ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଚାକିରିରେ ସଂରକ୍ଷଣ ପାଇଁ ଏସସି/ଏସଟିଙ୍କ ଉପବର୍ଗୀକରଣ କରିପାରିବେ ରାଜ୍ୟ ସରକାର

ସମାଜ ଡିଜିଟାଲ ଡେସ୍କ: ସରକାରୀ ଚାକିରିରେ ସଂରକ୍ଷଣ ଲାଗି ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି)ର ଉପବର୍ଗୀକରଣ କରିପାରିବେ ରାଜ୍ୟ ସରକାର। ଏହି ଦୁଇ ବର୍ଗ ପାଇଁ ପୂର୍ବରୁ ଧାର୍ଯ୍ୟ ଥିବା କୋଟା ବା ସଂରକ୍ଷଣ ଭିତରେ ଆଉ ଏକ ଉପବର୍ଗୀକରଣ କରାଯାଇ ନିଶ୍ପେଷିତ ଏବଂ ଅବହେଳିତ ଅବସ୍ଥାରେ ଥିବା ଅନୂସୂଚିତ ଜାତି ଓ ଜନଜାତିମାନଙ୍କ ଲାଗି ଅଧିକ ସଂରକ୍ଷଣ ସୁବିଧା ଦିଆଯାଇପାରିବ। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ୭ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ୨୦୦୪ ଇ.ଭି. ଚିନୈୟା ମାମଲା ଶୁଣାଣି ସମୟରେ ଏସସି, ଏସଟିଙ୍କ ମଧ୍ୟରେ ଉପବର୍ଗୀକରଣ ହୋଇପାରିବ ନାହିଁ ବୋଲି ତତ୍କାଳୀନ ଖଣ୍ଡପୀଠ ଦେଇଥିବା ରାୟକୁ ବର୍ତ୍ତମାନର ୭ ଜଣିଆ ଖଣ୍ଡପୀଠ ଖାରଜ କରି ନୂଆ ରାୟ ଶୁଣାଇଛନ୍ତି।

ଏସସି/ଏସଟିଙ୍କ ମଧ୍ୟରେ ଉପବର୍ଗୀକରଣ ସମ୍ପର୍କିତ ପିଟିସନର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୭ ଜଣିଆ ଖଣ୍ଡପୀଠ ଗଠନ ହୋଇଥିଲା। ମାମଲାର ଶୁଣାଣି ସମୟରେ ଜଣେ ବିଚାରପତି ଜଷ୍ଟିସ ବେଲା ତ୍ରିବେଦୀ ନୂଆ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଥିଲେ। ଅନ୍ୟ ୬ ବିଚାରପତି ନିଷ୍ପତ୍ତି ସପକ୍ଷରେ ମତ ଦେଇଥିଲେ। ଏହା ପରେ ପ୍ରଧାନ ବିଚାରପତି କହିଥିଲେ ଯେ, ଆମେ ଇି.ଭି ଚିନୈୟା ମାମଲାରେ ଦିଆଯାଇଥିବା ରାୟକୁ ଖାରଜ କରୁଛୁ। ଉପବର୍ଗୀକରଣ ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁନାହିଁ। କାରଣ ଉପବର୍ଗୀକରଣକୁ ସୂଚୀ ବାହାରେ ରଖାଯାଇ ନାହିଁ।

ସିଜେଆଇ ରାୟ ପଢ଼ିବା ସମୟରେ କହିଥିଲେ ଯେ, ବର୍ଗଗୁଡ଼ିକ ମଧ୍ୟରୁ ଅନୁସୂଚିତ ଜାତିଗୁଡ଼ିକୁ ଚିହ୍ନଟ କରିବା ଲାଗି ବ୍ୟବହାର କରାଯାଉଥିବା ମାନଦଣ୍ଡରୁ ଜଣାପଡ଼ୁଛି ଯେ, ବର୍ଗଗୁଡ଼ିକ ମଧ୍ୟରେ ବିବିଧତା ରହିଛି। ଅନୁଚ୍ଛେଦ ୧୫ ଓ ୧୬ରେ ଏଭଳି କିଛି ନାହିଁ, ଯାହା ରାଜ୍ୟଗୁଡ଼ିକୁ ଜାତି ଭିତରେ ଉପବର୍ଗୀକରଣ କରିବାରୁ ରୋକିପାରିବ।

ବିଚାରପତି ବି.ଆର. ଗଭଇ କହିଥିଲେ, ରାଜ୍ୟଗୁଡ଼ିକୁ ଏସସି, ଏସଟି ଭିତରେ ସ୍ଵଚ୍ଛଳ ବର୍ଗଙ୍କୁ ଚିହ୍ନଟ କରି ସେମାନଙ୍କୁ ସଂରକ୍ଷଣରୁ ବାହାର କରିବା ଦରକାର। ରାଜ୍ୟ ସରକାର ଠିକ୍‌ ତଥ୍ୟ ଏବଂ ମାନଦଣ୍ଡ ଆଧାରରେ ଏହି ଦୁଇ ବର୍ଗ ମଧ୍ୟରେ ଉପବର୍ଗୀକରଣ କରିବା ଆବଶ୍ୟକ।

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼, ବିଚାରପତି ଗଭଇ, ବିଚାରପତି ବିକ୍ରମ ନାଥ, ବିଚାରପତି ବେଲା ଏମ. ତ୍ରିବେଦୀ, ବିଚାରପତି ପଙ୍କଜ ମିତ୍ତଲ, ବିଚାରପତି ମନୋଜ ମିଶ୍ରା ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଉପରେ ୩ ଦିନ ଧରି ଶୁଣାଣି କରିବା ପରେ ଗତ ଫେବୃୟାରୀ ୮ ତାରିଖରେ ରାୟକୁ ସଂରକ୍ଷିତ ରଖିଥିଲେ। ୨୦୨୦ରେ ପଞ୍ଜାବ ରାଜ୍ୟ ବନାମ ଦବିନ୍ଦର ସିଂହ ମାମଲାକୁ ୫ ଜଣିଆ ଖଣ୍ଡପୀଠ ସର୍ବୋଚ୍ଚ ୭ ଜଣିଆ ଖଣ୍ଡପୀଠଙ୍କୁ ହସ୍ତାନ୍ତର କରିଥିଲେ। ୫ ଜଣିଆ ଖଣ୍ଡପୀଠ ଶୁଣାଣି ସମୟରେ ଜାଣିବାକୁ ପାଇଥିଲେ ଯେ, ଇ.ଭି. ଚିନୈୟା ବନାମ ଆନ୍ଧ୍ରପ୍ରଦେଶ ରାଜ୍ୟ(୨୦୦୫) ୧ ଏସସିସି ୩୯୪ ମାମଲାରେ ସମନ୍ବୟ ପୀଠର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଆବଶ୍ୟକ ରହିଛି। ଏସସି/ଏସଟି ମଧ୍ୟରେ ଉପବର୍ଗୀକରଣ କରିବାର କ୍ଷମତା ରାଜ୍ୟ ସରକାରଙ୍କର ନାହିଁ ବୋଲି ସମନ୍ବୟ ପୀଠ ନିଷ୍ପତ୍ତି ଶୁଣାଇଥିଲା। ତେଣୁ ୭ ଜଣିଆ ଖଣ୍ଡପୀଠ ଏହାର ସମୀକ୍ଷା କରି ପୁରୁଣା ନିଷ୍ପତ୍ତିକୁ ଖାରଜ କରିବା ସହିତ ନୂଆ ନିଷ୍ପତ୍ତି ଶୁଣାଇଛନ୍ତି।

Comments are closed.