www.samajalive.in
Thursday, December 11, 2025
16.1 C
Bhubaneswar

ୱାର୍ଣ୍ଣର,ଶାହାଙ୍କ ପ୍ରହାରରେ ଦିଲ୍ଲୀକୁ ହରାଇଲା ସନ୍‌ରାଇଜର୍ସ

ଦୁବାଇ : ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ସହଜ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦରାବାଦ। ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍‌ସକୁ ୮୮ ରନ୍‌ର ବିପୁଳ ବ୍ୟବଧାନରେ ସନ୍‌ରାଇଜର୍ସ ପରାସ୍ତ କରିଛି। ଡେଭିଡ୍‌ ୱାର୍ଣ୍ଣର ଓ ଋଦ୍ଧିମାନ ଶାହାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ୨ ୱିକେଟ ହରାଇ ୨୧୯ ରନ୍ କରିଥିଲା। ପରେ ସାମୂହିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଦିଲ୍ଲୀ କ୍ୟାପିଟାଲ୍‌ସ ୧୯ ଓଭରରେ ୧୩୧ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଏହି ମ୍ୟାଚ୍ ଜିତିଥିଲେ ଦିଲ୍ଲୀ ପ୍ଲେଅଫ୍‌ରେ ପହଞ୍ଚିଥାଆନ୍ତା। ୧୨ଟି ମ୍ୟାଚ୍‌ରୁ ୫ମ ପରାଜୟ ପରେ ୧୪ ପଏଣ୍ଟ ସହ ୩ୟ ସ୍ଥାନକୁ ଖସି ଆସିଥିବା ଦିଲ୍ଲୀ ବାକି ୨ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ ଜିତିଲେ ପ୍ଲେଅଫ୍‌ରେ ପହଞ୍ଚିବ। ୧୨ଶ ମ୍ୟାଚ୍‌ରେ ୫ମ ବିଜୟ ପରେ ୧୦ ପଏଣ୍ଟ ସହ ସନ୍‌ରାଇଜର୍ସ ପ୍ଲେଅଫ୍‌ ଆଶା ବଜାୟ ରଖିଛି।
ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ସନ୍‌ରାଇଜର୍ସର ଦୁଇ ଓପ୍‌ନର ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଓ ଋଦ୍ଧିମାନ ଶାହା ଆରମ୍ଭରୁ ଷ୍ଟ୍ରୋକ୍‌ ଖେଳି ୬ ଓଭରର ପାୱରପ୍ଲେ ଶେଷରେ ସ୍କୋର୍‌କୁ ୭୭ ରନ୍‌ରେ ପହଞ୍ଚାଇଥିଲେ; ଯାହା ଚଳିତ ସଂସ୍କରଣରେ ସର୍ବାଧିକ। ୨୫ ବଲ୍‌ରୁ ୱାର୍ଣ୍ଣର ଅର୍ଦ୍ଧଶତକ ପୂରଣ କରିଥିଲେ। ୧୦ମ ଓଭରରେ ଦୁହେଁ ସ୍କୋର୍‌କୁ ଶହେ ପାର କରାଇବା ପରେ ୱାର୍ଣ୍ଣର ଆଉଟ ହୋଇଥିଲେ। ୱାର୍ଣ୍ଣର ବିଧ୍ବଂସୀ ବ୍ୟାଟିଂକରି ୩୪ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୬୬ ରନ୍ କରିଥିଲେ। ପରେ ଋଦ୍ଧିମାନ ଷ୍ଟ୍ରୋକ୍‌ ଖେଳି ଚାଲିଥିଲେ। ମନୀଷ ପାଣ୍ଡେଙ୍କ ସହ ୨ୟ ୱିକେଟ ପାଇଁ ୫ ଓଭରରେ ୬୩ ରନ୍ ଯୋଡ଼ିବା ପରେ ଋଦ୍ଧିମାନ ଆଉଟ ହୋଇ ଯାଇଥିଲେ। ଋଦ୍ଧିମାନ ୪୫ ବଲ୍‌ରୁ ୨ଟି ଛକା ଓ ୧୨ଟି ଚୌକା ସହ ଆକ୍ରମଣାତ୍ମକ ୮୭ ରନ୍‌ କରିଥିଲେ। ମନୀଷ ପାଣ୍ଡେ ଭଲ ବ୍ୟାଟିଂ କରିଥିଲେ। ପାଣ୍ଡେ ଓ କେନ୍ ୱିଲିୟମ୍‌ସନ ୪୯ ରନ୍ ଯୋଡ଼ିଥିଲେ। ୱିଲିୟମ୍‌ସନ ୧୦ ବଲ୍‌ରୁ ୧୧ ରନ୍‌କରି ଅପରାଜିତ ଥିଲେ। ପାଣ୍ଡେ ୩୧ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୪ ରନ୍‌କରି ଅପରାଜିତ ଥିଲେ।
୨୨୦ ରନ୍ ଲକ୍ଷ୍ୟରେ ଦିଲ୍ଲୀ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ପ୍ରଥମ ଓଭରରେ ବିନା ସ୍କୋର୍‌ରେ ଶିଖର ଧାୱନ୍ ଆଉଟ ହୋଇଥିଲେ। ରନ୍‌ଗତି ବଢ଼ାଇବା ଲାଗି ୩ନଂ ସ୍ଥାନରେ ଆସିଥିବା ମାର୍କସ ଷ୍ଟୋଇନିସ୍ ମାତ୍ର ୫ ରନ୍‌ କରିଥିଲେ। ପରେ ଅଜିଙ୍କ୍ୟ ରାହାଣେ ଓ ସିମ୍ରନ୍ ହେତ୍‌ମେୟର ରସିଦ୍ ଖାଁଙ୍କ ଗୋଟିଏ ଓଭରରେ ଆଉଟ ହୋଇଥିଲେ। ୬ ଓଭର ପାୱରପ୍ଲେ ଶେଷରେ ଦିଲ୍ଲୀ ୫୪ ରନ୍ କରିଥିଲା। ହେତ୍‌ମେୟର ୧୬ ରନ୍‌କରି ବିଦାୟ ନେଇଥିଲେ। ରାହାଣେ ୧୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୬ ରନ୍ କରିଥିଲେ। ପରେ ଅଧିନାୟକ ଶ୍ରେୟାସ ଆୟର ୭ ଓ ଅକ୍ଷର ପଟେଲ ୧ ରନ୍‌କରି ଆଉଟ ହୋଇଥିଲେ। ୮୩ ରନ୍‌ରେ ୬ଟି ୱିକେଟ ପଡ଼ିଯିବା ପରେ ଦିଲ୍ଲୀର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଋଷଭ ପନ୍ତ୍ ୩୫ ବଲ୍‌ରୁ ପ୍ରଭାବହୀନ ୩୬ ରନ୍ କରିଥିଲେ। ତୁଷାର ଦେଶପାଣ୍ଡେ ୨୦ ରନ୍‌ରେ ଅପରାଜିତ ଥିଲେ। ରସିଦ୍ ଖାଁ ୩ଟି ଏବଂ ସନ୍ଦୀପ ଶର୍ମା ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories