ଭୁବନେଶ୍ବର: ଶ୍ରମିକ ସ୍ପେସାଲ୍ ଟ୍ରେନ୍ଗୁଡ଼ିକ ଓଡ଼ିଶାକୁ ୨୦୦ ଥର ଯାତ୍ରା ସଂପନ୍ନ କରିଛନ୍ତି। ଏହା ଫଳରେ କୋଭିଡ୍-୧୯ ଲକ୍ ଡାଉନ୍ କାରଣରୁ ଓଡ଼ିଶା ବାହାରେ ଅଟକି ରହିଥିବା ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଓଡ଼ିଆ ଭାଇଭଉଣୀ ରାଜ୍ୟକୁ ଫେରିପାରିଛନ୍ତି। ସମନ୍ୱିତ ଉଦ୍ୟମ ଓ ଯୋଜନା କ୍ରମେ ରାଜ୍ୟକୁ ଫେରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି, ଖାଦ୍ୟପେୟ ଯୋଗାଇ ଦିଆଯାଇଛି ଏବଂ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍ରେ ଯିବା ଉଦ୍ଦେଶ୍ୟରେ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୨୨୪୭ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫,୦୭,୦୯୩ ଜଣ ଫେରିଛନ୍ତି। ସେମାନେ ବସ୍, ଟ୍ରେନ୍ ଓ ଅନ୍ୟ ଯାନବାହନରେ ଆସିଛନ୍ତି।
ସମସ୍ତ ବିଦେଶ ଫେରନ୍ତା ବ୍ୟକ୍ତିବିଶେଷ ୧୦୪ ବା ରାଜ୍ୟ କଲ୍ ସେଣ୍ଟରରୁ ଯାଉଥିବା କଲ୍ଗୁଡ଼ିକୁ ଗ୍ରହଣ କରିବାକୁ କୁହାଯାଇଛି। ନିଜ ନିଜର ଫୋନକୁ ସୁଇଚ୍ ଅଫ୍ ରଖିଲେ କିମ୍ବା ଯାଉଥିବା କଲ୍କୁ ସ୍ୱୀକାର ନକଲେ, ସଂପୃକ୍ତ ବ୍ୟକ୍ତି ହୋମ୍ କ୍ୱାରାଣ୍ଟାଇନ୍ ଅମାନ୍ୟ କରିଛନ୍ତି ବୋଲି ବିବେଚିତ ହେବେ ଏବଂ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ । ସ୍ୱାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଏ ବାବଦରେ ସହଯୋଗ କରିବା ପାଇଁ ବିଦେଶ ଫେରନ୍ତା ବ୍ୟକ୍ତିବିଶେଷମାନଙ୍କୁ ଅନୁରୋଧ କରାଯାଇଛି। ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ରାଜ୍ୟର ୬୬ଟି ରୁଟ୍ରେ ଯାତ୍ରୀ ବସ୍ ସେବା ଆସନ୍ତାକାଲିଠାରୁ ଆରମ୍ଭ ହେବ। କୌଣସି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ ହେବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



