ନୂଆଦିଲ୍ଲୀ : ଏଠାରେ ଚାଲିଥିବା ଏସୀୟ କୁସ୍ତି ଚାମ୍ପିୟନ୍ସିପ୍ର ପ୍ରଥମ ଦିନରେ ଭାରତର ଗ୍ରୀକୋ ରୋମାନ କୁସ୍ତି ପ୍ରତିଯୋଗୀ ସୁନୀଲ କୁମାର ସ୍ବର୍ଣ୍ଣ ପଦକ ଜିତି ପଦକ ତାଲିକାରେ ଭାରତର ଖାତା ଖୋଲିଛନ୍ତି। ମଙ୍ଗଳବାର ସୁନୀଲ କୁମାର ୮୭ କିଲୋଗ୍ରାମ ବର୍ଗରେ କିରଗିଜ୍ସ୍ତାନର ଅଜାତ ସାଲିଦିନୋବଙ୍କୁ ୧୨-୮ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସୁନୀଲ କାଜାକସ୍ତାନର ଅଜାମତ କୁସ୍ତୁବାୟେବଙ୍କୁ ହରାଇ ୧୧ ପଏଣ୍ଟ ସହ ଫାଇନାଲରେ ପ୍ରବେଶ କରିଥିଲେ।
ସେହିପରି ପୂର୍ବରୁ ଭାରତର ଅର୍ଜୁନ ହଲ୍ଲାକୁରକି ୫୫ କିଲୋଗ୍ରାମ ଶ୍ରେଣୀରେ ଇରାନ୍ର ପୋୟା ମହମ୍ମଦ ନାସେରପୋଙ୍କଠାରୁ ୭-୮ରେ ସେମି ଫାଇନାଲରେ ହାରି ଯାଇଥିଲେ। ଅର୍ଜୁନ ବର୍ତ୍ତମାନ ବ୍ରୋଞ୍ଜ ପଦକ ପାଇଁ କୋରିଆର ଡୋଙ୍ଘୟୋକୋଙ୍କୁ ଭେଟିବେ। ଅନ୍ୟ ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ମଧ୍ୟରେ ମେହେର ସିଂହ, ସଜନ ଓ ସଚିନ ରାଣା ପ୍ରମୁଖ ଆଜି ପ୍ରତିଯୋଗୀତାରୁ ବାଦ ପଡ଼ିଛନ୍ତି।



