ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆଗତ ଏକ ମାନହାନି ମାମଲାର ଗୁରୁବାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ କ୍ଷମା ପ୍ରାର୍ଥନା ସ୍ୱୀକାର କରିଛନ୍ତି। ରାହୁଲଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲା ବନ୍ଦ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି ମାମଲା ଦାୟର କରି ଯେଉଁମାନେ ସୁପ୍ରିମକୋର୍ଟଙ୍କ ସମୟ ବରବାଦ କରୁଛନ୍ତି ଓ ରାଜନୈତିକ ଫାଇଦା ନେଉଛନ୍ତି ସେମାନଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। ଅଦାଲତ ମଧ୍ୟ ଭବିଷ୍ୟତରେ ଏଭଳି ଭୁଲ ନ କରିବାକୁ ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି।
ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୌକିଦାର ଚୋର’ ବୋଲି କହିଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ଏବଂ ରାଜନୈତିକ ଭାଷଣ ଦେବାବେଳେ ଅଧିକ ସତର୍କ ରହିବାକୁ କହିଛନ୍ତି। ବିଶେଷ ଭାବରେ କୋର୍ଟ ପ୍ରସଙ୍ଗରେ ଭାଷଣ ଦେବାବେଳେ ଏଭଳି ଆପତ୍ତିଜନକ କିମ୍ବା ମାନହାନି ସୂଚକ ମନ୍ତବ୍ୟ ବ୍ୟବହାର ନ କରିବାକୁ କୋର୍ଟ କହିଛନ୍ତି।
ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରି ବିଜେପି ସାଂସଦ ମିନାକ୍ଷୀ ଲେକ୍ଷୀ ସୁପ୍ରିମକୋର୍ଟରେ ମାନହାନି ମକଦ୍ଦମା କରିଥିଲେ। କୋର୍ଟ ମେ ୧୦ରେ ଏହାର ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ।



