ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ତେହଲକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡ଼ନ ମାମଲା ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଏହାସହ ୬ ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ଗୋଆର ମାପୁସାସ୍ଥିତ କୋର୍ଟରେ ତେଜପାଲଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ଚାଲିଛି। ତେଜପାଲଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡ଼ନ ଏବଂ ଅପହରଣ ମାମଲାକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଗତ ଶୁଣାଣିରେ ଅଦାଲତ ଉଭୟ ପକ୍ଷଙ୍କ ତର୍କ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ସୋମବାର ଶୁଣାଣି ବେଳେ ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ଏମଆର ଶାହଙ୍କ ପୀଠ ପ୍ରଶ୍ନ କରିଥିଲେ ଯେ ଯୌନ ଉତ୍ପୀଡ଼ନ ମାମଲା ଯଦି ମିଥ୍ୟା, ତେବେ କାହିଁକି ତରୁଣ ତେଜପାଲ ପୀଡ଼ିତାକୁ କ୍ଷମା ପ୍ରାର୍ଥନା କରିଥିଲେ। ତେଣୁ ଗୋଆ ଅଦାଲତରେ ଏହି ମାମଲାର ଶୁଣାଣି ଚାଲୁ ରହିବ।
ପ୍ରକାଶଯୋଗ୍ୟ ଯେ ୨୦୧୩ ନଭେମ୍ବରରେ ନିଜର ଜଣେ କନିଷ୍ଠ ସହକର୍ମୀଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ନେଇ ତେଜପାଲଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଯୌନ ଉତ୍ପୀଡ଼ନ ମାମଲା ରୁଜୁ ହେବା ପରେ ତେଜପାଲ ତେହଲକା ସମ୍ପାଦକ ପଦ ଛାଡ଼ି ଦେଇଥିଲେ। ତେଜପାଲଙ୍କୁ ଆଇପିସି ଧାରା ୩୭୬-୨ (ବଳାତ୍କାର), ୩୪୧, ୩୪୨, ୩୫୪ (କ) (ଯୌନ ଉତ୍ପୀଡ଼ନ) ୩୫୪ (ଖ)ରେ ଅଭିଯୁକ୍ତ କରାଯାଇଛି। ୨୦୧୩ ନଭେମ୍ବର ୩୦ରେ ପୁଲିସ୍ ତରୁଣଙ୍କୁ ଗିରଫ କରିଥିଲା। ୨୦୧୪ରୁ ସେ ଜାମିନରେ ଅଛନ୍ତି।



