www.samajalive.in
Sunday, December 14, 2025
14.1 C
Bhubaneswar

ସଫଳ ଚାଷୀ ବିଜୟ : ସ୍ୱାବଲମ୍ବୀ କରାଇଛି ବିହନ ଉତ୍ପାଦନ

ଢେଙ୍କାନାଳ ସଦର : ବିହନ ଉତ୍ପାଦନ କରି ଅନେକ ଚାଷୀ ସ୍ୱାବଲମ୍ବୀ ହୋଇଥିବାର ନଜୀର ରହିଛି। ସେମିତି ଜଣେ ଚାଷୀ ହେଉଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବିଶ୍ୱନାଥପୁର ଗ୍ରାମର ୫୪ ବର୍ଷୀୟ ବିଜୟ ଦେହୁରୀ। କୃଷକଙ୍କ ପାଇଁ ବିହନ ଉତ୍ପାଦନ କରି ସେ ନିଜେ ସ୍ୱାବଲମ୍ବୀ ହୋଇ ଜଣେ ସଫଳ ଚାଷୀର ପରିଚୟ ସୃଷ୍ଟି କରିଛନ୍ତି।
ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ବିଶ୍ୱନାଥପୁର ଗାଁର ଯଦୁମଣି ଦେହୁରୀଙ୍କ ୩ ପୁଅଙ୍କ ଭିତରୁ ବିଜୟ ଅନ୍ୟତମ। ପୈତୃକ ୪ ଏକର ୬୮ ଡେସମିଲ୍‍ରେ ବିଜୟ ଚାଷ କରିବା ସହ ପରିବାର ଚଳାଇ ଆସୁଥିଲେ। ଏବେ ଜମିର ଭାଇ ଭାଗ ହେବା ପରେ ଜମି କମି ଯିବା ସତ୍ତ୍ବେ ସେ ନିଜ ଜମିରେ ନିଜେ ଶ୍ରମଦାନ କରି ସୁନାର ଫସଲ ତିଆରି କରୁଛନ୍ତି। ଚାଷରୁ ଆୟ ଟଙ୍କାରେ ନିଜେ ଅଢେଇଏକର ଚାଷ ଜମି କ୍ରୟ କରିଛନ୍ତି। ନିଜ ଜମି ବାଦ୍‍ ଲିଜ ଆକାରରେ ଜମି ନେଇ ଏବେ ସେ ୬ ଏକର ଜମିରେ ଶାଗ, ଅଢେଇ ଏକର ଜମିରେ ବିଲାତି ବାଇଗଣ ଏବଂ ଏକ ଏକର ଜମିରେ କାକୁଡି ଚାଷ କରିଛନ୍ତି। ଶାଗ, ବିଲାତି ବାଇଗଣ ଏବଂ କାକୁଡି ଚାଷ କେବଳ ମଞ୍ଜି ଉତ୍ପାଦନ ଲକ୍ଷ୍ୟରେ କରିଛନ୍ତି। ଗତ ୪ ବର୍ଷ ହେବ ସେ ଶାଗ ଚାଷ କରି ଆସୁଥିଲେ। ଚଳିତବର୍ଷ କାକୁଡି ଏବଂ ବିଲାତି ବାଇଗଣ ଚାଷ ବିହନ ପାଇଁ କରୁଛନ୍ତି। ଗତବର୍ଷ ଶାଗ ଚାଷରୁ ସେ ୩ ଲକ୍ଷ ୫୦ ହଜାର ଟଙ୍କା ଆୟ କରିଥିଲେ। ଆୟ ଅର୍ଥରୁ ଅଧା ଉତ୍ପାଦନ ଖର୍ଚ୍ଚ ରେ ଚାଲିଯାଏ। ବାକି ଅଧା ଟଙ୍କା ତାଙ୍କର ପରିଶ୍ରମର ଫଳ। ‘ସମାଜ’ କୁ ନିଜର ପ୍ରତିକ୍ରିୟା ଦେଇ ବିଜୟ କୁହନ୍ତି, ମୁଁ ଏଇ ଦୁଇ ଚାରି ବର୍ଷ ହେବ ମଞ୍ଜି ଉଦ୍ଦେଶ୍ୟରେ ଚାଷ କରୁଛି। ଗତବର୍ଷ ଭଲ ଆୟ ହୋଇଥିଲା। ଏ ବର୍ଷ ଅଧିକ ଜମିରେ ଚାଷ କରିଛି। ଶାଗ ବ୍ୟତୀତ କାକୁଡି ଏବଂ ଟମାଟୋ ଚାଷ କରିଛି। ଖରିଫ୍‍ ଋତୁରେ ଧାନ ଚାଷ କରେ। ପରେ ପରେ ବିହନ ଉତ୍ପାଦନ ପାଇଁ ନଭେମ୍ବରରୁ ଜାନୁଆରୀ ଯାଏ ଚାଷ କାମରେ ଫୁରସତ୍‍ ନଥାଏ। ଏହି ତିନି ମାସର ପରିଶ୍ରମ ବର୍ଷକର ଖର୍ଚ୍ଚ ତୁଲାଇ ଦେଇଥାଏ। ଚାଷ ଆୟରୁ ମୁଁ ଗୋଟିଏ ପୁଅକୁ ଏମଏସ୍‍ସି ଆଉ ଗୋଟିଏ ପୁଅକୁ ଡିପ୍ଲୋମା ଇଜିନିୟରିଂ ପଢାଉଛି। ବନ୍ଧୁ ବାନ୍ଧବ ବେଭାର ଉଚାର, ଘରର ଯାବତୀୟ ଖର୍ଚ୍ଚ, ପିଲାଙ୍କ ପାଠପଢା ସବୁ ଚାଷରୁ ଉଠୁଛି। ମୋ ନିଜ ଜମି ବ୍ୟତୀତ କିଛି ଜମି ଲିଜରେ ଆଣି ଚାଷ କରୁଛି। ଜଳସେଚନର ସୁବିଧା ନାହିଁ। ମୋର ଗୋଟିଏ ବୋର୍‍ୱେଲ୍‍ ଅଛି, ମାତ୍ର ସେଥିରେ ପମ୍ପ ଲାଗି ପାରିନି। ମୋ ଜମି ପାଖରେ ଥିବା ଏକ ପୁରୁଣା ପଥର ଖାଦାନରେ ଯେଉଁ ବର୍ଷା ଜଳ ଅଟକି ରହୁଛି ତାକୁ ବ୍ୟବହାର କରି ମୁଁ ଚାଷ କରୁଛି। ମୁଁ ସରକାରୀ ସହାୟତା କିଛି ପାଇ ନାହିଁ। ଯେଉଁ ବିହନ ଉତ୍ପାଦନ କରୁଛି ତାର ଉପଯୁକ୍ତ ମୂଲ୍ୟ ମିଳି ପାରୁନି। ସବୁବେଳେ ଅଭାବୀ ବିକ୍ରିର ସମସ୍ୟା ରହୁଛି ବୋଲି ବିଜୟ କହିଛନ୍ତି।
ବିଭିନ୍ନ ସମାସ୍ୟ ସତ୍ତ୍ବେ ବିନା ସରକାରୀ ସହାୟତା ଅପେକ୍ଷା କୃଷକଙ୍କ ପାଇଁ ବିହନ ଉତ୍ପାଦନ କରି ନିଜେ ସ୍ୱାବଲମ୍ବୀ ହୋଇଥିବା ସଫଳ ଚାଷୀ ବିଜୟ ଦେହୁରୀ ଅଞ୍ଚଳର ଯୁବଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories