ଭୁବନେଶ୍ବର: ଦୀର୍ଘ ସପ୍ତାହେ ଧରି ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଏବେ କାଳବୈଶାଖୀ ଡରାଇଲାଣି। ଦିନସାରା ପ୍ରଚଣ୍ଡ ତାତିରେ ଲୋକେ ଅତିଷ୍ଠ ହେଉଥିବା ବେଳେ ଅପରାହ୍ନରେ ମାଡ଼ିଆସୁଛି କାଳବୈଶାଖୀ। ଆକାଶରେ କଳା ବାଦଲ ଘୋଟି ଯାଉଥିବା ବେଳେ ଦିନବେଳା ଅନ୍ଧାର ହୋଇ ଯାଉଛି। ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ଲକ୍ଷ୍ୟ କରାଯାଉଛି। ଅଳ୍ପ କିଛି ସମୟରେ ବହୁ କ୍ଷୟକ୍ଷତି ଘଟିଯାଉଛି। ଆଜି କିଛି ସ୍ଥାନରେ ବଜ୍ରପାତ ଯୋଗୁଁ ନଡ଼ିଆଗଛ ଜଳିଯାଇଛି। ଭୁବନେଶ୍ବରଠାରୁ ଆରମ୍ଭ କରି କଟକ, ନୟାଗଡ଼, ଗଞ୍ଜାମ, ଓ ଅନ୍ୟାନ୍ୟ ଜିଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ସେପଟେ ରାଜ୍ୟବ୍ୟାପୀ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। କରୋନା ପାଇଁ ଲକ ଡାଉନ ଯୋଗୁଁ ଏମିତିବି ରାସ୍ତାଘାଟ ଶୂନଶାନ ଥିବାବେଳେ ଏବେ ଗ୍ରୀଷ୍ମପ୍ରବାହ ଯୋଗୁଁ ଚଳପ୍ରଚଳ ପ୍ରାୟ ବନ୍ଦ ହୋଇଯାଇଛି। ଶନିବାର ଦିନବ୍ୟାପୀ ଅସମ୍ଭାଳ ତାତି ସାଙ୍ଗକୁ ଅପରାହ୍ନରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ, ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ଯୋଗୁଁ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଆଜି ରାଜ୍ୟର ୧୦ଟି ସହରର ପାରଦ ୪୦ଡ଼ିଗ୍ରୀ ଟପିଯାଇଛି। ଏସବୁ ସହର ଭିତରେ ରହିଛି ଅନୁଗୋଳ, ଝାରସୁଗୁଡ଼ା, ତାଳଚେର, ଭବାନିପାଣା, ବଲାଙ୍ଗୀର, ଟିଟିଲାଗଡ଼, ମାଲକାନଗିରି, ସୋନପୁର, ନୟାଗଡ଼ ଏବଂ ବୌଦ୍ଧ। ଅନୁଗୋଳ, ବଲାଙ୍ଗୀର,ଟିଟିଲାଗଡ଼ ଓ ବୌଦ୍ଧ ଆଦି ୪ଟି ଜିଲାରେ ପାରଦ ୪୧ଡ଼ିଗ୍ରୀ ଉପରେ ରହିଛି।
ଗ୍ରୀଷ୍ମପ୍ରବାହ ଆହୁରି ୫ଦିନ ଲାଗି ରହିବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି। ତେବେ ରାଜ୍ୟରେ ଆସନ୍ତା ୪ଦିନ ଧରି କାଳବୈଶାଖୀ ଅନୁଭୂତ ହେବ। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ଓ ମୟୂରଭଞ୍ଜ, ୨୦ରେ ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଢ଼େଙ୍କାନାଳ ଓ କଟକ, ୨୧ରେ ପ୍ରାୟ ୧୧ଟି ଜିଲା ଓ ୨୨ରେ ୧୭ଟି ଜିଲାକୁ ଘୂର୍ଣ୍ଣିଝଡ଼ ଓ ବଜ୍ରପାତର ଆଶଙ୍କା ରହିଛି। ସେଥିପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନି ଜାରି କରାଯାଇଛି।



