ଏବଂ ଇଂଲଣ୍ଡର ଖେଳାଳି ଉତ୍ସବମୁଖର ହୋଇଥିଲେ। ପାଣ୍ଡ୍ୟା ୪ଟି ଚୌକା ସହ ୩୧ ରନ୍‍ କରିଥିଲେ।
ବେନ୍‍ ଷ୍ଟୋକ୍‍ସ ଚମତ୍କାର ବୋଲିଂକରି ୪ଟି ୱିକେଟ ପାଇଥିବା ବେଳେ ଆଣ୍ଡରସନ୍‍ ଓ ବ୍ରଡ୍‍ ୨ଟି ଲେଖାଏଁ ୱିକେଟ ପାଇଥିଲେ। ମ୍ୟାଚ୍‍ରେ ୫ଟି ୱିକେଟ ନେବା ସହ ୨ୟ ଇନିଂସରେ ନିର୍ଣ୍ଣାୟକ ୬୩ ରନ୍‍ କରିଥିବା ଇଂଲଣ୍ଡର ୨୦ ବର୍ଷ ବୟସ୍କ ସାମ୍‍ କରନ୍‍ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories