ବ୍ରହ୍ମପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ ବୁଧବାର ସକାଳେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ହେଲେ ଶ୍ୟାମସୁନ୍ଦର ଦାସ(୧୧) । ଖବରପାଇ ବ୍ରହ୍ମପୁର ବଡ଼ମେଡିକାଲ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ଶ୍ୟାମସୁନ୍ଦର ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ବିଦ୍ୟାଳୟ ପରିସରରେ ନିର୍ମାଣ କରାଯାଇଥିବା ସୂଚନାଫଳକ କାନ୍ଥଟି ଭୁଶୁଡି ପଡିଥଲା। ଫଳରେ ଶ୍ୟାମସୁନ୍ଦର ସେହି ଭଙ୍ଗାକାନ୍ଥ ତଳେ ସେ ଚାପି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସ୍କୁଲ ଶିକ୍ଷକ ତାଙ୍କୁ ଉଦ୍ଧାର କରିଥିଲେ ଓ ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଚିକିତ୍ସା ନିମନ୍ତେ ଶ୍ୟାମସୁନ୍ଦରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।



