www.samajalive.in
Sunday, December 7, 2025
16.1 C
Bhubaneswar

ବନ୍ଦ ଛାଡ଼ି କାର୍ଯ୍ୟରେ ଯୋଗଦିଅ

ଭୁବନେଶ୍ୱର : ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ଆକ୍ଷେପ କରି ଓଡ଼ିଆଙ୍କ ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥିବା ଅଭିଜିତ ଆୟାର ମିତ୍ରଙ୍କ ଦ୍ୱାରା ଆଗତ ଏକ ମାମଲାର ଶୁଣାଣି କରି ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ଆନ୍ଦୋଳନରତ ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ସୁପ୍ରିମକୋର୍ଟ ଆଦେଶନାମାରେ ଉଲ୍ଲେଖ କରିଛନ୍ତି। ପ୍ରଧାନବିଚାରପତି ଦୀପକ ମିଶ୍ର , ବିଚାରପତି ଏ.ଏମ. ଖାନୱିଲ୍‍କର ଓ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନିଜଣିଆ ପୀଠ ଉପରୋକ୍ତ ଆଦେଶରେ ଦର୍ଶାଇଛନ୍ତି ଯେ ଓଡ଼ିଶା ହାଇକୋର୍ଟ ବାର୍‍ ଆସୋସିଏସନ ଓ ଅନ୍ୟ ସହଯୋଗୀ ଆସୋସିଏସନ ଚଲାଇ ରଖିଥିବା ଆନ୍ଦୋଳନକୁ ତୁରନ୍ତ ବନ୍ଦ କରି କାର୍ଯ୍ୟରେ ଯୋଗଦିଅନ୍ତୁ। ଯାହାଫଳରେ କି ନ୍ୟାୟ ପ୍ରଦାନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନ ଉପୁଜିବ। ନ୍ୟାୟ ପାଇଁ ଅପେକ୍ଷାରତ ମହକିଲ ଯେପରି ସେମାନଙ୍କ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଯଥେଷ୍ଟ ସଚେତନ ରହିବାକୁ ଉଚ୍ଚତମ ନ୍ୟାୟାଳୟ ସତର୍କ କରିଦେଇଛନ୍ତି। ଏତଦ୍‍ବ୍ୟତୀତ ଆବେଦନକାରୀ ହାଇକୋର୍ଟରେ ଆବେଦନପତ୍ର ଦାଖଲ ବେଳେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ।
ପ୍ରକାଶ ଯେ ଆବେଦନକାରୀ ଅଭିଜିତ୍‍ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରି ଦର୍ଶାଇଥିଲେ ଯେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ ଲାଗିରହିଥିବାରୁ ଆବେଦନକାରୀ ସେଠାରେ କୌଣସି ପିଟିସନ ଦାଖଲ କରିବାକୁ ସକ୍ଷମ ହୋଇପାରୁ ନାହାନ୍ତି, ଯାହାକି ତାଙ୍କ ଅଧିକାର କ୍ଷୁଣ୍ଣ କରୁଛି। ତିନିଜଣିଆ ପୀଠ ଏ ସଂକ୍ରାନ୍ତରେ ଅବଗତ କରାଇବାକୁ ରାଜ୍ୟ ସରକାରଙ୍କ ଓକିଲ ଶିବଶଙ୍କର ମିଶ୍ରଙ୍କୁ ଆଦେଶ ଦେଇଥିଲେ। ପୁଲିସ ବିରୋଧରେ ଥିବା ଫୌଜଦାରୀ ମାମଲାକୁ କେନ୍ଦ୍ର କରି ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ କାର୍ଯ୍ୟ ବନ୍ଦ ଜାରି ରଖିଛନ୍ତି ବୋଲି ଶ୍ରୀ ମିଶ୍ର ଉଚ୍ଚତମ ନ୍ୟାୟାଳୟଙ୍କୁ ଅବଗତ କରାଇଥିଲେ।
ତିନିଜଣିଆ ପୀଠ ମାମଲାର ଗୁରୁତ୍ୱ ଉପଲବ୍ଧ କରି ପୁଲିସ-ଆଇନଜୀବୀ ବିବାଦର ତଦନ୍ତକୁ ତୁରନ୍ତ ଆଇଜି,କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି। ଆଇଜି ଏହି ଘଟଣାର ତଦନ୍ତ  ବେଳେ ଏସ୍‍ପିଙ୍କ ସହାୟତା ନେବେ ବୋଲି ଆଦେଶନମାରେ ଦର୍ଶାଯାଇଛି। ବିଶେଷକରି ଏହି ସମସ୍ତ ଘଟଣାର ତଦନ୍ତ ଭାର ପୁଲିସ ଆଇଜିଙ୍କ ହାତରେ ରହିବ। ସେ ଅତ୍ୟନ୍ତ ଆନ୍ତରିକତାର ସହ ବିଷୟବସ୍ତୁ ଉପରେ ସହାନଭୂତିଶୀଳ ମନୋଭାବ ପୋଷଣ କରି ତଦନ୍ତ ଜାରି ରଖିବେ ବୋଲି ଉଚ୍ଚତମ ନ୍ୟାୟାଳୟ ଆଶାପୋଷଣ କରିଛନ୍ତି।
ଉଚ୍ଚତମ ନ୍ୟାୟାଳୟ ଦର୍ଶାଇଛନ୍ତି ଯେ ଅଭିଜିତଙ୍କୁ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦେଇଥିବା ସୁରକ୍ଷାର ଅବଧି ଅକ୍ଟୋବର ୫ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହି ସମୟ ମଧ୍ୟରେ ଅଭିଯୁକ୍ତ ଅଭିଜିତ୍‍ ଓଡ଼ିଶା ହାଇକୋର୍ଟରେ ଆଶ୍ରୟ ନେଇ ପାରିବେ। ଯଦି ଆବେଦନକାରୀ ସୁରକ୍ଷାକୁ ନେଇ ପୁଲିସର ସହାୟତା ଲୋଡ଼ନ୍ତି ତେବେ ତଦନ୍ତକାରୀ ଆଇଜି ତାଙ୍କ ପ୍ରାର୍ଥନାକୁ ବିଚାରକୁ ନେଇ ପାରିବେ ବୋଲି ଉଚ୍ଚତମ ନ୍ୟାୟାଳୟ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories