ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ରବିବାରଠାରୁ କିଛି ଅଞ୍ଚଳରେ ମୁସଲ୍ମାନ ସମ୍ପ୍ରଦାୟର ମସ୍ଜିଦ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ହେବାରୁ ଶ୍ରୀଲଙ୍କା ସରକାର ବହୁ ସାମାଜିକ ଗଣମାଧ୍ୟମ ସାଇଟ୍କୁ ଅସ୍ଥାୟୀ ଭାବେ ବନ୍ଦ ରଖିଛନ୍ତି। ଇଷ୍ଟର ରବିବାର ଆକ୍ରମଣ ପରେ ଉତ୍ତ୍ୟକ୍ତ ଲୋକମାନେ ମୁସଲ୍ମାନ ସମ୍ପ୍ରଦାୟର ଲୋକମାନଙ୍କୁ ଲକ୍ଷ୍ୟ କରି ଆକ୍ରମଣ କରୁଥିବା ଯୋଗୁଁ କଲମ୍ବୋଠାରୁ ୮୦ କିଲୋମିଟର ଉତ୍ତରକୁ କିଛି ଅଞ୍ଚଳରେ ରବିବାର ରାତିରେ ସାନ୍ଧ୍ୟ ଆଇନ୍ ଲାଗୁ କରାଯାଇଥିଲା। ଚିଲା, କୁଲିୟାପିଟିୟା, ବିଙ୍ଗିରିୟା ଓ ଡୁମାଲାସୁରିୟାରେ ସାନ୍ଧ୍ୟ ଆଇନ କୋହଳ କରାଯାଇଛି। ସେହି ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ମୁସଲ୍ମାନ ସମ୍ପ୍ରଦାୟର ବ୍ୟାବସାୟିକ ପ୍ରତିଷ୍ଠାଗୁଡ଼ିକ ଉପରେ ଆକ୍ରମଣ ପାଇଁ ପୂର୍ବରୁ ପୁଲିସ୍ କିଛି ଲୋକଙ୍କୁ ଗିରଫ କରିଥିଲା। ସେହି ଲୋକମାନଙ୍କୁ ଖଲାସ କରିବାପାଇଁ ଉତ୍ତ୍ୟକ୍ତ ଲୋକମାନେ ଥାନା ସମ୍ମୁଖରେ ରୁଣ୍ଡ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ସାନ୍ଧ୍ୟ ଆଇନ୍ ଲଗାଯାଇଥିବା ପୁଲିସ୍ ମୁଖପାତ୍ର କହିଛନ୍ତି। ଇଷ୍ଟର ଆକ୍ରମଣ ପରଠାରୁ ଗୁଜବ ପ୍ରଚାର ରୋକିବାପାଇଁ ତୃତୀୟ ଥର ଲାଗି ସାମାଜିକ ଗଣମାଧ୍ୟମ ସାଇଟ୍ଗୁଡ଼ିକୁ ବନ୍ଦ ରଖାଯାଇଛି।



