ସୁଆଣ୍ଡୋ/ସାକ୍ଷିଗୋପାଳ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋକୁ ଐତିହ୍ୟ ଗ୍ରାମ ଘୋଷଣା ପୂର୍ବକ ଏହାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ସେପ୍ଟେମ୍ବର ମାସରେ ୧୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହାକୁ ଆଧାର କରି ଗୋପବନ୍ଧୁଙ୍କ ଜନ୍ମପୀଠର ଉନ୍ନତିକରଣ କାର୍ଯ୍ୟ ଆଗେଇ ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡିଶାର ସମସ୍ତ ବରପୁତ୍ରଙ୍କ ଜନ୍ମପୀଠର ଉନ୍ନତିକରଣ କରାଯିବ ବୋଲି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃୃତ୍ୱରେ ଶତାଧିକ ମହିଳା ପୁରୁଷ ଏକଜୁଟ ହୋଇ ଦାସଙ୍କ ଷଠୀ ଘରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଗୋପବନ୍ଧୁଙ୍କ ବାସଭବନ ଆଗରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ବିଧାୟକ ଶ୍ରୀ ସାମନ୍ତରାୟ କହିଛନ୍ତି ରାଜ୍ୟରେ ସମସ୍ତ ପ୍ରବାଦ ପୁରୁଷମାନଙ୍କ ଅନ୍ତୁଡ଼ିଶାଳର ପୁନରୁଦ୍ଧାର କରାଯିବ। ସତ୍ୟବାଦୀ ଯୁଗର ପଞ୍ଚସଖା ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମପୀଠର ଉନ୍ନତିକରଣ କରାଯିବ।
Popular Categories



