www.samajalive.in
Saturday, December 6, 2025
26.1 C
Bhubaneswar

ଜଳ ପାଇଁ ହାହାକାର; ରାମଜୀ ଛକରେ ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ

ପାଟଣାଗଡ: ପାଣି ପାଇଁ ହାହାକାର। ଜଳ ବିନା ଜୀବନ ଦୁର୍ବିସହ, ତାହା ପୁଣି ବର୍ଷା ଦିନରେ। ଦୀର୍ଘ ୫ ଦିନ ଧରି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ ବନ୍ଦ ହୋଇଯିବା ପରେ ପାଟଣାଗଡ ଭଳି ଏକ ସହରର ମୁଖ୍ୟ ରାସ୍ତା, ରାମଜୀଛକ, କୋଲପଡା, ଆମପଡା, ରାମପୁର ଇତ୍ୟାଦି ଅଞ୍ଚଳବାସୀ ଆଉଟୁ ପାଉଟୁ ହୋଇ ବିଭାଗୀୟ ଯନ୍ତ୍ରୀଙ୍କଠାରୁ ଉପ ଜିଲ୍ଲାପାଳଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ପାଇ ପାରିନାହାନ୍ତି। ଫଳରେ ଆଜି ଅପରାହ୍ଣ ୫ ଘଣ୍ଟାରୁ ପାଟଣାଗଡ-ବଲାଙ୍ଗିର ରାସ୍ତା ରାମଜୀ ଛକଠାରେ ଅବରୋଧ କରି ରଖିଥିଲେ। ଫଳରେ ଉଭୟ ପଟେ ଶହ ଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ତେବେ ଆନ୍ଦୋଳନ ହେବାର ଦୀର୍ଘ ସମୟ ପରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଆସନ୍ତାକାଲି ପୁର୍ବାହ୍ଣ ୧୧ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେବା ସହ ରାତି ୮ ଘଣ୍ଟା ସମୟରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ପ୍ରକାଶ ଯେ, ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ କାର୍ୟ୍ୟାଳୟ(ହାଟପଦା) ଠାରେ ଲାଗିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯିବାରୁ ଗତ ୫ ଦିନ ଧରି ରାମପୁର ସମେତ ସହରର ମୁଖ୍ୟ ରାସ୍ତା, କୋଲପଡା, ରାମଜୀଛକ, ଆମପଡା ଇତ୍ୟାଦି ଅଞ୍ଚଳରେ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଛି। ତେବେ ଉକ୍ତ ଟ୍ରାନ୍ସଫର୍ମରକୁ ବଦଳ କରି କିମ୍ବା ମରାମତି କରି ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ବିଭାଗର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ତାହା ହୋଇପାରି ନାହିଁ। ଅନ୍ୟପଟେ ରାମଜୀଛଖର କିଛି ଯୁବକ ସମସ୍ୟା ସଂପର୍କରେ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଟ୍ୟାଙ୍କର ଯୋଗେ ଜଳ ଯୋଗଇବା ପାଇଁ ଉପ ଜିଲ୍ଲାପାଳ ସୋମନାଥ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୂରବୀ ବିହୀନ ହୋଇପଡିଥିବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ନିର୍ଦ୍ଦେଶ ମଧ୍ୟ ପାଳିତ ହୋଇପାରିନାହିଁ। ସୂଚନାଯୋଗ୍ୟ ଯେ,ନିୟମିତ କନିଷ୍ଠ ଯନ୍ତ୍ରୀ ନ ଥିବା ସ୍ଥାନୀୟ କାର୍ୟ୍ୟାଳୟରେ ଗତ ୨ ମାସ ତଳୁ ଜଣେ ଯନ୍ତ୍ରୀ ଯୋଗ ଦେଇ ସାରିଥିବା ସତ୍ତେ୍ୱ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏ ପର୍ୟ୍ୟନ୍ତ ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗୀୟ କର୍ମଚାରୀମାନେ ସୂଚନା ଦେଇଛନ୍ତି। ତେବେ ଅଞ୍ଚଳବାସୀ ଉତ୍ତ୍ୟକ୍ତ ହୋଇପଡି ଆଜି ସଂଧ୍ୟାରେ ରାସ୍ତା ରୋକ କରି ରଖିଥିଲେ ମଧ୍ୟ ଦୀର୍ଘ ସମୟ ଧରି କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ସଂଧ୍ୟା ପ୍ରାୟ ୭ ଘଣ୍ଟା ୩୦ ମିନିଟ ସମୟରେ ଥାନାଧିକାରୀ ପ୍ରୟଙ୍କା ରାଉତରାଏଙ୍କ ସମେତ ସହକାରୀ ଜିଲ୍ଲାପାଳ କ୍ଷିରୋଦ ଚନ୍ଦ୍ର ସାହୁ ଏବଂ ଅତିରିକ୍ତ ତହସିଲଦାର ଧିରଜ କୁମାର ପାତ୍ର ଧାରଣାସ୍ଥଳରେ ପହଞ୍ଚି ଆସନ୍ତାକାଲି ମଙ୍ଗଳବାର ପୂର୍ବାହ୍ଣ ୧୧ ଘଣ୍ଟା ସୁଦ୍ଧା ନୂତନ ଟ୍ରାନ୍ସଫର୍ମର ସ୍ଥାପନା ପୂର୍ବକ ଜଳ ଯୋଗାଣ ସ୍ୱାଭାବିକ ହେବାର ନିର୍ଭର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି। ତେବେ ୧୧ଟା ସୁଦ୍ଧା ସ୍ୱାଭାବିକ ନ ହେଲେ ମଧ୍ୟାହ୍ଣ ୧୨ ଘଣ୍ଟାରୁ ପୁଣି ଆନ୍ଦୋଳନ ଆରମ୍ଭ ହେବା ସହ ରାସ୍ତାରୋକ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିବା ଜଣାଯାଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories