ରାଉରକେଲା : ରାଉରକେଲା ମହାନଗର ନିଗମ ପକ୍ଷରୁ ଉଦିତ୍ନଗର ସ୍ଥିତ ମ୍ୟୁନିସିପାଲ୍ କଲେଜଠାରେ ସୋମବାର ଏକ ସ୍ୱତନ୍ତ୍ର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଦେଶରେ ଉଚ୍ଚତର ଶିକ୍ଷା ନେଉଥିବା ଛାତ୍ରଛାତ୍ରୀ, ଚାକିରି କରୁଥିବା ବ୍ୟକ୍ତି ତଥା ଅଲିମ୍ପିକରେ ଭାଗନେବାକୁ ଥିବା କ୍ରୀଡ଼ାବିତ୍ମାନଙ୍କୁ ଏଠାରେ କୋଭିଡ୍ ଟିକା ଦିଆଯାଇଥିଲା। ଏଥିରେ ଆଜି ମୋଟ ୩୩ ଜଣ ହିତାଧିକାରୀ ଟିକା ନେଇଥିଲେ।
“ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ, କର୍ମଜୀବୀ ଓ ଖେଳାଳିମାନଙ୍କ ସୁବିଧା ପାଇଁ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି। ଯେଉଁମାନେ ଆଦୌ ଟିକା ନେଇନଥିଲେ, ସେମାନଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆ ଯାଇଥିଲା। ଯେଉଁମାନେ ପ୍ରଥମ ଡୋଜ୍ ନେବାର ୨୮ ଦିନରୁ ଅଧିକ ସମୟ ହୋଇଯାଇଥିଲା, ସେମାନଙ୍କୁ ମଧ୍ୟ ଟିକାର ଦ୍ୱିତୀୟ ଡୋଜ୍ ଦିଆଯାଇଥିବା”, କହିଛନ୍ତି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା।
ଟିକାଦାନ କେନ୍ଦ୍ରରେ ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହ ଟିକା ନେବାକୁ ଆସିଥିବା ହିତାଧିକାରୀମାନଙ୍କ ସହ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଆଲୋଚନା କରିଥିଲେ। ଭିସା, ପାସ୍ପୋର୍ଟ ତଥା ପାଠ ପଢୁଥିବା ଶିକ୍ଷାନୁଷ୍ଠାନ କିମ୍ବା ଚାକିରି କରୁଥିବା ଅନୁଷ୍ଠାନର କାଗଜପତ୍ର ଦେଖାଇ ହିତାଧିକାରୀମାନେ ଟିକା ନେଇଥିଲେ। ହିତାଧିକାରୀ ଟିକା ପାଇଁ କେନ୍ଦ୍ରକୁ ଆସି ସିଧାସଳଖ ପଞ୍ଜୀକରଣ କରିବାର ବ୍ୟବସ୍ଥା ହୋଇଥିଲା। ଟିକାଦାନ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ପୂର୍ବକ ସେମାନେ ଟିକା ନେଇଥିଲେ।
ଆଗାମୀ ଦିନରେ ମଧ୍ୟ ଏହି ବର୍ଗର ବ୍ୟକ୍ତିଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ। ସେମାନେ ନିଜର ଆବଶ୍ୟକୀୟ କାଗଜପତ୍ର ଦେଖାଇ ଅନ୍-ସ୍ପଟ୍ ପଞ୍ଜୀକରଣ କରି ନିଜର ସ୍ଲଟ୍ ବୁକ୍ କରିପାରିବେ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି।



