ଦକ୍ଷିଣ ଆଫ୍ରିକା ପରାସ୍ତ; ପାକିସ୍ତାନର ସେମି ଆଶା ବଜାୟ

ଟ୍ବେଣ୍ଟି୨୦ ବିଶ୍ବକପ୍‌: ସଦ୍ଦାବ୍‌ଙ୍କ ଅଲ୍‌ରାଉଣ୍ଡ ସଫଳତା

ସିଡ୍‌ନୀ : ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବୁଧବାର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଏକମାତ୍ର ଦଳ ଥିଲା; ଯାହା କୌଣସି ମ୍ୟାଚ୍‌ ହାରିନଥିଲା। ହେଲେ ଗୁରୁବାର ଏହାର ମୁକାବିଲା ହୋଇଥିଲା ପାକିସ୍ତାନ ବିପକ୍ଷରେ; ଯାହାକୁ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ କଦାପି ହରାଇନଥିଲା। ଏହା ପାକିସ୍ତାନ ପାଇଁ ‘କର ବା ମର’ ମୁକାବିଲା ଥିଲା। ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ସଦ୍ଦାବ୍ ଖାଁ ଅଲ୍‌ରାଉଣ୍ଡର ଭାବେ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଫଳରେ ବର୍ଷା ନିୟମ ଡକ୍‌ୱର୍ଥ-ଲୁଇସ୍‌ରେ ୩୩ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପାକିସ୍ତାନ ପରାସ୍ତ କରିଛି। ଏହି ବିଜୟ ଫଳରେ ପାକିସ୍ତାନ ସେମିଫାଇନାଲ ଖେଳିବାର କ୍ଷୀଣ ଆଶା ବଜାୟ ରଖିଛି। ପୁଣି ଗ୍ରୁପ୍‌-୨ର ଏହି ମ୍ୟାଚ୍‌କୁ ଜିତି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ତା’ର ୪ଟିଯାକ ମୁକାବିଲା ପାକିସ୍ତାନ ଜିତିପାରିଛି। ଇଫ୍‌ତିକାର ଅହମ୍ମଦ ଓ ସଦ୍ଦାବ ଖାଁଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ୯ ୱିକେଟରେ ୧୮୫ ରନ୍‌ କରିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏବଂ ବିଶ୍ବକପ୍‌ରେ ଏହା ପାକିସ୍ତାନର ସର୍ବାଧିକ ଦଳଗତ ସ୍କୋର୍‌। ଦକ୍ଷିଣ ଆଫ୍ରିକା ଇନିଂସ ମଝିରେ ବର୍ଷା ହୋଇଥିଲା। ୧୪ ଓଭରରେ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ଦକ୍ଷିଣ ଆଫ୍ରିକାକୁ ୧୪୨ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ଦକ୍ଷିଣ ଆଫ୍ରିକା ୯ ୱିକେଟରେ ୧୦୮ ରନ୍‌ କରି ପାରିଥିଲା।
ଏହାକୁ ମିଶାଇ ୪ର୍ଥ ମ୍ୟାଚ୍‌ରେ ୨ୟ ବିଜୟ ହାସଲକରି ୪ ପଏଣ୍ଟରେ ରହିଛି ପାକିସ୍ତାନ। ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ପାଇଛି। ଶେଷ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ପାକିସ୍ତାନ ଖେଳିବ। ଯଦି ପାକିସ୍ତାନ ଜିତେ ଏବଂ ଦକ୍ଷିଣ ଆଫ୍ରିକା ହାରେ; ତେବେ ପାକିସ୍ତାନ ସେମିଫାଇନାଲ ଖେଳିବ। ଯଦି ଉଭୟ ଦଳ ଜିତନ୍ତି; ତେବେ ଦକ୍ଷିଣ ଆଫ୍ରିକା ସେମିରେ ପହଞ୍ଚିବ। ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୮୬ ରନ୍‌ର ପିଛା କରିଥିବା ବେଳେ କ୍ବିଣ୍ଟନ ଡି କକ୍‌ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ପରେ ବଡ଼ ସଟ୍‌ ମାରିବା ପ୍ରୟାସରେ ରାଇଲି ରୁସୌ ୭ ରନ୍‌କରି ଆଉଟ୍‌ ହୋଇଥିଲେ। ସାହିନ୍‌ ଶାହା ଆଫ୍ରିଦି ଲୟ ଫେରିପାଇବା ପରି ଲାଗିଥିଲା ଏବଂ ସେ ଉଭୟ ୱିକେଟ ନେଇଥିଲେ। ବର୍ଷା ଆସନ୍ନ ଦେଖି ଅଧିନାୟକ ତେମ୍ବା ବଭୁମା ଓ ଐଡେନ୍‌ ମାର୍କରାମ ଆକ୍ରମଣ କରିଥିଲେ। ଦୁହେଁ ହାରିସ୍‌ ରୌଫ୍‌ଙ୍କୁ ତାଙ୍କ ପ୍ରଥମ ୨ ଓଭରରେ ୩୭ ରନ୍‌ ମାରିଥିଲେ। ୭ ଓଭରରେ ଦକ୍ଷିଣ ଆଫ୍ରିକା ୬୫ ରନ୍‌ କରିଥିଲା। ହେଲେ ୮ମ ଓଭରରେ ଆସି ଲେଗ୍‌ସ୍ପିନର ସଦ୍ଦାବ ଖାଁ ବିପର୍ଯ୍ୟୟ ଘଟାଇଥିଲେ। ପ୍ରଥମ ବଲ୍‌ରେ ବଭୁମା ଓ ୩ୟ ବଲ୍‌ରେ ମାର୍କରାମ ଆଉଟ୍‌ ହୋଇଥିଲେ। ଫର୍ମକୁ ଫେରିବା ପରି ଲାଗୁଥିବା ବଭୁମା ୧୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୬ ରନ୍‌ କରିଥିଲେ। ମାର୍କରାମ୍ ୧୪ ବଲ୍‌ରୁ ୪ଟି ଚୌକା ସହ ୨୦ ରନ୍‌ କରିଥିଲେ। ବର୍ଷା ଯୋଗୁଁ ଖେଳ ସ୍ଥଗିତ ରହିବା ବେଳକୁ ଦକ୍ଷିଣ ଆଫ୍ରିକା ୯ ଓଭରରେ ୪ ୱିକେଟରେ ୬୯ ରନ୍‌ କରିଥିଲା। ଖେଳ ଆରମ୍ଭ ପରେ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ଦକ୍ଷିଣ ଆଫ୍ରିକାକୁ ୧୪ ଓଭରରେ ୧୪୨ ରନ୍‌ର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ ମିଳିଥିଲା। ହେନ୍‌ରିକ୍ କ୍ଲାସେନ୍‌ ଓ ଟ୍ରିଷ୍ଟାନ୍ ଷ୍ଟବ୍‌ସ ସାହସିକ ପ୍ରୟାସ କରିଥିଲେ ହେଁ ଏହା ସ୍ବଳ୍ପସ୍ଥାୟୀ ଥିଲା। କ୍ଲାସେନ୍‌ ୯ ବଲ୍‌ରୁ ୩ଟି ଚୌକା ସହ ୧୫ ଏବଂ ଷ୍ଟବ୍‌ସ ୧୮ ବଲ୍‌ରୁ ୧୮ ରନ୍‌ କରିଥିଲେ। ୯ ରନ୍‌ରେ ଦକ୍ଷିଣ ଆଫ୍ରିକା ଶେଷ ୫ଟି ୱିକେଟ ହରାଇ ପରାସ୍ତ ହୋଇଥିଲା। ସାହିନ୍ ଶାହା ଆଫ୍ରିଦି ୩ଟି ଓ ସଦ୍ଦାବ ଖାଁ ୨ଟି ୱିକେଟ୍‌ ନେଇଥିଲେ।
ଟସ୍ ଜିତି ପାକିସ୍ତାନ ବ୍ୟାଟିଂ ନେବା ପରେ ପୁଣିଥରେ ଦଳର ଦୁଇ ଓପ୍‌ନର ସହଳ ଆଉଟ୍‌ ହୋଇଥିଲେ। ମହମ୍ମଦ ରିଜ୍‌ୱାନ ୪ ଓ ଅଧିନାୟକ ବାବର ଆଜମ୍‌ ୧୫ ବଲ୍‌ରୁ ୬ ରନ୍‌କରି ଆଉଟ୍‌ ହୋଇଥିଲେ। ତେବେ ମହମ୍ମଦ ହାରିସ୍‌ ଜୀବନର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଆସି ଆକ୍ରମଣ କରିଥିଲେ। ହାରିସ୍‌ ୧୧ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୨୮ ରନ୍‌ କରିଥିଲେ। ସାନ୍‌ ମସୁଦ୍‌ ୨ ରନ୍‌ କରି ପାରିଥିଲେ। ୪୩ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ଇଫ୍‌ତିକାର ଅହମ୍ମଦ ଓ ମହମ୍ମଦ ନୱାଜ୍‌ ୩୯ ବଲ୍‌ରୁ ୫୨ ରନ୍‌ ଯୋଡ଼ିଥିଲେ। ହେ‌େ​‌ଲ ସଦ୍ଦାବ କ୍ରିଜ୍‌କୁ ଆସିବା ମାତ୍ରେ ଆକ୍ରମଣ କରିଥିଲେ। ଇଫ୍‌ତିକାର ଓ ସଦ୍ଦାବ ୩୫ ବଲ୍‌ରୁ ୮୨ ରନ୍‌ ଯୋଡ଼ିଥିଲେ। ସଦ୍ଦାବ ବିଧ୍ବଂସୀ ବ୍ୟାଟିଂକରି ୨୨ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୫୨ ରନ୍‌ କରିଥିଲେ। ଶେଷ ୬ ଓଭରରୁ ପାକିସ୍ତାନ ୮୦ ରନ୍‌ କରିଥିଲା। ଇଫ୍‌ତିକାର ୩୫ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୫୧ ରନ୍‌ କରିଥିଲେ। ଆନ୍‌ରିଚ୍‌ ନୋର୍ଖିୟା ୪ଟି ୱିକେଟ ନେଇଥିଲେ। ସଦ୍ଦାବ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.